କ୍ରିକେଟର ବରୁଣ ଚକ୍ରବର୍ତ୍ତୀ, ଆଗରୁ କେବେ ନାଁ ଶୁଣିଥିଲେ କି ? ଜାଣନ୍ତୁ କାହିଁକି ଏହି ଖେଳାଳୀଙ୍କୁ ୮ କୋଟି ୪୦ ଲକ୍ଷରେ କିଣିଲା ପଞ୍ଜାବ ।

744

କନକ ବ୍ୟୁରୋ : ଜୟପୁର ଠାରେ ଚାଲିଛି ଆଇପିଏଲ୍ ୨୦୧୯ ପାଇଁ ନିଲାମୀ ପ୍ରକ୍ରିୟା । ଚଳିତ ଆଇପିଏଲରେ ଯୁବ ଖେଳାଳୀମାନଙ୍କୁ ଅଧିକ ଗୁରୁତ୍ୱ ମିଳୁଥିବା ଦେଖିବାକୁ ମିଳୁଛି । ଅଭିଜ୍ଞ ତଥା ନାମୀଦାମୀ ଖେଳାଳୀଙ୍କୁ କୌଣସି ଦଳ କିଣୁନଥିବା ବେଳେ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇନଥିବା ଯୁବ ଖେଳାଳୀଙ୍କ ଚାହିଦା ନିଲାମୀ ପ୍ରକ୍ରିୟାରେ ଅଧିକ ରହିଥିବା ପରିଲକ୍ଷିତ ହୋଇଛି । ଭାରତୀୟ କ୍ରିକେଟ ତାରକା ଯୁବରାଜ ସିଂହ ଏବଂ ଚେତେଶ୍ୱର ପୂଜାରା ବିକ୍ରି ନହେବା ଏହାର ହୁଏତ ଏକ ଉଦାହରଣ ହୋଇପାରେ । ସେପଟେ ନୂଆ ତଥା ଯୁବ ଖେଳାଳୀମାନଙ୍କୁ ଅଧିକ ଗୁରୁତ୍ୱ ମିଳିଛି ।

ଜୟଦେବ ଉନାଦକଟଙ୍କୁ ଚଳିତ ଆଇପିଏଲରେ ୮ କୋଟି ୪୦ ଲକ୍ଷ ଟଙ୍କାରେ କିଣିଛି ରାଜସ୍ଥାନ ରୟାଲ୍ସ । କିନ୍ତୁ ସମସ୍ତଙ୍କୁ ଚମକାଇ ଦେଇଛନ୍ତି ତାମିଲନାଡୁର ଯୁବ ତାରକା ଖେଳାଳୀ ବରୁଣ ଚକ୍ରବର୍ତ୍ତୀ । ବରୁଣଙ୍କର ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ସେ ବିକ୍ରି ହୋଇଛନ୍ତି ୮ କୋଟି ୪୦ ଲକ୍ଷ ଟଙ୍କାରେ । ତେବେ ବରୁଣଙ୍କ ବୋଲିଂ ଷ୍ଟାଇଲ୍ ଟିକିଏ ନିଆରା ବୋଲି ଚର୍ଚ୍ଚା ହୋଇଥାଏ । ସେ ୭ ପ୍ରକାର ଷ୍ଟାଇଲରେ ବୋଲିଂ କରିପାରନ୍ତି । ତେବେ ଚଳିତ ଆଇପିଏଲରେ ବ୍ୟାଟ୍ସମ୍ୟାନ ମାନଙ୍କୁ ନିଜ ସ୍ପିନ୍ ବଳରେ ଅଡୁଆରେ ପକାଇବା ପାଇଁ କିଙ୍ଗସ ଏକାଦଶ ପଞ୍ଜାବ ବରୁଣଙ୍କୁ ୮ କୋଟି ୪୦ ଲକ୍ଷ ମୂଲ୍ୟରେ ଦଳରେ ସାମିଲ କରିଛି । ସେହିପରି ଅକ୍ସର ପଟେଲଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୫ କୋଟି ଟଙ୍କାରେ କିଣିଛି । ମୋହିତ ଶର୍ମା ମଧ୍ୟ ୫ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି । ଚେନ୍ନାଇ ସୁପରକିଙ୍ଗସ ମୋହିତଙ୍କୁ ଦଳରେ ସାମିଲ କରିଛି ।