ଟିମ୍ ଇଣ୍ଡିଆର ବଢିଲା ଚିନ୍ତା, ଟି-୨୦ ବିଶ୍ୱକପ ଟିମରୁ ବାଦ୍ ପଡିପାରନ୍ତି ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ।

920

କନକ ବ୍ୟୁରୋ : ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ଟି-୨୦ ବିଶ୍ୱକପ ମହାକୁମ୍ଭ । ଅକ୍ଟୋବର ୨୪ରୁ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳି ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । କିନ୍ତୁ ଅଭିଯାନ ଆରମ୍ଭ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିପାରେ ବଡ ଝଟକା । କାରଣ ଦଳରୁ ବାଦ୍ ପଡିପାରନ୍ତି ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ । କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଏବେ ଆଇପିଏଲ ଖେଳୁଥିବା ବରୁଣଙ୍କର ପୁଣିଥରେ ଆଣ୍ଠୁରେ ଯନ୍ତ୍ରଣା ଆରମ୍ଭ ହୋଇଥିବା ଖବର ସାମ୍ନାକୁ ଆସିଛି ।

ବରୁଣଙ୍କ ପ୍ରଦର୍ଶନ ଆଧାରରେ ତାଙ୍କୁ ଭାରତୀୟ ଟି-୨୦ ବିଶ୍ୱକପ ଟିମରେ ସାମିଲ କରାଯାଇଥିଲା । ଏପରିକି ବରୁଣଙ୍କୁ ବିଶ୍ୱକପରେ ଭାରତର ବଡ ବ୍ରହ୍ମାସ୍ତ୍ର ବୋଲି କୁହାଯାଉଥିଲା । କିନ୍ତୁ ତାମିଲନାଡୁର ଏହି କ୍ରିକେଟରଙ୍କ ଆଣ୍ଠୁରେ ହୋଇଥିବା ଏଯାଏଁ ପୂରା ଠିକ୍ ହୋଇନାହିଁ । ତେଣୁ ବିସିସିଆଇର ଟିମ୍ ବରୁଣଙ୍କ ଗୋଡ ଭଲ କରିବାକୁ ଏବେ ଜୋର ଲଗାଇ ଦେଇଛନ୍ତି କାରଣ ବିଶ୍ୱକପ ଆରମ୍ଭ ହେବାକୁ ଆଉ ଦିନ କେଇଟା ବାକି ରହିଛି ।

ଅକ୍ଟୋବର ୧୦ ସୁଦ୍ଧା ଭାରତୀୟ ଟିମରେ ବଡ ପରିବର୍ତ୍ତନ କରାଯାଇପାରେ । ତେବେ ବରୁଣଙ୍କ ବାବଦରେ କଣ ନିଷ୍ପତ୍ତି ନିଆଯିବ ତାହା ଏଯାଏଁ ସ୍ଥିର ହୋଇନାହିଁ । ବରୁଣଙ୍କର ଆଣ୍ଠୁ ଆଘାତ ଏତେ ଭଲ ନାହିଁ, ତାଙ୍କ ଆଣ୍ଠୁରେ ମଝିରେ ମଝିରେ ଯନ୍ତ୍ରଣା ହେଉଛି । ଯଦି ବିଶ୍ୱକପ ହୋଇନଥାନ୍ତା ତେବେ ଟିମ୍ ମ୍ୟାନେଜମେଣ୍ଟ ବରୁଣଙ୍କୁ ଦଳରେ ସାମିଲ କରିବା ନେଇ ଏତେଟା ରିସ୍କ ନେଇନଥାନ୍ତେ । ଏବେ ବରୁଣଙ୍କ ଯନ୍ତ୍ରଣାରୁ ଉପଶମ ପାଇଁ ଇଞ୍ଜେକସନ ଦିଆଯାଉଛି । ଏହି ଇଞ୍ଜେକସନ ଦେବା ଫଳରେ କେବଳ ଯେ ଯନ୍ତ୍ରଣା କମ ହେଉଛି ଓ ବରୁଣ ବୋଲିଂ କରିପାରୁଛନ୍ତି ।

୨୦୦୭ ପରଠାରୁ ଭାରତ ଟି-୨୦ ବିଶ୍ୱକପରେ ଚାମ୍ପିୟନ ହୋଇପାରିନାହିଁ । ତେଣୁ ଚଳିତଥର ଟି-୨୦ ବିଶ୍ୱକପ ବିଜୟ ଉପରେ ବିରାଟ ବାହିନୀର ନଜର ରହିବ । ଟି-୨୦ ବିଶ୍ୱକପ ପାଇଁ ଧୋନୀଙ୍କୁ ମାର୍ଗଦର୍ଶକ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଫେଭରିଟ ରହିବ ।