କନକ ବ୍ୟୁରୋ: ମହାନଦୀର ପଛୁଆ ପାଣିରେ ବୁଡିଲା ବରଗଡ ଜିଲ୍ଲାର ବିଭିନ୍ନ ଗାଁ । ଗାଁ ଭିତରେ ପାଣି ପଶିଯାଇଥିବା ବେଳେ ବୁଡି ଯାଇଛି ଶହ ଶହ ଘର । ୪ ଦିନ ହେଲା, ଜଳବନ୍ଦୀ ହୋଇ ରହିଛନ୍ତି, ଅମ୍ବାଭୋନା ବ୍ଲକର ଚିଖିଲି, ଅନ୍ତରାଜି, ବେନିଆପାଲି ଓ ଘୁଘୁରାପାଲି ଗ୍ରାମବାସୀ । ପ୍ରାୟ ୨ ହଜାର ଲୋକ ପାଣି ଘେରର ରହିଛନ୍ତି । ଅନେକ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଘରେ ପାଣି ଜମି ରହିଥିବା ବେଳେ ଜୀବନ ବିକଳରେ ଗ୍ରାମବାସୀ ଘରଦ୍ୱାର ଛାଡି ଡଙ୍ଗା ଯୋଗେ ଆଶ୍ରୟସ୍ଥଳୀକୁ ଚାଲିଯାଉଛନ୍ତି ।

Advertisment

ଅନ୍ୟପଟେ ବନ୍ୟାପାଣିରେ ଘରଦ୍ୱାର ବୁଡ଼ିଯାଇଥିବା ବେଳେ ହେକ୍ଟର ହେକ୍ଟର ଚାଷ ଜମି ନଷ୍ଟ ହୋଇଗଲାଣି । ଚାଷ ଜମିଗୁଡିକରେ ପାଣି ଜମି ରହିଛି । ପରିବା ଚାଷ ପାଇଁ ବେଶ ପରିଚିତ କଟକ ଜିଲ୍ଲାର ଆଠଗଡ଼ ଓ ବାଙ୍କୀ ଅଞ୍ଚଳ । ହେଲେ ଏ ବର୍ଷର ବନ୍ୟା ଏବେ ଆଠଗଡ଼ରେ ଚାଷ ସବୁ ନଷ୍ଟ କରିଦେଇଛି । ୫ ଦିନ ଧରି ଚାଷ ଜମିରେ ୭ରୁ ୮ ଫୁଟ ବନ୍ୟା ପାଣି ଜମି ରହିଛି । କଟକିଆ ସାହି ବନ୍ଧହାଟ ଗାଁରେ ୪୦ ଏକର ଜମିରେ ବାଇଗଣ, ଭେଣ୍ଡି, ପୋଟଳ ଭଳି ପରିବା ଚାଷ କରିଥିଲେ ଚାଷୀ । ପରିବା ତୋଳି ବଜାରକୁ ଆଣିବା ବେଳେ ମହାନଦୀରେ ଆସିଲା ବନ୍ୟା । ଆଉ ଚାଷୀଙ୍କ ଆଖି ସାମ୍ନାରେ ଉଜୁଡିଗଲା ପରିବା ଫସଲ ।

ସେହିପରି ଦେବୀ ନଦୀର ପଛୁଆ ପାଣିରେ କ୍ଷତିଗ୍ରସ୍ତ ହୋଇଛି ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ । ନଗର ପଞ୍ଚାୟତର ଅଳସାହୀ ଦେବୀ ନଦୀ ପାଣିରେ ବୁଡି ରହିଛି । ୪୦ ପରିବାର ପାଣି ଘେରରେ ରହିଛନ୍ତି । ଲୋକେ ପିଲାଛୁଆଙ୍କୁ ଧରି ବିପଦପୂର୍ଣ୍ଣ ଅବସ୍ଥାରେ ଅଣ୍ଟାଏ ପାଣିରେ ଘରେ ଖଟ ଉପରେ ବସି ରହୁଛନ୍ତି । ୪ ଦିନ ହେଲା, ଘରେ ପାଣି ପଶିଯାଇଥିବାରୁ ରୋଷେଇ କରି ହେଉନାହିଁ । ତେଣୁ ଭୋକ ଉପାସରେ ଦିନ କଟୁଛି ।