ଟିକା ଅଭାବକୁ ନେଇ ରାଜନୀତି । ପାତରଅନ୍ତର ଅଭିଯୋଗ ଆଣିଲେ ମହାରାଷ୍ଟ୍ର ସରକାର । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର କହିଲେ, ପରିଚାଳନାରେ ତ୍ରୁଟି ଯୋଗୁଁ ମହାରାଷ୍ଟ୍ରରେ ନଷ୍ଟ ହେଉଛି ଟିକା

93

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ କୋଭିଡ ଟିକାକୁ ନେଇ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ଓ କେନ୍ଦ୍ର । ଯେଉଁ ଦେଶ ବାହାର ରାଷ୍ଟ୍ର ଗୁଡିକୁ ଟିକା ଯୋଗାଇଛି ଏବେ ସେହି ଦେଶରେ କଣ ଟିକାର ଅଭାବ ଦେଖାଦେଇଛି କି? ବିଭିନ୍ନ ରାଜ୍ୟରୁ ଟିକାର ଅଭାବ ନେଇ ଅଭିଯୋଗ ହେବା ପରେ ଏପରି ପ୍ରଶ୍ନ ଉଠିଛି । ଦେଶରେ ସବୁଠୁ ଅଧିକ ସଂକ୍ରମିତ ମହାରାଷ୍ଟ୍ରରୁ ପ୍ରଥମେ ପର୍ଯ୍ୟାପ୍ତ ପରିମାଣର ଟିକା ଉପଲବ୍ଧ ନଥିବା ନେଇ ଅଭିଯୋଗ ଆସିଲା ।

ମହାରାଷ୍ଟ୍ରରେ ପ୍ରତିଦିନ ୪ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଥିବା ବେଳେ ଏବେ ଡୋଜ ସରିବା ଉପରେ । ବିଏମସି ଅନୁଯାୟୀ ମୁମ୍ବାଇକୁ ଗୁରୁବାର ଦିନ ଟିକା ଯୋଗାଣ ନହେଲେ ଶୁକ୍ରବାର ଦିନ ଟିକାକରଣ କେନ୍ଦ୍ର ବନ୍ଦ କରିବାକୁ ପଡିବ । ଏଠାରେ ଥିବା ୧୨୦ଟି କେନ୍ଦ୍ରରୁ ୭୩ଟି ଘରୋଇ କେନ୍ଦ୍ର । ଟିକା ଉପଲବ୍ଧ ନଥିବାରୁ ୨୬ଟି ବନ୍ଦ ହୋଇଯାଇଥିବାରୁ ଶୁକ୍ରବାର ଦିନ ଆଉ ୨୨ଟି କେନ୍ଦ୍ର ବନ୍ଦ କରିବାକୁ ପଡିବ । ସେହିପରି ଟିକା ଯୋଗାଇ ନଦେଲେ ୨୫ଟି ଘରୋଇ ଟିକାକରଣ କେନ୍ଦ୍ରକୁ ଏପ୍ରିଲ ୧୦ତାରିଖରେ ବନ୍ଦ କରିବାକୁ ପଡିବ ।

ମହାରାଷ୍ଟ୍ରରେ ଟିକା ଅଭାବ ନେଇ ଉଦ୍ଧବ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଶୀଘ୍ର କୋଭିଡ ଟିକା ଯୋଗାଇ ଦେବା ପାଇଁ ଦାବି କରିଥିଲେ । ଏଥିରେ କ୍ଷୋଭ ପ୍ରକାଶ କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଟିକାର ଅଭାବ ନାହିଁ ମହାରାଷ୍ଟ୍ର ସରକାର ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଏପରି କଥା କହୁଛନ୍ତି ।

ସେପଟେ ଆନ୍ଧ୍ରପ୍ରଦେଶ ତୁରନ୍ତ ୧କୋଟି ଟିକା ଯୋଗାଇବା ପାଇଁ କେନ୍ଦ୍ରକୁ ଲେଖିଛି । ପ୍ରତିଦିନ ଆନ୍ଧ୍ରରେ ପ୍ରାୟ ୧ଲକ୍ଷ ୩୦ହଜାର ଟିକାକରଣ କରାଯାଉଥିବା ବେଳେ ୩ଲକ୍ଷ ୭୦ହଜାର ଟିକା ଉପଲବ୍ଧ ରହିଛି । ଝାଡଖଣ୍ଡ ମଧ୍ୟ ୫ଲକ୍ଷ କୋଭିଡ ଟିକାର ଡୋଜ ପଠାଇବା ପାଇଁ କେନ୍ଦ୍ରକୁ ଲେଖିଛି । ସେଠାରେ ଲୋକଙ୍କୁ ଟିକାର ଦ୍ୱିତୀୟ ଡୋଜ ମିଳିପାରୁନାହିଁ । ସେପଟେ ଓଡ଼ିଶା ସରକାର କହିଛନ୍ତି ୨ ଦିନ ଭିତରେ ସରିଯିବ ଟିକା । ଗୁରୁବାର ସନ୍ଧ୍ୟା ସୁଦ୍ଧା ଟିକା ନ ଆସିଲେ ଶନିବାର ଟିକାକରଣ ବନ୍ଦ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

ମହାରାଷ୍ଟ୍ର, ଦିଲ୍ଲୀ ଓ ରାଜସ୍ଥାନ ସରକାର ଦାବି କରିଛନ୍ତି ଯେ ୨୫ବର୍ଷରୁ ଅଧିକ ସମସ୍ତଙ୍କୁ ଟିକାକରଣ କରାଯିବାର ଆବଶ୍ୟକତା ରହିଛି । କିନ୍ତୁ କେନ୍ଦ୍ର ସରକାର କହିଛନ୍ତି ଯେ, ଆବଶ୍ୟକତା ଅନୁୟାୟୀ ଟିକାକରଣ କରାଯିବ ।  ଟିକାକରଣକୁ ନେଇ ବିଭିନ୍ନ ରାଜ୍ୟ ନିଜ ଅଭିଯୋଗ ବାଢିଚାଲିଥିବା ବେଳେ କେନ୍ଦ୍ର ସରକାର ରାଜ୍ୟ ଗୁଡିକ ନିଜ ନିଜର ଦୋଷ ଦୁର୍ବଳତା ଗଣାଇବାରେ ବ୍ୟସ୍ତ । ସମସ୍ତେ ପରସ୍ପର ଉପରେ ଦୋଷ ଲଦିବାରେ ଲାଗିପଡିଛନ୍ତି ।