ମାମଲା ସ୍ଥାନାନ୍ତର ପାଇଁ ବର୍ଷା ସୁପ୍ରିମକୋର୍ଟ ଯିବା ପ୍ରସଙ୍ଗ : ଅନୁଭବଙ୍କ ଓକିଲ କହିଲେ, ଦିଲ୍ଲୀ ଆସି ମାମଲା ଲଢିବାରେ ଅସୁବିଧା ନାହିଁ: ସେପଟେ ପ୍ରତିକ୍ରିୟା ରଖିଲେ ବର୍ଷାଙ୍କ ଓକିଲ, କହିଲେ ବର୍ଷାଙ୍କ ପାଖରେ ରୋଜଗାରର ବାଟ ଥିଲେ ବି ଦିଲ୍ଲୀରେ ଘର ନାହିଁ

1,231

କନକ ବ୍ୟୁରୋ : ଦିଲ୍ଲୀ ପଟିଆଲାରେ ଅନୁଭବ କରିଥିବା ମାମଲାକୁ କଟକ ସ୍ଥାନାନ୍ତର ପାଇଁ ବର୍ଷା ଆଜି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅନୁଭବଙ୍କ ଓକିଲ ଅଶ୍ୱନୀ ଦୁବେ । ସେ କହିଛନ୍ତି ବର୍ଷାଙ୍କ ନିଜସ୍ୱ ଆୟ ରହିଛି । ତେଣୁ ଦିଲ୍ଲୀ ଆସି କେସ ଲଢ଼ିବାରେ କୌଣସି ସମସ୍ୟା ନାହିଁ । କୋର୍ଟ ନିର୍ଦ୍ଦେଶ ଅନୁସାରେ ପରବର୍ତୀ ପଦକ୍ଷେପ ନିଆଯିବ ।

ଅନୁଭବ ଓକିଲଙ୍କ ବୟନ ପରେ ମୁହଁ ଖୋଲିଲେ ବର୍ଷାଙ୍କ ଓକିଲ । କହିଲେ ବର୍ଷାଙ୍କ ପାଖରେ ରୋଜଗାରର ବାଟ ଥିଲେ ବି ଦିଲ୍ଲୀରେ ଘର ନାହିଁ । ଅନୁଭବଙ୍କ ଘର ଉଭୟ କଟକ ଓ ଦିଲ୍ଲୀରେ ରହିଛି । ତେଣୁ ମାମଲା କଟକ ଯିବାରେ କିଛି ଅସୁବିଧା ନାହିଁ ।

ଓଲିଉଡର ସୁପରହିଟ ଯୋଡି ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଚିଛି । ଦିଲ୍ଲୀରୁ କଟକକୁ ମାମଲା ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବିବାହ ବିଚ୍ଛେଦ ପାଇଁ ଦିଲ୍ଲୀ ସ୍ଥିତ ପଟିଆଲା ହାଉସକୋର୍ଟରେ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଏକ ପିଟିସନ ଦାଖଲ କରିଛନ୍ତି । ତେବେ ଦିଲ୍ଲୀ ଯାଇ ମାମଲା ଲଢିବା ସମ୍ଭବ ନୁହେଁ ବୋଲି ସୁପ୍ରିମକୋର୍ଟରେ କରିଥିବା ଆବେଦନରେ ଦର୍ଶାଇଛନ୍ତି ବର୍ଷା । ତେଣୁ ପଟିଆଲା ହାଉସକୋର୍ଟରୁ ମାମଲାକୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ସେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

ପୂର୍ବରୁ ଘରୋଇ ହିଂସା ଓ ନିର୍ଯାତନା ଅଭିଯୋଗ ଆଣି ବର୍ଷା କଟକ ଫ୍ୟାମଲି କୋର୍ଟରେ ମାମଲା ରୁଜୁ କରିଛନ୍ତି । ତେଣୁ ଅନୁଭବଙ୍କ ଆବେଦନକୁ କଟକ ଫ୍ୟାମଲି କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ ।