କୋର୍ଟ ପରେ ମହିଳା କମିଶନରେ ପହଞ୍ଚିଲେ ବର୍ଷା । ନିର୍ଯାତନା ବିରୋଧରେ ନ୍ୟାୟ ପାଇଁ କଲେ ଦାବି । ବୈବାହିକ ଜୀବନରେ ବିବାଦକୁ ନେଇ ଫେରାଦ ସୂଚନା ।

813

କନକ ବ୍ୟୁରୋ: ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଆଜି ରାଜ୍ୟ ମହିଳା କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି । କମିଶନଙ୍କ କାର୍ଯ୍ୟାଳୟକୁ ଯାଇ ସେ ତାଙ୍କର ବୈବାହିକ ବିବାଦ ନେଇ କମିଶନଙ୍କୁ ଅବଗତ କରିଥିବା କୁହାଯାଉଛି । ଦୁଇ ଦିନ ପୂର୍ବରୁ ଲୋକସଭା ଟିଭିର ଉପସ୍ଥାପିକା ତଥା ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା ଫେସବୁକରେ ଏକ ପୋଷ୍ଟ ଅପଲୋଡ କରି ବର୍ଷା ପ୍ରିୟଦର୍ଶିନୀଙ୍କୁ ଟାର୍ଗେଟ କରିଥିଲେ । ସେ ଏଥିରେ କହିଥିଲେ ବର୍ଷାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରୁଛନ୍ତି । ଏଥିରେ ତାଙ୍କୁ ଅଶାଳୀନ ଏବଂ ଆପତିଜନକ ଭାବରେ ଟ୍ରୋଲ କରାଯାଉଛି ।

ତେବେ ଏଥିପାଇଁ ସେ ପରୋକ୍ଷରେ ବର୍ଷାଙ୍କୁ ଦାୟୀ କରିଥିଲେ । ସଂଗଠିତ ଭାବରେ ଏସବୁ କରାଯାଉଛି ବୋଲି ସେ ଅଭିଯୋଗ ଆଣିବା ସହ ଆଇନର ଆଶ୍ରୟ ନେବେ ବୋଲି କହିଥିଲେ । ଏହି ଘଟଣା ପରେ ବର୍ଷାଙ୍କ ଓକିଲ କହିଥିଲେ କୋର୍ଟରେ ଚାଲିଥିବା ମାମଲା ସହ ଏହାର କୌଣସି ସମ୍ପର୍କ ନାହିଁ । ଏସବୁ ପରେ ଆଜି ବର୍ଷା ପୁଣି ମହିଳା କମିଶନଙ୍କ ପାଖକୁ ଯିବା , ଚର୍ଚ୍ଚା ସୃଷ୍ଟି କରିଛି ।