କନକ ବ୍ୟୁରୋ : ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲା । ଆଜି ଫ୍ୟାମିଲି କୋର୍ଟକୁ ଆସିଥିଲେ ଉଭୟ ଅନୁଭବ ଓ ବର୍ଷା । ଦୁହିଁଙ୍କ ମଧ୍ୟରେ ବିଚାରପତି କରିଥିବା ଆପୋଷ ଆଲୋଚନା ବିଫଳ । ମାମଲାରେ ବୁଝାମଣା ଚାହୁଁନଥିବା ପିଟିସନ୍ ମାଧ୍ୟମରେ କୋର୍ଟଙ୍କୁ ଜଣାଇଛନ୍ତି ଅନୁଭବ । ସେପଟେ କୋର୍ଟଙ୍କ ନିଷ୍ପତ୍ତିରେ ସହଯୋଗ କରିବାକୁ ଜଣାଇଥିଲେ ବର୍ଷା । ମାମଲାର ପରବର୍ତ୍ତୀ ଶୁଣାଣି ନେଇ କୌଣସି ତାରିଖ ଧାର୍ଯ୍ୟ କରି ନାହାଁନ୍ତି କୋର୍ଟ । ପୂର୍ବରୁ ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ଆପୋଷ ବୁଝାମଣା ଆଲୋଚନା ପାଇଁ ବିଚାରପତି କହିଥିଲେ ।
ପରିବାର ଅଦାଲତ ବିଚାରପତିଙ୍କ କକ୍ଷରେ ଉଭୟ ଅନୁଭବ ଓ ବର୍ଷା ଉପସ୍ଥିତ ରହି ନିଜନିଜର ମତ ରଖିଥିଲେ। ଆଲୋଚନା ସମୟରେ ଉଭୟ ପକ୍ଷଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ସହମତି ହୋଇପାରି ନଥିଲା। ବର୍ଷା ତାଙ୍କ ବିରୋଧରେ ଏକାଧିକ ଫୌଜଦାରୀ ମାମଲା ରୁଜୁ କରିଥିବା ପ୍ରସଙ୍ଗ ଅନୁଭବ ଉଠାଇଥିଲେ। ବର୍ଷା ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଅନୁଭବଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ କରିଥିଲେ। ଏହାପରେ, ଅନୁଭବ ଏକ ପିଟିସନ ଦାଖଲ କରି ମଧ୍ୟସ୍ଥତା ପ୍ରକ୍ରିୟା ବନ୍ଦ କରି ମାମଲାର ତ୍ବରିତ୍ ଶୁଣାଣି କରାଯାଉ ବୋଲି ଦର୍ଶାଇଥିଲେ। ଅନ୍ୟପକ୍ଷରେ, ଅଦାଲତ ଯାହା ନିର୍ଦ୍ଦେଶ ପ୍ରଦାନ କରିବେ, ତାହା ମାନି ଶୁଣାଣିରେ ସହଯୋଗ କରିବେ ବୋଲି ବର୍ଷା ଦର୍ଶାଇଥିଲେ। ଏଭଳି ସ୍ଥିତିରେ ବିନା କୌଣସି ଫଳାଫଳ ଭିତରେ ମଧ୍ୟସ୍ଥତା ପ୍ରକ୍ରିୟାର ଅନ୍ତ ଘଟିଛି ।
ଫଳରେ, ପରିବାର ଅଦାଲତରେ ମାମଲାର ଶୁଣାଣି ଚାଲିବ। ପୂର୍ବରୁ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିବା ବେଳେ ଆଗକୁ ବର୍ଷାଙ୍କର ସାକ୍ଷ୍ୟ ଗ୍ରହଣ ହେବ। ଅନୁଭବଙ୍କ ତରଫରୁ ତାଙ୍କ ଆଇନଜୀବୀ ବର୍ଷାଙ୍କୁ ଜେରା କରିବେ। ଅନୁଭବଙ୍କ ତରଫରୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର, ଶାଶ୍ବତ ଆଚାର୍ଯ୍ୟ ଏବଂ ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଦାସ ଓ ରାମକୃଷ୍ଣ ରଥ ମାମଲା ପରିଚାଳନା କରୁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୧୪ରେ ବିଚାରପତିଙ୍କ ନିକଟରେ ଉପସ୍ଥିତ ରହି ଅନୁଭବ ଓ ବର୍ଷା ବ୍ୟକ୍ତିଗତ ଭାବେ ନିଜ ମତ ରଖିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/09/Anubhav-Mohanty-Barsha-Priy-1-750x430-1.jpg)