ଫ୍ରାନ୍ସରୁ ପୁରୀ, ହୃଦୟ ହୋଇଗଲା ଚୋରି... ଓଡିଆ ପୁଅଙ୍କ ପ୍ରେମରେ ପଡିଗଲେ ବିଦେଶିନୀ ।

Advertisment
ଫ୍ରାନ୍ସରୁ ପୁରୀ, ହୃଦୟ ହୋଇଗଲା ଚୋରି... ଓଡିଆ ପୁଅଙ୍କ ପ୍ରେମରେ ପଡିଗଲେ ବିଦେଶିନୀ ।

କନକ ବ୍ୟୁରୋ: ପ୍ରେମର କିଛି ପରିଭାଷା ନାହିଁ କି ଭଲପାଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଭାଷାର ଲୋଡା ପଡେନାହିଁ । ପ୍ରେମ ହଉହଉ ହେଇଯାଏ । ମନ ମିଶୁ ମିଶୁ ମିଶିଯାଏ । ଏଇ ଯେମିତି ବିଦେଶିନୀ ଇସାବେଲଙ୍କ ଭାଷା ନୁହେଁ ବରଂ ଇସାରା ବୁଝି ଇସ୍କରେ ପଡିଗଲେ ଅଶୋକ । ପ୍ରଥମ ଦେଖାରେ ଦିଲ୍ଲୀରେ ଦିଲ୍ ଦିଆନିଆ ହେଲେ, ପ୍ରେମର ପାର୍କରେ ବସି ପାଖାପାଖି ହେଲେ ଆଉ ପରେ ଦୁହେଁ ଦୁହିଁଙ୍କୁ କରିନେଲେ ଜୀବନ ସାଥି । ଦୀର୍ଘ କୋଡିଏ ବର୍ଷ ତଳେ ଦିଲ୍ଲୀର ଛାତି ଉପରେ ଦୁହିଁଙ୍କ ପ୍ରେମର ମୂଳଦୂଆ ପଡିଥିଲା ଆଉ ତାପରେ ଓଡିଆ ପୁଅର ପ୍ରେମରେ ପଡିଥିଲେ ବିଦେଶିନୀ । ଚାଲନ୍ତୁ ପ୍ରେମ ସପ୍ତାହରେ ଶୁଣିବା ଇସାବେଲ- ଅଶୋକଙ୍କ ପ୍ରେମକାହାଣୀ ।

ଇଏ ହେଉଛନ୍ତି ଓଡିଆ ପୁଅ ଅଶୋକ କୁମାର । ନିଜ ଠିକଣା ନିଜର ମନେ ନାହିଁ । ପିଲାବେଳୁ ଅନାଥ ଥିବା ଅଶୋକ ଦିଲ୍ଲୀର ଏକ ହୋଟେଲରେ କାମ କରୁଥିଲେ । ହଠାତ ଦିନେ ଏକ ସଡକ ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଥିଲେ ଇସାବେଲ । ଆଉ ତାଙ୍କର ସେବାଯତ୍ନ କରିଥିଲେ ଅଶୋକ । ବାସ୍ ସେତିକି ବେଳେ ନିଜର ଦରଦୀ ହୃଦୟର ପରିଚୟ ଦେଇଥିବା ଅଶୋକଙ୍କ ପ୍ରେମରେ ପଡିଯାଇଥିଲେ ଇସାବେଲ । ଆଉ ତାପରେ ବିଦେଶିନୀଙ୍କ ହୃଦୟ ପାଲଟିଗଲା ଅଶୋକଙ୍କ ନୂଆ ଠିକଣା । ପ୍ରେମର ପକ୍କାଘର ।

ଅଶୋକଙ୍କୁ ବିବାହ କରିବା ପରେ ସେ ଭାରତୀୟ ନାଗରିକତ୍ୱ ଗ୍ରହଣ କରିଥିଲେ ଏବଂ ପରେ ପରେ ଦିଲ୍ଲୀରେ ନିଜ ସ୍ୱାମୀଙ୍କ ସହ ସଂସାର ଗଢିଥିଲେ । ଭାରତୀୟ ବୋହୂ ଭାବେ ବିଦେଶିନୀ ଜଣଙ୍କ ସାଧାସିଧା ପୋଷାକ ପିନ୍ଧିବାକୁ ପସନ୍ଦ କରୁଥିବା ବେଳେ ହାତରେ ଶଙ୍ଖା, ମଥାରେ ସିନ୍ଦୂର, ପାଦରେ ପାଉଁଜି ସହ ପିନ୍ଧିଛନ୍ତି ଝୁଣ୍ଟିଆ । ଜଗନ୍ନାଥଙ୍କୁ ଭଲପାଉଥିବା ଏବଂ ତାଙ୍କ ଭକ୍ତିରେ ବୁଡିଥିବା ଏ ବିଦେଶିନୀ ଶ୍ରୀକ୍ଷେତ୍ରକୁ ନିଜ ପ୍ରିୟ ସ୍ଥାନ ଭାବିଥିବାରୁ ପୁରୀରେ ଘର କରି ରହିଛନ୍ତି । ଓଡିଆ ବୋହୂ ପରି ସେବି ନିଇତି ସକାଳ ହେବା କ୍ଷଣି ବାଡିରୁ ଫୁଲ ଏବଂ ତୁଳସୀ ତୋଳି ଠାକୁର ଘରେ ପୂଜାର୍ଚ୍ଚନା କରନ୍ତି । ସୂର୍ଯ୍ୟଙ୍କୁ ପାଣି ଅର୍ପଣ କରନ୍ତି... ତେବେ ଓଡିଶା ସଂସ୍କୃତି ଓ ପରମ୍ପରାକୁ ସେ ଧିରେଧିରେ ବୁଝିବାକୁ ଚେଷ୍ଟା କରୁଛନ୍ତି ।

ଦୁହିଁଙ୍କର କେହି ସନ୍ତାନ ନଥିବାରୁ ସେ ପଶୁଙ୍କୁ ବାଣ୍ଟନ୍ତି ନିଜ ସ୍ନେହ ମମତା । କୁକୁର, ବିଲେଇଙ୍କୁ ପିଲା ପରି ପାଳିଥିବା ଏ ବିଦେଶିନୀ ସକାଳ ହେବା କ୍ଷଣି ନିଜ ପାଇଁ କିଛି କରନ୍ତୁ କି ନକରନ୍ତୁ କୁକୁରଙ୍କ ପାଇଁ ଖାଦ୍ୟ ତିଆରି କରନ୍ତି । ଆଉ ସହରର ଗଳିକନ୍ଦି ବୁଲି ସେମାନଙ୍କୁ ଖାଇବାକୁ ଦିଅନ୍ତି । ଏକଦା ବିଦେଶରେ ନର୍ସ ଥିବା ଇସାବେଲ କୁକୁରଙ୍କ ସେବା କରିବାରେ ହେଳା କରନ୍ତିନି । ଏହି ପଶୁଙ୍କ ସେବା କରି ସେ ଖୁସି ପାଆନ୍ତି । ତେବେ ପୁରୀରେ ଦୀର୍ଘ ବର୍ଷ ହେବ ରହିଆସୁଥିବା ଏ ବିଦେଶିନୀ ଚଳିଚ ପଞ୍ଚାୟତ ନିର୍ବାଚନରେ ପ୍ରଚାର କରି ଚର୍ଚ୍ଚାକୁ ଆସିଥିବା ବେଳେ ଭାଲେଣ୍ଟାଇନ୍ସ ୱିକରେ ସାମ୍ନାକୁ ଆସିଛି ସେମାନଙ୍କ ପ୍ରେମ କାହାଣୀ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe