ଶାଶୂ ଘର ଛାଡିବେନି ବର୍ଷା: ଅନୁଭବଙ୍କ ଘରେ ରହି ହିଁ ଲଢ଼ିବେ ମାମଲା; ଅଭିନେତ୍ରୀଙ୍କ ଓକିଲ ଦେଲେ ସୂଚନା: ସେପଟେ ଜୀବନ ପ୍ରତି ବିପଦ ଥିବା ଦର୍ଶାଇବା ପରେ ମିଳିଲା ପୁଲିସ ସୁରକ୍ଷା

752

କନକ ବ୍ୟୁରୋ: ଶାଶୁ ଘର ଛାଡିବେନି ବର୍ଷା । ଶାଶୁ ଘରେ ରହି ହିଁ ମାମଲା ଲଢ଼ିବେ । ଏନେଇ ସୂଚନା ଦେଇଛନ୍ତି ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ । ଘରୋଇ ହିଂସା ଅଭିଯୋଗ ଆଣୁଥିବା ବର୍ଷା କେମିତି ଶାଶୁ ଘରେ ରହୁଛନ୍ତି ବୋଲି ଗତକାଲି ପ୍ରଶ୍ନ ଉଠାଇଥିଲେ ସ୍ୱାମୀ ଅନୁଭବ ମହାନ୍ତି । ଏହାର ଜବାବରେ ବର୍ଷାଙ୍କ ଓକିଲ କହିଛନ୍ତି ଅନୁଭବଙ୍କ କଥାରେ ବର୍ଷା ଘର ଛାଡି ପାରିବେ ନାହିଁ । ସେପଟେ ଜୀବନ ପ୍ରତି ବିପଦ ଥିବା ଦର୍ଶାଇବା ପରେ ଆଜିଠାରୁ ତାଙ୍କୁ ପୁଲିସ ସୁରକ୍ଷା ଦିଆଯାଇଛି । ଅନୁଭବଙ୍କ ଘରେ ବର୍ଷାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଜଣେ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଥିଲେ ବର୍ଷା । ଏନେଇ ପୁରୀଘାଟ ଥାନାରେ ତାଙ୍କ ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ଗତକାଲି ବର୍ଷାଙ୍କୁ ଖାଇବାକୁ ଦେବା ସମୟରେ ଅନୁଭବଙ୍କ ୨ ସହଯୋଗୀ, ବର୍ଷାଙ୍କ ଅନିଚ୍ଛା ସତ୍ୱେ ମୋବାଇଲରେ ଭିଡିଓ ସୁଟ କରିଥିଲେ । ଏହାକୁ ନେଇ ପୁଲିସର ସହାୟତା ଲୋଡିଥିଲେ ବର୍ଷା । ଅଭିଯୋଗ ପାଇବା ପରେ ପୁଲିସ ଅଧିକାରୀ ଅନୁଭବଙ୍କ ବାସଭବନରେ ପୋଲିସ ପହଁଚି ଘଟଣା ନେଇ ବର୍ଷାଙ୍କ ସହ ଆଲୋଚନା କରିଥିଲେ । ଏହି ଘଟଣା ପରେ ଓଲିଉଡ୍ ଷ୍ଟାର ଦମ୍ପତି ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତିଙ୍କ ଦାଂପତ୍ୟ ଜୀବନରେ ଉଠିଥିବା ଝଡ ଏକ ନୂଆ ମୋଡ ନେଇଛି ।