ଏପ୍ରିଲ ମାସରେ ଛୁଟିଦିନ ମାନଙ୍କରେ ମଧ୍ୟ ଟିକାକରଣ କରିବାକୁ ରାଜ୍ୟମାନଙ୍କୁ ଚିଠି ଲେଖିଲା କେନ୍ଦ୍ର

93

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କରୋନା ଟିକାକରଣର ତୃତୀୟ ପର୍ଯ୍ୟାୟ। ଦେଶରେ ୪୫ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଟିକା ଦିଆଯାଉଛି। ତେବେ ଟିକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲେ ମଧ୍ୟ ଦେଶର ଅନେକ ରାଜ୍ୟରେ ଏବେ ସଂକ୍ରମଣ ବଢ଼ିବାରେ ଲାଗିଛି। ନୂଆ ଷ୍ଟ୍ରେନ ଚିହ୍ନଟ ହେବା ସହ ଲୋକେ କରୋନା କଟକଣା ମାନୁନଥିବାରୁ ସଂକ୍ରମଣ ବଢ଼ୁଛି। ଏହାକୁ ଆଖି ଆଗରେ ରଖି ଟିକାକରଣକୁ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ମାସରେ ଛୁଟିଦିନ ମାନଙ୍କରେ ମଧ୍ୟ ଟିକାକରଣ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର।

ମାର୍ଚ୍ଚ ୩୧ରେ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ସହିତ ବିସ୍ତୃତ ଆଲୋଚନା ପରେ କେନ୍ଦ୍ର ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଟିକାକରଣର ଗତି ବଢ଼ାଇବା ସହ ଅଧିକରୁ ଅଧିକ ଲୋକଙ୍କୁ ଶୀଘ୍ର ଟିକା ଦେବାକୁ ସରକାରୀ ତଥା ବେସରକାରୀ ସ୍ତରରେ ସମସ୍ତ କୋଭିଡ-୧୯ ଟିକାକରଣ କେନ୍ଦ୍ରକୁ ଉପଯୁକ୍ତ ଭାବରେ ଉପଯୋଗ କରିବା ହେଉଛି କେନ୍ଦ୍ରର ଲକ୍ଷ୍ୟ।

ଚଳିତ ବର୍ଷ ଜାନୁୟାରି ୧୬ରେ ଭାରତର ଟିକାକରଣ ଅଭିଯାନ ଆରମ୍ଭ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ କେବଳ ସ୍ୱାସ୍ଥ୍ୟ କର୍ମୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀମାନେ ଟିକାକରଣ ପାଇଁ ଯୋଗ୍ୟ ହୋଇଥିଲେ। ପ୍ରଥମ ପର୍ଯ୍ୟାୟରେ ଟିକାକରଣ ମୂଲ୍ୟ ଭାରତ ସରକାର ବହନ କରିଥିଲେ। ଏହା ପରେ ଦ୍ବିତୀୟ ପର୍ଯ୍ୟାୟରେ ୬୦ରୁ ଉର୍ଦ୍ଧ୍ବ ଏବଂ ଅନ୍ୟ ଗମ୍ଭୀର ଶାରୀରିକ ସମସ୍ୟ ଥିବା ୪୫ବର୍ଷୀୟ ବ୍ୟକ୍ତିଙ୍କୁ କରୋନା ଟିକା ଦେବାର ବ୍ୟବସ୍ଥା କରାଯାଇଥିଲା। ଆଜି ଟିକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଟିକାକରଣକୁ ପୂର୍ବ ଅପେକ୍ଷା ଆହୁରି ତ୍ବରାନ୍ବିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର।