କନକ ବ୍ୟୁରୋ : ସୌନ୍ଦର୍ଯ୍ୟକରଣ କାମ ପାଇଁ ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠ ଏବେ ଶ୍ରୀହୀନ ହୋଇପଡିଛି । ନୂଆ ନିର୍ମାଣ ପାଇଁ ମନ୍ଦିରର ମୁଖଶାଳା, ପାଚେରୀ ଓ ଚନ୍ଦନ ପୋଖରୀକୁ ଭଙ୍ଗାଯାଇଥିଲା । ଏଥିସହ ମନ୍ଦିର ଆଖପାଖରେ ଥିବା ଦୋକାନ ବଜାର ଭଙ୍ଗାଯାଇଥିଲା । ହେଲେ ଏହାକୁ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ କାମ ଶେଷ ହୋଇପାରନି । ଫଳରେ ଭଗ୍ନ ଅବସ୍ଥାରେ ପଡିରହିଥିବା ମନ୍ଦିର ବେଢାକୁ ନେଇ ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସେପେଟ ମୁକୁଳା ପାଚେରୀ ଯୋଗୁ କୁକୁର ଓ ଗୋରୁଗାଇଙ୍କ ଅବାଧ ପ୍ରବେଶ ନୀତିକାନ୍ତିରେ ସମସ୍ୟା ସୃଷ୍ଟି କରୁଥିବା ସେବାୟତ ଅଭିଯୋଗ କରିଛନ୍ତି ।
ବଜାର ସମ୍ପ୍ରସାରଣ, ଓ ପାର୍କିଂ କାରଣରୁ ୨୦୦୯ରେ ୨୦୦ ଦେକାନ ଭଙ୍ଗାଯାଇଥିଲା । ପରେ ୨୦୧୫ରେ ଏଠାରୁ ବଳଭଦ୍ରଙ୍କ ଦାରୁ ଠାବ ହେବାରୁ ୧୦୦ ଦୋକାନ ଭଙ୍ଗାଯାଇଥିଲା । ୨୦୨୨ରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଆଉ ୨୦୦ ଦୋକାନ ଭଙ୍ଗାଯାଇଥିଲା । ମୋଟ ୫୦୦ ଦୋକାନ ଉଚ୍ଛେଦ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କ ଥଇଥାନ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ । ଯାହାକୁ ନେଇ ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୌନ୍ଦର୍ଯ୍ୟକରଣ କାମ ୧୮ ମାସରେ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା । ହେଲେ କେବେ କାମ ଶେଷ ହେବ ତାକୁ ନେଇ ପ୍ରଶ୍ନ ଉଠିଛି।
ସମସ୍ତଙ୍କ ସ୍ୱାର୍ଥ ଦୃଷ୍ଟିରେ ରଖି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଖୁବଶୀଘ୍ର ସାରିବା ସହ ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ଦାବି ହୋଇଛି ।