ରୋଚକ ହେବ ବାରାଣାସୀରେ ୨୪ ଲଢ଼େଇ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବେ କିନ୍ନର ମହାମଣ୍ଡଳେଶ୍ୱର ହିମାଙ୍ଗୀ ସଖୀ ।

2,693

କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ପରେ ମୈଦାନରେ ଅଂଟାଭିଡିଲେଣି ସମସ୍ତ ରାଜନୈତିକ ଦଳର ହେଭିୱେଟ ନେତା । ରାଲି, ରୋଡ୍ ଶୋ ସାଙ୍ଗକୁ ବିଜୟ ରଣକୌଶଳ ନେଇ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଅଭିଯାନ ମଧ୍ୟ ଜୋରଦାର ହେଲାଣି । ଦେଶର ଗୁରୁତ୍ୱପୂର୍ଣ୍ଣ ତଥା ପ୍ରମୁଖ ଆସନ ଗୁଡିକ ମଧ୍ୟରୁ ଉତରପ୍ରଦେଶର ବାରାଣାସୀ ଲୋକସଭା କ୍ଷେତ୍ରରେ ଏଥର ଦେଖିବାକୁ ମିଳିବ ରୋଚକ ଲଢେଇ । ଚଳିତ ନିର୍ବାଚନର ଅନ୍ତିମ ଚରଣରେ ଏହି ଲୋକସଭା ଆସନ ପାଇଁ ଭୋଟ ପଡ଼ିବ । ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଆସନରୁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଅଜୟ ରାୟଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଦୁଇ ହେଭିୱେଟଙ୍କ ବିପକ୍ଷରେ ପ୍ରଥମଥର ଲାଗି କିନ୍ନର ମହାମଣ୍ଡଳେଶ୍ୱର ହିମାଙ୍ଗୀ ସଖୀ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ଅଖିଳ ଭାରତ ହିନ୍ଦୁ ମହାସଭା ପକ୍ଷରୁ ବାରାଣାସୀ ଆସନ ପାଇଁ ହିମାଙ୍ଗୀଙ୍କ ନାଁ ଘୋଷଣା କରାଯାଇଛି ।

ଜାଣନ୍ତୁ କିଏ ଏହି ହିମାଙ୍ଗୀ ସଖୀ
ହିମାଙ୍ଗୀ ସଖୀ କିନ୍ନର ମହାମଣ୍ଡଳେଶ୍ୱର ଭାବେ ଜଣାଶୁଣା । ବେଦ, ଉପନିଷେଦ ଉପରେ ତାଙ୍କର ଅଗାଧ ପାଣ୍ଡିତ୍ୟର ରହିଛି । ୫ଟି ଭାଷା ପଞ୍ଜାବୀ, ମରାଠୀ, ଗୁଜରାଟ. ହିନ୍ଦୀ ଏବଂ ଇଂରାଜୀରେ ଦେଶ ତଥା ଦେଶ ବାହାରେ ଭାଗବତ କଥା ଶୁଣାଇବା ଲାଗି ହିମାଙ୍ଗୀ ବେଶ ପରିଚିତ ।

ଏପ୍ରିଲ ୧୨ରେ ବାରାଣାସୀରେ ବାବା ବିଶ୍ୱନାଥଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ପରେ ପ୍ରଚାର ଅଭିଯାନ ଆରମ୍ଭ କରିବା ନେଇ ସୂଚନା ଦେଇଛନ୍ତି କିନ୍ନର ମହାମଣ୍ଡଳେଶ୍ୱର ହିମାଙ୍ଗୀ ସଖୀ । ପ୍ରଥମ ଥର ଲାଗି ନିର୍ବାଚନୀ ମୈଦାନକୁ ଓହ୍ଲାଉଥିବା ବେଳେ କିନ୍ନର ସମାଜର ସମ୍ମାନ ଓ ଅଧିକାର ପାଇଁ ଲଢେଇ ହେବ ବୋଲି ସେ କହିଛନ୍ତି । କେନ୍ଦ୍ରର ମୋଦି ସରକାର ‘ବେଟି ପଢାଅ, ବେଟି ବଂଚାଓ ନାରା ଦେଇଥିବା ବେଳେ କିନ୍ନର ମାନେ ଅବହେଳିତ ଅବସ୍ଥାରେ ରହିଛନ୍ତି । ଆଜି ବି ବିଭିନ୍ନ ରେଳ ଷ୍ଟେସନ ଓ ରାସ୍ତାଘାଟରେ ଭିକ୍ଷା ବୃତି କରି କିନ୍ନର ମାନେ ପେଟ ପୋଷୁଥିବା ଦେଖିବାକୁ ମିଳେ । ଏସବୁ ସମସ୍ୟା ଦୂର କରିବା ସହ ଲୋକସଭା ଏବଂ ବିଧାନସଭାରେ କିନ୍ନର ମାନଙ୍କୁ ସିଟ୍ ସଂରକ୍ଷଣ ଦେବାକୁ ଲଢେଇ ଜାରି ରହିବ ବୋଲି ହିମାଙ୍ଗୀ କହିଛନ୍ତି ।