କନକ ବ୍ୟୁରୋ : ଦେଶର ମହିଳା ସୁରକ୍ଷା ଓ ଦେଶର ଅତ୍ୟାବଶକୀୟ ସାମଗୀର ଦରବୃଦ୍ଧିକୁ ନେଇ ଲୋକମାନେ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହେଉଥିବା ବେଳେ ବିଜେପି ନେତା ଓ ନେତ୍ରୀଙ୍କ ଅଜବ ବୟାନ ଏବେ ମହିଳାଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ କଟା ଘାରେ ଚୁନ ଦେବା ଭଳି ଲାଗୁଛି ।
ଉତ୍ତରାଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଏବେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବେବିରାଣୀ ମୌର୍ଯ୍ୟ ଏଭଳି ଏକ ବୟାନ ଦେଇଛନ୍ତି ଯେ ଯାହାକୁ ଶୁଣିଲେ ଆପଣ ଭାବିବାକୁ ବାଧ୍ୟ ହେବେ ସରକାର ବି ମହିଳା ସୁରକ୍ଷାକୁ ନେଇ ଭୟଭିତ ଅଛନ୍ତି । ଏକ ସଭାରେ ଭାଷଣ ଦେବା ଅବସରରେ ବେବିରାଣୀ କହିଛନ୍ତି କି ମହିଳାମାନେ କୌଣସି ପରିସ୍ଥିତିରେ ସଂନ୍ଧ୍ୟା ୫ ଟା ପରେ ଏକୁଟିଆ ଥାନାକୁ ଯିବା ଉଚିତ୍ ନୁହେଁ । ଯଦି କିଛି ଜରୁରୀ କାମ ବା ଅଭିଯୋଗ କରିବାର ଥାଏ ତେବେ ସେମାନେ ନିଜ ପରିଜନଙ୍କ ସହିତ ଥାନାକୁ ଯାଆନ୍ତୁ । ବେବିରାଣୀଙ୍କ ଏଭଳି ବୟାନକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ଏପଟେ କହିବା କଥା ଯେ ସରକାର ବି ପୋଲିସର ଚରିତ୍ରକୁ ନେଇ ସନ୍ଦେହରେ ଅଛନ୍ତି । ଯଦି ଜଣେ ମହିଳାଙ୍କ ଉପରେ କିଛି ଆପତ୍ତିଜନକ ଘଟଣା ଘଟୁଛି ଓ ତାହା ସଂନ୍ଧ୍ୟା ବା ରାତିରେ ତେବେ ସେ ନିଜର ସୁରକ୍ଷା ତଥା ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ କରିବାକୁ ନିଜ ପରିଜନ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବ ନା ତୁରନ୍ତ ଥାନାକୁ ଯିବ । ଏଭଳି ପ୍ରଶ୍ନ ତ ନିଶ୍ଚିତ ରହିବ । କାରଣ ସରକାର ମହିଳାମାନଙ୍କୁ ସୁରକ୍ଷା ଦେବାକୁ ପ୍ରତି ଥାନାରେ ମହିଳା ଓ ଶିଶୁ ଡେସ୍କ ପ୍ରସ୍ତୁତ କରିଛନ୍ତି ଓ ପ୍ରତିଥାନାରେ ମହିଳା ପୋଲିସ ନିୟୋଜିତ କରିଛନ୍ତି । ଯଦି ମହିଳା ଜଣଙ୍କ ସଂନ୍ଧ୍ୟା ବା ରାତିରେ ଏକୁଟିଆ ଥାନାକୁ ନଯାଇ ପାରିବ ତେବେ ସରକାର ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ଥାନାରେ ମହିଳା ଓ ଶିଶୁ ବିକାଶ ଡେସ୍କ ପ୍ରସ୍ତୁତ କରିବାର ଆବଶ୍ୟକତା କଣ ?
କହିରଖୁ କି ଏହା ପୂର୍ବରୁ ଉତ୍ତରପ୍ରଦେଶର ଜଣେ ମନ୍ତ୍ରୀ ପେଟ୍ରୋଲ ଓ ଡିଜେଲକୁ ନେଇ ବି ଅଜବ ବୟାନ ଦେଇଥିଲେ । ସେ କହିଥିଲେ କି ଦେଶରେ ୯୫ ପ୍ରତିଶତ ଲୋକ ପେଟ୍ରୋଲ ବ୍ୟବହାର କରୁନାହାଁନ୍ତି ଓ ଦେଶରେ ଏବେ ବି ତୈଳଦର ବହୁତ କମ୍ ରହିଛି । ସେହିଭଳି ଗତକାଲି ଆସାମ ବିଜେପି ଅଧ୍ୟକ୍ଷ କହିଥିଲେ କି ପେଟ୍ରୋଲ ଦର ୨୦୦ ଟଙ୍କା ହେଲେ ସରକାର ବାଇକରେ ୩ ଜଣ ଯିବାକୁ ଅନୁମତି ଦେବେ ।