ବାଣୀବିହାରରେ ଫୁଟିଲା ବୋମା ! ଛାତ୍ରୀ ନିବାସର କାନ୍ଥ ଉପରେ ହେଲା ବୋମାମାଡ

21

କନକ ବ୍ୟୁରୋ : ବାଣୀବିହାରରେ ଫୁଟିଲା ବୋମା । ଆଜି ଅପରାହ୍ନ ପ୍ରାୟ ସାଢେ ୪ଟାରେ ଉତ୍କଳ ବିଶ୍ୱବିଦ୍ୟାଳୟର ୫ ନମ୍ବର ମହିଳା ହଷ୍ଟେଲ ଉପରକୁ ବୋମା ଫିଙ୍ଗିଛନ୍ତି ଦୁର୍ବୃତ୍ତ । ସେପଟେ ଏହାକୁ ନେଇ ଉତ୍ତେଜନା ଭିତରେ ବି ମୁହାଁମୁହିଁ ହୋଇଛନ୍ତି ପୋଲିସ ଓ ଛାତ୍ରଗୋଷ୍ଠୀ । ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟରେ ୧୪୪ ଧାରା ଜାରି ହୋଇଛି ।

ଏହା ପୂର୍ବରୁ ବିଶ୍ୱବିଦ୍ୟାଳୟ ୧ ନମ୍ବର ଗେଟ ନିକଟରେ କିଛି ପ୍ରତିବାଦକାରୀ ଛାତ୍ର ଗୋଷ୍ଠୀ ସହ ପୋଲିସର ଧସ୍ତାଧସ୍ତି ହୋଇଛି । ଗତକାଲି ବାଣୀବିହାରରେ କ୍ୟାମ୍ପସରେ ପଶି କିଛି ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ପୋଲିସର ନିସ୍କ୍ରିୟତାକୁ ଦାୟୀ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ର କଂଗ୍ରେସ ଓ ଏବିଭିପି ସମର୍ଥୀତ ଛାତ୍ର ଗୋଷ୍ଠୀ । ଏହାକୁ ନେଇ ଉତେଜନା ଭିତରେ କ୍ୟାମ୍ପସରେ ୪ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି ।

ପୋଲିସ କମିଶନର ଓ ଡିସିପି ବାଣୀବିହାରରେ ପହଁଚିଛନ୍ତି । ବିଶ୍ୱବିଦ୍ୟାଳୟର ଅଶାନ୍ତ ପରିବେଶ ପରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହା ପଛରେ କୌଣସି ଯୋଜନାବଦ୍ଧ ଷଡଯନ୍ତ୍ର ଅଛି କି? ବିଜେବି କଲେଜ ପରେ ବାଣୀ ବିହାରରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେବ କି?