ପ୍ରେମ ସୀମାହୀନ ସାଗର…. ପ୍ରେମ ଅଢେଇ ଅକ୍ଷରର ଅବୋଲକରା ଆବେଗ । ପ୍ରେମକୁ ଦିନରେ ବାନ୍ଧିହୁଏନା, ପ୍ରେମକୁ ଦେଖିହୁଏନା କି ଦେଖେଇ ହୁଏନା । ପ୍ରେମରେ ରାଗ ବି ପ୍ରେମ, ରୁଷିବା ବି ପ୍ରେମ, ଆଉ ଅଭିମାନ ବି ପ୍ରେମ । ।

ଭାଲେଣ୍ଟାଇନ୍ ଡେ’ରେ ପ୍ରେମକୁ ନେଇ ପଢନ୍ତୁ, ଏହି ଷ୍ଟୋରୀ ପ୍ରେମ କ’ଣ?

296

କନକ ବ୍ୟୁରୋ: କେହି କେହି କହନ୍ତି…ପ୍ରେମକୁ ବର୍ଷ-ମାସ-ଦିନରେ ବାନ୍ଧି ହୁଏନି । ହେଲେ କ୍ୟାଲେଣ୍ଡର ପୃଷ୍ଠାରେ ଫେବ୍ରୁଆରୀ ଆସିଲେ,ସହରରେ ଗୋଲାପ ବିକ୍ରି ବଢିଲେ..କି ରାସ୍ତାରେ ପ୍ରେମିକ ପ୍ରେମିକାଙ୍କ ଭିଡ ଜମିଲେ, ଆପେ ଆପେ ଜଣାପଡେ ପ୍ରେମ ଋତୁ ଆସିଛି । ହଁ…ସେମିତି ଗୋଟେ ଦିନ ତ,  ଭାଲେଣ୍ଟାଇନ୍ ଡେ । ଆଜି ଫେବୃଆରୀ ୧୪- ପ୍ରେମ ଆଉ ପ୍ରେମିକ ପ୍ରେମିକାଙ୍କ ସ୍ୱପ୍ନର ଦିନ ।

ପ୍ରେମିକ, ପ୍ରେମିକାଙ୍କ ମତରେ, ପ୍ରେମର ସଂଜ୍ଞା ବଡ ବିଚିତ୍ର । ପ୍ରେମ ସୀମାହୀନ ସାଗର, ପ୍ରେମ ହୃଦୟର ସନ୍ଧ୍ୟାକାଶରେ ସୁନ୍ଦରୀ ଚାନ୍ଦିନୀଠୁ ଅଧିକ ସୁନ୍ଦର । ପ୍ରେମ ଗୋଟେ ଅଢେଇ ଅକ୍ଷରର ଅବୋଲକରା ଆବେଗ । ଯାହାକୁ ଅନୁଭବ ତ କରିହୁଏ, ହେଲେ ଦେଖି ହୁଏନି କି ଦେଖେଇ ହୁଏନି । ହଁ, ପ୍ରେମ ଆଲ୍ଲା, ପ୍ରେମ ଯୀଶୁ ଆଉ ପ୍ରେମ ହେଉଛି ସାକ୍ଷାତ ଇଶ୍ୱର ।

ତେବେ ପ୍ରେମ କାହାକୁ ବି ହେଇପାରେ, କେତେବେଳେ ବିି ହେଇପାରେ, କେମିତି ବି ହେଇପାରେ । ପ୍ରେମରେ ନାୟକ ବି ପ୍ରେମ, ପ୍ରେମରେ ଖଳନାୟକ ବି ସେଇ ପ୍ରେମ । ପ୍ରେମ ସାହିତ୍ୟ ଭଳି ସରଳ ହେଇପାରେ, ପ୍ରେମ ଗଣିତଠୁ ବି ଅଧିକ ଜଟିଳ ହେଇପାରେ । ପ୍ରେମ ହିସାବ କିତାବ କରି କରାଯାଏନା, କି ପ୍ରେମରେ କାରଣା ଖୋଜାପଡେନା । ପ୍ରେମ ବେବାକ୍ କରାଯାଏ…ହୃଦୟ ଦେଇ କରାଯାଏ…ଏକପାଖିଆ ବି କରାଯାଏ…

କହନ୍ତି, ଯିଏ ଯାହାକୁ ପ୍ରେମ କରେ, ତା ଉପରେ ସେ ରାଗେ, ରୁଷେ ଆଉ ଅଭିମାନ କରେ । ଆଉ ସବୁଠୁ ବେଶି ସମ୍ମାନ ବି ତାକୁ ହିଁ କରେ । ପ୍ରେମରେ ପ୍ରେମିକର ରାଗ ବି ପ୍ରେମ । ପ୍ରେମିକାରେ ଅଭିମାନ ବି ପ୍ରେମ । ପ୍ରେମିକା ଆଖିର ଚାହାଣୀ ହେଉ କି ପ୍ରେମିକର ରାଗ ତମତମ ଲାଲ୍ ଆଖି । ସେ ସବୁକିଛି ପ୍ରେମର ପୁସ୍ତକରେ ଗୋଟେ ଗୋଟେ ମଧୁର ପୃଷ୍ଠା । ଦୁଇ ପ୍ରେମ ପକ୍ଷୀଙ୍କ ରାଗ, ରୁଷା, ଅଭିମାନ, ଆକର୍ଷଣର ଫେଣ୍ଟାଫେଣ୍ଟି ରୂପର ନାଁ ହିଁ ତ ପ୍ରେମ…

ପ୍ରେମର ପ୍ରକାର ବି ବଡ ନିଆରା, ପ୍ରେମ ଦୁଇପଟରୁ ହୁଏ, ଏକପାଖିଆ ହୁଏ, ଏକାଧିକ ବି ହୁଏ । ବୋଧହୁଏ,ଏକପାଖିଆ ପ୍ରେମ ଉପରେ ପ୍ରେମିକର ହକ୍ ବେଶି ଥାଏ । ଆଉ ଦୁଇ ପାଖିଆ ପ୍ରେମ – ହଁ, ପ୍ରେମିକ/ପ୍ରେମିକା ତ ପ୍ରେମକୁ ପୂର୍ଣ୍ଣତା ଦିଅନ୍ତି, ପ୍ରେମର ନିର୍ଜୀବ ପ୍ରାଣରେ ଜୀବନ ଭରନ୍ତି । ପ୍ରଥମ ପ୍ରେମ ସମସ୍ତଙ୍କ ଜୀବନରେ ଗୋଟେ ନିଆରା ଅନୁଭୂତି । ପ୍ରଥମ ପ୍ରେମ ପ୍ରେମ ନୁହେଁ, ଗୋଟେ ସୁନ୍ଦର ଅନୁଭୂତି । କହନ୍ତି, ଯାହା ଜୀବନରେ ଥରେ ପ୍ରେମ ଆସିନି,ସେ ଜୀବନ କଣ ଜାଣିନି, ଜୀବନକୁ ଜିଇବା ଶିଖିନି ।

ପ୍ରତିବର୍ଷ ଫେବୃଆରୀ ଆସେ…ପ୍ରତିବର୍ଷ ରୋଜ୍ ଡେ,ଚକଲେଟ୍ ଡେ, ପ୍ରମିଜ୍ ଡେ ଡେଇଁ, ଭାଲେଣ୍ଟାଇନ୍ ଡେ’ ଆସେ । ଆମେ ପ୍ରେମର ସପ୍ତାହ ପାଳୁ, ପ୍ରେମଋତୁକୁ ପର୍ବ ଭାବେ ବିତାଉ । ହେଲେ ସେ ସବୁ ପରେ ବି, ପ୍ରେମକୁ ଏ ମାସ ଆଉ ଦିନ କେଇଟା ବାନ୍ଧିବା ବୋଧହୁଏ ସହଜ ନୁହେଁ । ପ୍ରେମ ଗୋଟେ ଅପୂର୍ବ ଅନୁଭବ, ପ୍ରେମ ଗୋଟେ ଅକୁହା ଆନନ୍ଦ । ପ୍ରେମ ଜାଣି ଜାଣି ଅଜଣା ହେବାର ଅଭିନୟ । ସବୁକିଛି କହି, କିଛି ନକହିବାର ଛଳନା ହିଁ ପ୍ରେମ । ତେଣୁ ଆସନ୍ତୁ, ପ୍ରେମର ଦିନରେ ଆମେ, ହୃଦୟ ଦେଇ ପ୍ରେମ କରିବା, ବେବାକ୍ ପ୍ରେମ କରିବା ।