କନକ ବ୍ୟୁରୋ : ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ଘୋଷଣା କରିଛି । ଆଉ ଏହି ଘୋଷଣାରେ ଆଶ୍ଚର୍ଯ୍ୟଚକିତ କଲା ଭଳି ନିଷ୍ପତ୍ତି ନେଇଛି ବିଜେପି । ପିଲିଭିତରୁ ସାଂସଦ ଥିବା ବରୁଣ ଗାନ୍ଧୀଙ୍କୁ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ବାଦ୍ ଦିଆଯାଇଛି । ସେହିଭଳି ବିଜେପିର ବରିଷ୍ଠ ନେତ୍ରୀ ତଥା ବରୁଣଙ୍କ ମା’ ମାନେକା ଗାନ୍ଧୀଙ୍କୁ ମଧ୍ୟ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ବାଦ୍ ଦିଆଯାଇଛି । ଲଗାତାର ସରକାରଙ୍କ ବିଭିନ୍ନ ନୀତିକୁ ନେଇ ପ୍ରଶ୍ନ ଉଠାଇବା ବରୁଣଙ୍କୁ ମହଙ୍ଗା ପଡିଛି ବୋଲି କୁହାଯାଉଛି । ଅନ୍ୟପଟେ ଲଖିମପୁର ଘଟଣାରେ ସରକାରଙ୍କୁ ଟାର୍ଗେଟ କରିବା କାରଣରୁ ବରୁଣଙ୍କୁ ଏମିତି ଦଶା ଭୋଗିବାକୁ ପଡିଛି ବୋଲି ଚର୍ଚ୍ଚା ହେଉଛି ।
ଲଖିମପୁର ଘଟଣାକୁ ନେଇ ବରୁଣ ସିରିଜ ଟ୍ୱିଟ୍ କରିବା ସହ ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି । ଏପରିକି ଆଜି ମଧ୍ୟ ବରୁଣ ଏକ ଟ୍ୱିଟ୍ କରି ଲେଖିଛନ୍ତି, ବିରୋଧ କରୁଥିବା ଲୋକଙ୍କୁ ହତ୍ୟା କରି ସେମାନଙ୍କୁ ଚୁପ୍ କରାଯାଇ ପାରିବ ନାହିଁ । ନୀରିହ କୃଷକଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ଉତ୍ତର ଦେବାକୁ ପଡିବ । ସରକାରଙ୍କ ପ୍ରତି ଚାଷୀଙ୍କ ମନରେ କିଛି ଖରାପ ବାର୍ତ୍ତା ଯାଉ ତାହା ପୂର୍ବରୁ ନ୍ୟାୟ ମିଳିବା ଆବଶ୍ୟକ ବୋଲି ବରୁଣ ଟ୍ୱିଟ୍ କରି କହିଥିଲେ ।
The video is crystal clear. Protestors cannot be silenced through murder. There has to be accountability for the innocent blood of farmers that has been spilled and justice must be delivered before a message of arrogance and cruelty enters the minds of every farmer. 🙏🏻🙏🏻 pic.twitter.com/Z6NLCfuujK
— Varun Gandhi (@varungandhi80) October 7, 2021
ଗୁରୁବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀଙ୍କ ସଦସ୍ୟଙ୍କ ତାଲିକା ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀଙ୍କ ସମେତ ୮୦ ଜଣ ନେତାଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ସଦସ୍ୟ ଭାବେ ମନୋନୀତ କରାଯାଇଛି । ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟସମିତି ବିଭିନ୍ନ ମୁଦ୍ଦା ଉପରେ ଚର୍ଚ୍ଚା କରିବା ସହ ସଙ୍ଗଠନକୁ କିଭଳି ଶକ୍ତିଶାଳୀ କରାଯିବ ତାହା ନିର୍ଦ୍ଧାରଣ କରିଥାନ୍ତି । କୋଭିଡ କାରଣରୁ ଦୀର୍ଘ ସମୟ ହେବ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଆୟୋଜିତ ହୋଇନାହିଁ । ଆସନ୍ତା ନଭେମ୍ବର ୭ ତାରିଖରେ ବିଜେପିର ଆଗାମୀ କାର୍ଯ୍ୟକାରିଣୀ ବୈଠକ ବସିବ । ଜେ.ପି ନଡ୍ଡା ଦଳର ସଭାପତି ହେବା ପରେ ବିଜେପିର ଏହା ପ୍ରଥମ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ହେବ ।