କନକ ବ୍ୟୁରୋ : ୨ ମାସ ତଳେ ଆଇଆଇଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ହୋଇଥିବା ଦୁଷ୍କର୍ମ ମାମଲାରେ ସମସ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏହି ୩ ଅଭିଯୁକ୍ତ ବିଜେପି ଆଇଟି ସେଲର କର୍ମୀ ବୋଲି ଜଣାପଡିଛି । ଘଟଣାର ୬୦ ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ବିଜେପିକୁ ଟାର୍ଗେଟ୍ କରିଛନ୍ତି ।

Advertisment

ଏହି ମାମଲାରେ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଅଜୟ ରାୟ କହିଛନ୍ତି କି, ଗିରଫଦାରୀ ବିଳମ୍ବ ନେଇ ସ୍ପଷ୍ଟ ହୋଇସାରିଥିଲା କି, ଅଭିଯୁକ୍ତମାନଙ୍କ ସହ ବିଜେପିର ସଂପର୍କ ରହିଛି । ଅଖିଳେଶ କହିଛନ୍ତି କି, ବିଜେପି ସଂସଦରେ ଏକଛତ୍ରବାଦ ଚଳାଇବା ପରେ ତାଙ୍କ ଦଳର ଶିଷ୍ୟମାନେ ଏବେ ରାଜରାସ୍ତାରେ ଏକଛତ୍ରବାଦ ଚଳାଇଛନ୍ତି ।

ସୂଚନା ଥାଉକି ୨ମାସ ତଳେ ଆଇଆଇଟି ବିଏଚୟୁରେ ଜଣେ ଛାତ୍ରୀଙ୍କୁ ବନ୍ଧୁକ ମୁନରେ କିଛି ଯୁବକ ଉଠାଇ ନେଇଯାଇଥିଲେ । ତା ପରେ ତାଙ୍କୁ ଉଲଗ୍ନ କରି ଭିଡିଓ କରିଥିଲେ ଓ ଦୁଷ୍କର୍ମ କରିଥିଲେ ମଧ୍ୟ । ଏନେଇ ପ୍ରଥମେ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଅସଦାଚରଣ ମାମଲା ରୁଜୁ ହୋଇଥିଲା । ପରେ ଏହି ମାମଲାରେ ସାମୁହିକ ଦୁଷ୍କର୍ମ ଧାରା ଯୋଡା ଯାଇଥିଲା । ପୋଲିସ ଏତେ ଚାପରେ ଥିଲା କି ଘଟଣା ଘଟିବାର ୮ ଦିନ ପରେ ପୀଡିତାଙ୍କ ବୟାନ ରେକର୍ଡ କରିଥିଲା ପୋଲିସ । ଏହାକୁ ନେଇ କ୍ୟାମ୍ପସରେ ଛାତ୍ରଛାତ୍ରୀମାନେ ବଡ ଧରଣର ଆନ୍ଦୋଳନ କରିଥିଲେ ।

ଏସବୁ ଭିତରେ ଗତ ରାତିରେ ବାରଣାସୀ ପୋଲିସ ଏହି ମାମଲାରେ କୃଣାଳ ପାଣ୍ଡେ, ସକ୍ଷମ ପଟେଲ ଓ ଅଭିଶେକ ଚୌହାନଙ୍କୁ ଗିରଫ କରିଛି । ଏହି ୩ଜଣ ଯାକ ବିଜେପି ଆଇଟି ସେଲ ପାଇଁ କାମ କରୁଥିଲେ । ଏସପି ଅତୁଲ ରଞ୍ଜନ କହିଛନ୍ତି କି, ଏହି ମାମଲାର ଏବେ ଯାଂଚ ଜାରି ରହିଛି ।