ଲୁଡୁ ଖେଳର ଲୋମଟାଙ୍କୁରା କାହାଣୀ । ଲକଡାଉନରେ ସମୟ ଅତିବାହିତ କରିବାକୁ ଅନଲାଇନ୍ ଲୁଡୁ ଖେଳୁଥିଲେ ସ୍ୱାମୀ-ସ୍ତ୍ରୀ । ପତ୍ନୀଙ୍କ ପାଖରୁ ବାରମ୍ବାର ହାରିବା ପରେ ହଠାତ୍ ରାଗିଗଲା, ମାଡ଼ମାରି ମେରୁଦଣ୍ଡ ଭାଙ୍ଗିଦେଲା ନିଷ୍ଠୁର ସ୍ୱାମୀ

6,682

କନକ ବ୍ୟୁରୋ: ଲୁଡୁ ଖେଳର ଲୋମ ଟାଙ୍କୁରା କାହାଣୀ । ହାରିବା ପରେ ସ୍ତ୍ରୀକୁ ପିଟିଲା ସ୍ୱାମୀ । ନିସ୍ତୁକ ମାରିଲେ, ମେରୁଦଣ୍ଡ ଭାଙ୍ଗିଦେଲେ । ଲକଡାଉନ ସମୟରେ ବଢୁଛି ଘରୋଇ ହିଂସା । ସମସ୍ତେ ଘରେ ରହୁଥିବାରୁ ସମ୍ପର୍କ ମିଠା ହେବା ପରିବର୍ତ୍ତେ ଅନେକଙ୍କ ପାରିବାରିକ ଜୀବନରେ ଦେଖାଦେଉଛି ତିକ୍ତତା । କେଉଁଠି ବାପା-ପୁଅ ମଧ୍ୟରେ ମନୋମାଳିନ୍ୟ ହେଉଛି ? ତ କେଉଁଠି ଶାଶୁ-ବୋହୂ ମଧ୍ୟରେ ଝଗଡା ହେଉଛି ? ତ ପୁଣି କେଉଁଠି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଉଛି ସାଙ୍ଘାତିକ ମାରପିଟ । ତାଲାବନ୍ଦ ବେଳେ ଦେଶର ବିଭିନ୍ନ ସ୍ଥାନରୁ ଘରୋଇ କଳିର କରୁଣ କାହାଣୀ ଆସୁଥିବା ବେଳେ ଗୁଜୁରାଟ ବଡୋଦରାରୁ ଆସିଛି ଲୁଡୁ ଖେଳର ଲୋମ ଟାଙ୍କୁରା କାହାଣୀ ।

ତାଲାବନ୍ଦ ବେଳେ ସମୟ ଅତିବାହିତ କରିବାକୁ ସ୍ୱାମୀ-ସ୍ତ୍ରୀ ଦୁହେଁ ଲୁଡୁ ଖେଳକୁ ମାଧ୍ୟମ କରିଥିଲେ । ଖେଳ ଆରମ୍ଭରୁ ସବୁ ଠିକ ଠାକ ଥିଲା । ପ୍ରଥମ ବାଜିରେ ସ୍ୱାମୀ ସ୍ତ୍ରୀ ଠାରୁ ହାରି ଯାଇଥିଲେ । ଗୋଟିଏ ବାଜି ହାରିବା ପରେ ଆରମ୍ଭ ହୋଇଥିଲା ଆଉ ଏକ ବାଜି । ମୋବାଇଲ ସ୍କ୍ରିନ ଉପରେ ଚାଲିଥିଲା ସ୍ୱାମୀ-ସ୍ତ୍ରୀ ସମ୍ପର୍କର ହାର-ଜିତ୍ ଖେଳ । କେବେ ସ୍ୱାମୀଙ୍କ ହାତରୁ ପଡୁଥିଲା ଛ, ଚାରିର ଦାନା ତ ଆଉ କେବେ ସ୍ତ୍ରୀଙ୍କ ରଣନୀତି ଆଗରେ ମାତ ଖାଉଥିଲା ସ୍ୱାମୀଙ୍କ ସବୁ ଚାଲ ।

ତେବେ ଲୁଡୁ ପଟା ଉପରେ ସ୍ତ୍ରୀଙ୍କ ଚତୁର ଚାଳନା ଆଗରେ ବାରମ୍ବାର ହାରୁଥିଲେ ସ୍ୱାମୀ । ଗୋଟିଏ କି ଦୁଇଟି ନୁହେଁ ଲଗାତାର ଚାରି ଚାରିଟି ବାଜି ସ୍ତ୍ରୀଙ୍କ ଠାରୁ ହାରିବା ପରେ ରାଗରେ ପଞ୍ଚମ ହୋଇଥିଲେ ସ୍ୱାମୀ । ଆଉ ହାରିବା ରାଗକୁ ନିଜ ସ୍ତ୍ରୀ ଉପରେ ଶୁଝାଇଥିଲେ । ପରିସ୍ଥିତି ଏତେ ଭୟଙ୍କର ହୋଇଗଲା ଯେ ନିଷ୍ଠୁର ସ୍ୱାମୀ ସ୍ତ୍ରୀକୁ ପିଟି ପିଟି ମେରୁଦଣ୍ଡ ଭାଙ୍ଗିଦେଲେ । ତେବେ ରାଗ ଉତୁରିବା ପରେ ନିଜ ୨୪ ବର୍ଷୀୟା ସ୍ତ୍ରୀକୁ ମେଡିକାଲ ନେଇଥିଲେ ସ୍ୱାମୀ । ହେଲେ ଖେଳକୁ ନେଇ ସୈତାନ ସାଜିଥିବା ସ୍ୱାମୀ ପାଖକୁ ଫେରିବାକୁ ସିଧା ସିଧା ମନା କରିଥିଲେ ଗୁରୁତର ସ୍ତ୍ରୀ । ମାତ୍ର ସ୍ୱାମୀ ନିଜ ଭୁଲ ପାଇଁ କ୍ଷମା ମାଗିବା ପରେ ଥାନାରେ ଅଭିଯୋଗ କରିନଥିଲେ ପତ୍ନୀ ।

ଲକଡାଉନରେ ସମୟ ଅତିବାହିତ କରିବାକୁ କିଏ କେତେ ପ୍ରକାର ପନ୍ଥା ଆପଣାଉଛି । ରାମାୟଣ, ମହାଭାରତ ଦେଖି କିଛି ଲୋକ ସମୟ ବିତାଉଥିବା ବେଳେ ଯୁବପିଢି ପପଜୀ ପରି ମୋବାଇଲ ଗେମ କିମ୍ବା ସିନେମା, ୱେବସିରିଜ ଦେଖି ସମୟ ବିତାଉଛନ୍ତି । ଅନେକ ଲୋକ ଅନଲାଇନରେ ଲୁଡୁ ଖେଳି ବି ଟାଇମ ପାସ୍ କରୁଛନ୍ତି । ତେବେ ତାଲାବନ୍ଦ ବେଳେ ଘରୋଇ ହିଂସା କମାଇବାକୁ ସରକାର ପୋଲିସକୁ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଖେଳ ସମୟରେ ହିଂସା ନୁହେଁ ବରଂ ଖେଳକୁ ଖେଳ ଭାବି ଭୁଲିଗଲେ ଗୁଜୁରାଟ କାହାଣୀର ପୁନରାବୃତ୍ତି ହୁଅନ୍ତାନି ।