ଦିଲ୍ଲୀ ସରକାରଙ୍କ ବଡ ଘୋଷଣା । ବିନା ପଞ୍ଜିକରଣରେ ଟିକା ନେଇ ପାରିବେ ୪୫ ବର୍ଷରୁ ଉର୍ଦ୍ଧ ବୟସ୍କ ଲୋକ । ସରକାରୀ ସ୍କୁଲ ହେବ ଟିକାକରଣ କେନ୍ଦ୍ର

175

କନକ ବ୍ୟୁରୋ : କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହରି ମଧ୍ୟରେ ଦିଲ୍ଲୀରେ ଜାରି ରହିଛି ଟିକାକରଣ । ଟିକାକରଣ ପ୍ରକ୍ରିୟାକୁ ଆହୁରି ସରଳ କରିବାକୁ ଦିଲ୍ଲୀ ସରକାର ଏକ ବଡ ଘୋଷଣା କରିଛନ୍ତି । ଏବେ ଦିଲ୍ଲୀରେ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ନେବା ପାଇଁ ଆଉ ଅନଲାଇନ୍ ପଞ୍ଜିକରଣର ଆବଶ୍ୟକତା ପଡିବ ନାହିଁ । ଅର୍ଥାତ ଟିକା ନେବାକୁ ହେଲେ ସିଧା ଟିକାକରଣ କେନ୍ଦ୍ରକୁ ଯାଇ ସେଠାରେ ପଞ୍ଜିକରଣ କରିବା ପରେ ଟିକା ନେଇପାରିବେ ।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିଶୋଦିଆଙ୍କ କହିବା ମୁତାବକ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି କି, ମେଡିକାଲ ନିକଟରୁ ଟିକାକରଣ କେନ୍ଦ୍ରକୁ ଉଠାଇ ଆଣି ସରକାରୀ ସ୍କୁଲରେ ଟିକା ଦିଆଯିବ । ଦିଲ୍ଲୀରେ ମେ ୩ ତାରିଖରୁ ସରକାରୀ ସ୍କୁଲ ମାନଙ୍କରେ ୧୮ ରୁ ୪୪ ବର୍ଷ ବୟସ୍କ ଲୋକଙ୍କୁ ଟିକା ଦିଆ ହେଉଛି । ଏହାଦ୍ୱାରା ଅଧିକ ଲୋକ ସହଜରେ ଟିକା ନେଇପାରୁଥିବାରୁ ଏବେ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମଧ୍ୟ ସରକାରୀ ସ୍କୁଲରେ ଟିକାକରଣ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହାସହ ଦିଲ୍ଲୀରେ ଖୁବଶୀଘ୍ର ଟିକାକରଣ କେନ୍ଦ୍ର ବୃଦ୍ଧି କରିବାକୁ ସିଶୋଦିଆ କହିଛନ୍ତି । ଦିଲ୍ଲୀରେ ପ୍ରତି କୋଣ ଅନୁକୋଣରେ ଟିକାକରଣ କେନ୍ଦ୍ର ଖୋଲାଯିବ । ଯାହାଦ୍ୱାରା ସହଜରେ କମ ସମୟ ମଧ୍ୟରେ ଅଧିକ ଲୋକ ଟିକା ନେଇପାରିବେ । ଦୈନିକ ୩ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ପ୍ରସ୍ତୁତି ଚାଲିଥିବା କଥା ସେ କହିଛନ୍ତି ।

ମନିଷ ସିଶୋଦିଆଙ୍କ କହିବା ମୁତାବକ ଦିଲ୍ଲୀରେ ୪୫ ବର୍ଷରୁ ଅଧିକ ବୟସ୍କ ୫୭ ଲକ୍ଷ ଲୋକ ଥିବା ବେଳେ ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୨୨ ଲକ୍ଷ ଲୋକଙ୍କୁ ଟିକା ଦିଆ ସରିଛି । ଏହାସହ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି କି ଦିଲ୍ଲୀକୁ ଆବଶ୍ୟକ ପଡୁଥିବା ଟିକା ଖୁବଶୀଘ୍ର ପ୍ରଦାନ କରାଯାଉ । ଫଳରେ ସମସ୍ତ ଦିଲ୍ଲୀବାସୀଙ୍କୁ ଟିକା ଦିଆଯାଇ ପାରିବ   ।