ପୋଲିସ ବିଭାଗର ଅଜବ ନିୟମ । ଏହି ମନ୍ଦିରରେ ପୂଜାରୀ ପୋଷାକରେ ନିୟୋଜିତ ହେବେ ପୋଲିସ

216

କନକ ବ୍ୟୁରୋ : ଦେଶ ସ୍ୱାଧୀନ ହେବା ପରଠାରୁ ଭାରତବର୍ଷରେ ଯାହା କିଛି ବଦଳୁ ବା ନବଦଳୁ କିନ୍ତୁ ସ୍ଥିର ରହିଛି ପୋଲିସ ପୋଷାକ । ସାରା ଭାରତ ବର୍ଷରେ ପାଖାପାଖି ପୋଲିସ ପୋଷାକ ଗୋଟିଏ ପ୍ରକାରର । କିଛି ରାଜ୍ୟରେ ଆରମ୍ଭରୁ ଏହାର ବ୍ୟତିକ୍ରମ ରହିଛି । ହେଲେ ଏବେ ଉତ୍ତର ପ୍ରଦେଶ ପୋଲିସ ପୋଲିସ ପୋଷାକକୁ ନେଇ କିଛି ପରିବର୍ତ୍ତନ କରିବାକୁ ଯାଉଛି । ବିଶେଷ କରି ବାରଣାସୀରେ ଥିବା କାଶୀ ବିଶ୍ୱନାଥ ମନ୍ଦିରରେ ନିୟୋଜିତ ହୋଇଥିବା ପୋଲିସ କର୍ମୀମାନେ ଏବେ ପୋଲିସ ପୋଷାକ ନୁହେଁ ବରଂ ପୂଜାରୀ ପୋଷାକ ପରିଧାନ କରି ଡୁୃ୍ୟଟି କରିବେ । ଏଠାରେ ନିୟୋଜିତ ହେଉଥିବା ସୁରକ୍ଷା କର୍ମୀ ଗଳାରେ ରୁଦ୍ରାକ୍ଷ, ମଥାରେ ତିଳକ ଓ ଗୈରିକ ବସ୍ତ୍ର ପିନ୍ଧି କାର୍ଯ୍ୟ କରିବେ ।

କାଶୀ ବିଶ୍ୱନାଥ ମନ୍ଦିରରେ ଏବେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଛି । ଏହାର କାରଣ ଭାବେ କୁହାଯାଇଛି କି, ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ କିଛି ସମୟରେ ପୋଲିସ କର୍ମୀଙ୍କ ସହ ଗଣ୍ଡଗୋଳ କରୁଛନ୍ତି । କେବଳ ଗଣ୍ଡଗୋଳ ନୁହେଁ ଶ୍ରଦ୍ଧାଳୁମାନେ ମଧ୍ୟ ପୋଲିସ ସହ ଅସଭ୍ୟ ବ୍ୟବହାର କରୁଛନ୍ତି । ଏହି କଥାକୁ ନଜରରେ ରଖି ବାରଣାସୀ ପୋଲିସ କମିସନର ମୋହିତ ଅଗ୍ରୱାଲ ଏଭଳି ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି କି, ମନ୍ଦିର ଭିତରେ ନିୟୋଜିତ ହେଉଥିବା ପୋଲିସ କର୍ମୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବାର ଆବଶ୍ୟକତା ରହିଛି । ଏହି କ୍ରମରେ କାଶୀ ବିଶ୍ୱନାଥ ମନ୍ଦିରର ଗର୍ଭଗୃହରେ ନିୟୋଜିତ ଥିବା ପୋଲିସକର୍ମୀମାନେ ଏବେ ପୂଜାରୀଙ୍କ ଭଳି ପୋଷାକ ପରିଧାନ କରିବେ ।

ପୋଲିସ କମିଶନର କହିଛନ୍ତି କି ଭକ୍ତମାନେ ବିଶେଷ କରି ପୂଜାରୀଙ୍କୁ ସମ୍ମାନ କରିଥାନ୍ତି । ଏଥିପାଇଁ ଏସବୁ ସ୍ଥାନରେ ପୋଲିସ କର୍ମୀମାନେ ପୂଜାରୀ ପୋଷାକରେ ରହିଲେ ଶ୍ରଦ୍ଧାଳୁମାନେ ସେମାନଙ୍କ ସହ ଅସଭ୍ୟ ବ୍ୟବହାର କରିବେ ନାହିଁ । ହେଲେ ମନ୍ଦିରରେ ନିୟୋଜିତ ଥିବା ସମସ୍ତ ପୂଜାରୀଙ୍କ ପାଇଁ ଏହି ନିୟମ ଲାଗୁହେବ ନାହିଁ । ଏହା କେବଳ ଗର୍ଭଗୃହରେ ନିୟୋଜିତ ପୋଲିସ କର୍ମୀଙ୍କ ପାଇଁ ଲାଗୁ କରାଯିବ ।