କନକ ବ୍ୟୁରୋ : ତୃତୀୟ ଲହରକୁ ମାତ ଦେବାକୁ ହେଲେ ଅଧିକରୁ ଅଧିକ ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ଏଥିପାଇଁ ସାରାଦେଶରେ ଜୁନ୍ ୨୧ରେ କ୍ୟାମ୍ପେନ ମୋଡରେ ଟିକାକରଣ କରାଯାଇଥିଲା । କିନ୍ତୁ ଏବେ ଟିକା ଅଭାବ ଏହି ଅଭିଯାନକୁ ବାଟବଣା କରି ଦେଇଛି । ଦୁଇ ଦିନ ହେଲା ଟିକା ଅଭାବରୁ ରାଜ୍ୟର ମାତ୍ର ଅଳ୍ପ କେତୋଟି କେନ୍ଦ୍ରରେ ଟିକା ଦିଆଯାଉଛି । ଏବଂ ଟିକାକୁ ଅପେକ୍ଷା କରିଛି ସାରା ଓଡିଶା । ଠିକ୍ ସମୟରେ ଟିକା ନଆସିଲେ, ସମସ୍ୟା ସୃଷ୍ଟି କରିବ ।
ଓଡ଼ିଶା ଟିକାକରଣ
ତାରିଖ ଟିକାକେନ୍ଦ୍ର ଟିକାକରଣ
ଜୁନ ୨୧ ୧୬୧୩ ୩,୩୨,୭୧୭
ଜୁନ ୨୩ ୧୫୯୮ ୩,୨୪,୯୪୭
ଜୁନ ୨୬ ୧୧୪୨ ୨,୪୪,୨୫୦
ଜୁନ ୩୦ ୨୨୩ ୪୯,୬୩୭
ଜୁଲାଇ ୧ ୧୧୪ --
ଜୁନ ୨୧ ତାରିଖରେ ଆରମ୍ଭ ହୋଇଥିଲା କରୋନା ଟିକାକରଣର ସବୁଠୁ ବଡ଼ ଅଭିଯାନ । ଦୈନିକ ୩ ଲକ୍ଷ ଟିକା ଦେବା ପାଇଁ ଲକ୍ଷ୍ୟ ରଖିଥିଲେ ରାଜ୍ୟ ସରକାର । ତେବେ ଏହି ବଡ଼ ଟିକା ଅଭିଯାନ କିପରି ଗତି କରିଥିଲା, ଏହି ଟେବୁଲକୁ ଦେଖିଲେ ଆପଣ ଜାଣିପାରିବେ । ଗତ ୧୧ ଦିନ ମଧ୍ୟରେ ମାତ୍ର ୨ ଥର ରାଜ୍ୟରେ ୩ ଲକ୍ଷ ଟପିଥିଲା ଟିକାକରଣ । ଜୁନ ୨୧ ରେ ୧୬୧୩ ଟି କେନ୍ଦ୍ରରେ ଟିକାକରଣ ହୋଇଥିଲା । ୩ ଲକ୍ଷ ୩୨ ହଜାର ୭୧୭ ଡୋଜ୍ ଦିଆଯାଇଥିଲା । ଏହା ପରେ ଟିକାକରଣ କମି ଚାଲିଥିଲା ।
ସେପଟେ ବରିଷ୍ଠ ସାମ୍ବାଦିକ ପ୍ରଣୟ ରୟଙ୍କ ଏହି ଟ୍ୱିଟ୍ ଚର୍ଚ୍ଚାକୁ ଆସିଛି । ଯାହା ସ୍ପଷ୍ଟ ଦର୍ଶାଉଛି, ଦେଶରେ କିପରି ବାଟବଣା ହୋଇଛି ଟିକାକରଣ । ଏ ହେଉଛି ଜୁନ ୨୧ ତାରିଖ ପରେ ଟିକାକରଣ କିପରି ହ୍ରାସ ପାଇଛି ତାର ଚିତ୍ର । ଦିନକୁ ଦିନ ଟିକାକରଣ କମିବାରେ ଲାଗିଛି । କରୋନା ତୃତୀୟ ଲହରର ପ୍ରସ୍ତୁତି ଉପରେ ଏହା ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ।
ଦେଶର ଟିକାକରଣ
ତାରିଖ ଟିକାକରଣ
ଜୁନ ୨୧ ୯୦.୯ ଲକ୍ଷ
ଜୁନ ୨୪ ୬୦.୭ ଲକ୍ଷ
ଜୁନ ୨୭ ୧୭ ଲକ୍ଷ
ଜୁନ ୩୦ ୨୭.୫ ଲକ୍ଷ
କରୋନା ବିରୋଧୀ ଲଢ଼େଇରେ ପ୍ରମୁଖ ଅସ୍ତ୍ର ହେଉଛି ଟିକା । ତୃତୀୟ ଲହର ଆଶଙ୍କା ଏଡାଇବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବ୍ୟାପକ ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି । ହେଲେ ଟିକା ଅଭାବ, କରୋନା ମୁକାବିଲାକୁ ବାଟବଣା କରିଦେଇକ୍ତି ।
ଟିକା ଅଭାବ ଯୋଗୁଁ ୨ ଦିନ ହେବ ରାଜ୍ୟରେ ଟିକାକରଣ ବ୍ୟାପକ ଭାବେ ବାଧାପ୍ରାପ୍ତ ହୋଇଛି । ଜୁନ ୩୦ରେ ୨୨୩ଟି କେନ୍ଦ୍ରରେ ଟିକା ଦିଆଯାଇଥିଲା ମାତ୍ର ୪୯ ହଜାର ୬୩୬ ଡୋଜ୍ । ଜୁଲାଇ ୧ ରେ ମାତ୍ର ୧୧୪ଟି ସ୍ଥାନରେ ଟିକା ଦିଆଯାଇଛି । ୧୬ଟି ଜିଲ୍ଲାରେ ଟିକାକରଣକୁ ସଂପୂର୍ଣ୍ଣ ବନ୍ଦ ରଖାଯାଇଛି । ଏହି ସଂକଟ ଭିତରେ ଗୁରୁବାର ଦିନ ଭୁବନେଶ୍ୱରରେ ପହଂଚିଛି ୧ଲକ୍ଷ କୋଭିସିଲ୍ଡ ଟିକା । ଶୁକ୍ରବାର ଦିନ ଆଉ ପ୍ରାୟ ୧୦ ଲକ୍ଷ କୋଭିସିଲ୍ଡ ଟିକା ଓଡ଼ିଶା ଆସିପାରେ ବୋଲି ସୂଚନା ମିଳିଛି ।