ଜ୍ଞାନବ୍ୟାପୀ ମାମଲାରେ ହିନ୍ଦୁପକ୍ଷଙ୍କ ବଡ ବିଜୟ । ଗର୍ଭଗୃହରେ ପୂଜା-ପାଠ କରିବାକୁ ଅନୁମତି । ୧୯୯୩ରୁ ବନ୍ଦ ଥିଲା ପୂଜାର୍ଚ୍ଚନା ।

362

କନକ ବ୍ୟୁରୋ: ଜ୍ଞାନବ୍ୟାପୀ ମାମଲାରେ ବାରଣାସୀର ଜିଲ୍ଲା କୋର୍ଟ ଆଜି ହିନ୍ଦୁ ପକ୍ଷଙ୍କ ସମର୍ଥନରେ ବଡ ରାୟ ଦେଇଛନ୍ତି । ଜ୍ଞାନବ୍ୟାପୀର ବ୍ୟାସ ତହଖାନାରେ ହିନ୍ଦୁ ପକ୍ଷଙ୍କୁ ପୂଜା କରିବାକୁ ଅନୁମତି ଦେଇଛନ୍ତି କୋର୍ଟ । ଏହି ତହଖାନା ମସଜିଦର ତଳେ ଅଛି । ପୂଜା ପାଇଁ ୭ ଦିନ ମଧ୍ୟରେ ବ୍ୟାରିକେଡିଂ ବ୍ୟବସ୍ଥା କରିବାକୁ କୋର୍ଟ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ଏଠାରେ ନିୟମିତ ଭାବେ ପୂଜାର୍ଚ୍ଚନା ହେବ । କାଶୀ ବିଶ୍ୱନାଥ ଟ୍ରଷ୍ଟ ପକ୍ଷରୁ ଏହି ପୂଜାର୍ଚ୍ଚନା କରାଯିବ । ହିନ୍ଦୁପକ୍ଷ ଏହାକୁ ବଡ ବିଜୟ ଓ ୩୦ ବର୍ଷ ପରେ ଏହି ବିଜୟ ମିଳିଛି ବୋଲି କହିଛନ୍ତି ।

ତେବେ ୧୯୯୩ ମସିହା ଯାଏଁ ଏହି ସ୍ଥାନରେ ପୂଜାର୍ଚ୍ଚନା ଚାଲିଥିଲା । ବାରଣାସୀର ଜ୍ଞାନବ୍ୟାପୀ ପରିସରରେ ଥିବା ବ୍ୟାସ ତହଖାନାରେ ପୂଜା ପାଠ କରିବା ପାଇଁ ଅନୁମତି ଦେବାକୁ ଶୈଳେନ୍ଦ୍ର କୁମାର ପାଠକ ନାମକ ଜଣେ ବ୍ୟକ୍ତି ଆବେଦନ କରିଥିଲେ । ଏହାର ଶୁଣାଣି କରି ବାରଣାସୀ ଜିଲ୍ଲା କୋର୍ଟ ଗତକାଲି ରାୟକୁ ସଂରକ୍ଷିତ ରଖିଥିଲେ, ଯାହାର ରାୟ ଆଜି ଆସିଛି । ବ୍ୟାସ ପରିବାର ଏହି ପୂଜାର୍ଚ୍ଚନା କରିବେ । ସୋମନାଥ ବ୍ୟାସଙ୍କ ପରିବାର ୧୯୯୩ ଯାଏଁ ତହଖାନାରେ ପୂଜାର୍ଚ୍ଚନା କରୁଥିଲେ ।

୧୯୯୩ ପରେ ତତକାଳୀନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ତହଖାନାରେ ପୂଜା ବନ୍ଦ ହୋଇଯାଇଥିଲା । ଏହାପରେ ତହଖାନାକୁ ନିଜ ଅଧିନକୁ ନେଇଥିଲେ ୟୁପି ସରକାର । ଏଏସଆଇ ସର୍ଭେ କରିବା ସମୟରେ ତହଖାନାର ସଫା-ସୁତରା କରାଯାଇଥିଲା ।