ଗରିବ ମାନଙ୍କୁ କରୋନା ଟିକା ଦେବାକୁ ଧନୀକ ଶ୍ରେଣୀ ଉପରେ ଅଧିକ କର ଲଗାଇଲା ଆର୍ଜେଣ୍ଟିନା  । ଏଭଳି ପ୍ରସ୍ତାବ ଉପରେ ମୋହର ଲଗାଇଛି ଆର୍ଜେଣ୍ଟିନା ସିନେଟ୍

278

କନକ ବ୍ୟୁରୋ : କରୋନା ମହାମାରୀ ବିଶ୍ୱ ଅର୍ଥନୀତିକୁ ରଶାତଳକୁ ନେଇ ଯାଇଛି । ଦୀର୍ଘ ୯ ମାସ ମଧ୍ୟରେ ସାରା ବିଶ୍ୱର ଅର୍ଥନୀତି କରୋନା ମହାମାରୀ କାରଣରୁ ମାନ୍ଦାବସ୍ଥାରେ ଗତି କରୁଛି । ଏଭଳି ସ୍ଥଳେ ସବୁଠାରୁ ବେଶି ପ୍ରଭାବିତ ହୋଇଛନ୍ତି ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ । କାମଧନ୍ଦା ନପାଇ ଗରିବ ଲୋକମାନେ ଏବେ ହନ୍ତସନ୍ତ ହେଉଛନ୍ତି । ସେହିଭଳି କାରବାର ବନ୍ଦ ହୋଇଯାଇଥିବାରୁ ସବୁଦେଶର ଅର୍ଥନୀତି ଏବେ ନିମ୍ନ ସ୍ତରରେ ରହିଛି । ଏପଟେ କରୋନାକୁ ମାତ୍ ଦେବାକୁ ପ୍ରସ୍ତୁତ ହେଉଛି ଟିକା । ହେଲେ ଏହି ଟିକା ନେବାକୁ ଲୋକଙ୍କ ପାଖରେ ସମ୍ବଳର ଅଭାବ । ଅନ୍ୟପଟେ ଦେଶର ଅର୍ଥନୀତି ଭୁଷୁଡି ପଡିଥିବାରୁ ସରକାର ବି ଟିକା କିଣି ସମସ୍ତଙ୍କୁ ମାଗଣାରେ ଟିକାକରଣ କରିବା ସମ୍ଭବ ହୋଇପାରି ନାହିଁ । ଏଭଳି ସ୍ଥଳେ ଗରିବ ଲୋକମାନଙ୍କୁ ମାଗଣାରେ ଟିକା ଦେବାକୁ ଲାର୍ଟିନ ଆମେରିକାର ଦେଶ ଆର୍ଜେଣ୍ଟିନାରେ ଏକ ନୂଆ ଆଇନ ପ୍ରଣୟନ କରାଯାଇଛି । ଗରିବ ଲୋକମାନଙ୍କୁ ଟିକା ଦେବା ପାଇଁ ଧନୀ ଲୋକଙ୍କ ଉପରେ ଟିକସ ହାର ବୃଦ୍ଧି କରାଯାଇଛି । ଏନେଇ ଏକ ପ୍ରସ୍ତାବ ଆର୍ଜେଣ୍ଟିନା ସିନେଟ୍ ରେ ପାରିତ କରାଯାଇଛି । ସିନେଟ୍ ରେ ଏଭଳି ପ୍ରସ୍ତାବ ଆସିବା ପରେ ପ୍ରସ୍ତାବ ସପକ୍ଷରେ ୪୨ ଜଣ ସଦସ୍ୟ ଭୋଟ ଦେଇଛନ୍ତି ଓ ବିପକ୍ଷରେ ୨୬ ଜଣ ସଦସ୍ୟ ଭୋଟ୍ ଦେଇଛନ୍ତି ।

ପାରିତ ହୋଇଥିବା ଏହି ଆଇନ ମୁତାବକ ୨୫ ଳକ୍ଷ ଡଲାରରୁ ଅଧିକ ସଂପତ୍ତି ଥିବା ବ୍ୟକ୍ତି ମାନଙ୍କୁ ଏହି ସ୍ୱତନ୍ତ୍ର ଟିକସ ଦେବାକୁ ହେବ । ଆର୍ଜେଣ୍ଟିନାରେ ଏଭଳି ୧୨ ହଜାରରୁ ଅଧିକ ଧନୀଙ୍କୁ ଚିହ୍ନଟ କରାଯାଇଛି । ଦେଶ ଭିତରେ ଥିବା ଧନୀକ ନାଗରିକଙ୍କୁ ୩.୫ ପ୍ରତିଶତ ଓ ଦେଶ ବାହାରେ ଥିବା ଧନୀକ ନାଗରିକଙ୍କୁ ୫.୨୫ ପ୍ରତିଶତ ସଂପତ୍ତି ଟିକସ୍ ଦେବାକୁ ପଡିବ । ଏହାଦ୍ୱାରା ଦେଶର ୦.୮ ପ୍ରତିଶତ ଟିକସଦାତା ପ୍ରଭାବିତ ହେବେ ବୋଲି କୁହାଯାଇଛି । ଆଦାୟ ହେବାକୁ ଥିବା ଅର୍ଥରୁ ୨୦ ପ୍ରତିଶତ ମେଡିକାଲ ସପ୍ଲାଏ ପାଇଁ, ୨୦ ପ୍ରତିଶତ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କ ବିକାଶ ପାଇଁ ଖର୍ଚ୍ଚ କରାଯିବ । ସେହିଭଳି ୨୦ ପ୍ରତିଶତ ଶିକ୍ଷାର୍ଥୀଙ୍କ ପାଠପଢା ପାଇଁ ୧୫ ପ୍ରତିଶତ ସାମାଜିକ ବିକାଶ କାର୍ଯ୍ୟ ପାଇଁ ଓ ୨୫ ପ୍ରତିଶତ ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରରେ ବିନିଯୋଗ କରାଯିବ ।

ଆର୍ଜେଣ୍ଟିନା ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପ ବୋଧେ ବିଶ୍ୱର ପ୍ରଥମଥର ପାଇଁ ଲାଗୁ କରାଯାଇଛି । ଏହାକୁ ଦେଶର କିଛି ନାଗରିକ ସମର୍ଥନ କରୁଥିବା ବେଳେ କିଛି ନାଗରିକ ଏହା ବିରୋଧରେ ସ୍ୱର ଉଠାଇଛନ୍ତି ।