ଦୁର୍ଘଟଣା ଛଡାଇନେଲା ଖୁସି, ତଥାପି ଫିକା ପଡିନି ପ୍ରେମ । ୧୨ ବର୍ଷ ଧରି ସ୍ତ୍ରୀର ସେବା କରୁଛନ୍ତି ଜଣେ ପ୍ରେମର ପୂଜାରୀ । ପଢନ୍ତୁ ନିଆରା ପ୍ରେମକାହାଣୀ...

Advertisment
ଦୁର୍ଘଟଣା ଛଡାଇନେଲା ଖୁସି, ତଥାପି ଫିକା ପଡିନି ପ୍ରେମ । ୧୨ ବର୍ଷ ଧରି ସ୍ତ୍ରୀର ସେବା କରୁଛନ୍ତି ଜଣେ ପ୍ରେମର ପୂଜାରୀ । ପଢନ୍ତୁ ନିଆରା ପ୍ରେମକାହାଣୀ...

କନକ ବ୍ୟୁରୋ: କମ କହିବା, ବେଶି ବୁଝିବା ହିଁ ପ୍ରେମ । କମ ପାଇବା, ବେଶି ହରେଇବା ହିଁ ପ୍ରେମ... ପ୍ରେମରେ ହାରଜିତ ନଥାଏ, ପ୍ରେମରେ ବିଜୟ ପରାଜୟ ନଥାଏ... ସଫଳ ପ୍ରେମ, ବିଫଳ ପ୍ରେମର କିଛି ସଜ୍ଞା ବି ନଥାଏ... ପ୍ରେମ ! କେବଳ ପ୍ରେମ... ଜଣେ ଅନିତା ହେଲେ ଆଉ ଜଣେ ଅନିଲ । ଜଣେ ପ୍ରେମ ହେଲେ ଆଉ ଜଣେ ପରିଭାଷା । ପ୍ରେମ ଯଦି ପାଟି ଖୋଲି ପାରନ୍ତା । ତେବେ କେବଳ ୭ ଦିନିଆ ପର୍ବ କାହିଁକି ଏମାନଙ୍କ ୧୨ ବର୍ଷର ପ୍ରେମ କାହାଣୀ ବଖାଣନ୍ତା ।

publive-image

ବାଲିମେଳାର ଅନିଲ ପଟ୍ଟନାୟକ ଓ ଅନିତା ପଟ୍ଟନାୟକ । ୨୦୦୫ ମସିହାରେ ଦୁହେଁ ଦୁହିଁଙ୍କୁ ବିବାହ କରିଥିଲେ । ସବୁ ଠିକଠାକରେ ଚାଲିଥିଲା, କିନ୍ତୁ ବାହାଘରର ୫ ବର୍ଷ ପରେ ବି ଜୀବନରୁ ଖୁସି ହଜିଗଲା । ୨୦୧୦ ମସିହାରେ ଏକ ସଡକ ଦୁର୍ଘଟଣାରେ ପତ୍ନୀ ଅନିତାଙ୍କ ମେରୁଦଣ୍ଡ ଅକାମୀ ହୋଇଗଲା । ଚେହେରା ନଷ୍ଟ ହୋଇଗଲା । ଯଦିଓ ପ୍ଲାଷ୍ଟିକ ସର୍ଜରୀ ପରେ କିଛି ସୁଧାର ଆସିଛି କିନ୍ତୁ ଡାକ୍ତରଖାନାରେ ଚିକିତ୍ସା କରାଇବା ପରେ ବି ଜମା ଛିଡା ହୋଇପାରିଲେନି ଅନିତା । ଅଣ୍ଟା ତଳକୁ ସବୁକିଛି ଅକାମୀ ହୋଇଗଲା । ଆଉ ତାପରେ ସ୍ୱାମୀ ହିଁ ସାଜିଛନ୍ତି ତାଙ୍କର ଏକମାତ୍ର ଭରସା ।

publive-image

ଓଏଚପିସିରେ ଚାକିରି କରନ୍ତି ଅନିଲ । ଘରେ ସ୍ତ୍ରୀ ଓ ପୁଅ । ଚାକିରିକୁ ଯିବା ପୂର୍ବରୁ ଘରର ସବୁକାମ କରି ଯାଆନ୍ତି ସେ । ସ୍ତ୍ରୀଙ୍କର ବି ଗୋଟି ଗୋଟି ସେବା କରନ୍ତି । ତାଙ୍କୁ ଗାଧୋଇ ଦିଅନ୍ତି, ସଜେଇ ଦିଅନ୍ତି, ଗୋଡରେ ତେଲମାରି ମାଲିସ କରି ଦିଅନ୍ତି, ଏମିତି ଅନେକ ଯତ୍ନ ନିଅନ୍ତି ନିଜ ପତ୍ନୀଙ୍କର । ଏ ପ୍ରେମର ସେବା ଆଜି କାଲିର ନୁହେଁ ୟାରି ଭିତରେ ୧୨ ବର୍ଷ ବିତି ଗଲାଣି । ଆଉ ପ୍ରେମର ଜଣେ ପୂଜକ ନିଜ ହୃଦୟକୁ ହ୍ୱିଲଚେୟାରରେ ରଖି ନିଇତି ତାର ପୂଜା କରୁଛି... ସତରେ କେତେ ତ୍ୟାଗ, କେତେ ଆତ୍ମୀୟତା ଅଛି ଏ ସମ୍ପର୍କରେ...

publive-image

ଦୁର୍ଘଟଣା ପରେ ପତ୍ନୀଙ୍କ ଶରୀର ସିନା ଅକାମି ହୋଇଗଲା ହେଲେ ସ୍ୱାମୀଙ୍କ ହୃଦୟରେ ପ୍ରେମ ବଢିଗଲା । ଆଜି ବି କାନ୍ଥରେ ଟଙ୍ଗା ହୋଇଥିବା ବିବାହ ବେଳର ଫଟୋ ପରି ଜୀବନର ଫ୍ରେମରେ ସେମିତି ସୁରକ୍ଷିତ ସାଇତା ରହିଛି ସେମାନଙ୍କ ପ୍ରେମ । ଆଜି ବି ଟିକେ ଅବସର ପାଇଲେ ନିଜ ପ୍ରାଣପ୍ରିୟାକୁ ପ୍ରେମର ନୂଆ ନୂଆ ଉପହାର ଦେବାକୁ ଭୁଲନ୍ତିନି ଅନିଲ । ସ୍ତ୍ରୀଙ୍କର ଏମିତି ଅବସ୍ଥା ଆଉ ତାଙ୍କ ସେବା କରି କରି କେବେ ବିରକ୍ତି ହୁଅନ୍ତିନି ସେ । ବରଂ ହସି ହସି ନିଜ ପତ୍ନୀଙ୍କ ସେବା କରନ୍ତି । ଏହା ହିଁ ତ ପ୍ରେମ...

publive-image

ନିଜ ଅସହାୟତା ପାଇଁ ଭାଗ୍ୟକୁ ଧିକ୍କାର କରି ଆଖିରେ ଅନେକ ଅବଶୋଷ ରଖୁଥିବା ଅନିତାଙ୍କ ଆଖିରେ ଅନିଲ ସେବାର ଜଣେ ସାକ୍ଷାତ ଈଶ୍ୱର । ଯାହାଙ୍କୁ ପାଇ ସେ ଜୀବନରେ ପୂର୍ଣ୍ଣତା ପାଇଛନ୍ତି । ନହେଲେ ହ୍ୱିଲଚେୟାରରେ ୧୨ ବର୍ଷର ଯାତ୍ରା କିଛି ସହଜ ନୁହେଁ... ପ୍ରେମ ଦିବସରେ ପ୍ରେମୀଯୁଗଳଙ୍କୁ ହୃଦୟରୁ ସଲାମ୍...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe