ଆମ ଶରୀରରେ କେତେ ଦିନ ରହିବ କରୋନା ଟିକାର ପ୍ରଭାବ? ଶରୀରରେ କେତେ ଦିନ ଯାଏଁ ଭୂତାଣୁ ସହ ଲଢିପାରିବ ଟିକା ? ପଢନ୍ତୁ, ଏନେଇ କଣ କହୁଛନ୍ତି ଭୂତାଣୁ ବିଶେଷଜ୍ଞ

1,511

ଦେଶରେ ସମ୍ପ୍ରତି ଉପଲବ୍‌ଧ ଥିବା କୋଭିଡ୍‌ ଟିକାଗୁଡ଼ିକ ଅନ୍ତତଃ ଗୋଟିଏ ବର୍ଷ ପାଇଁ ଆବଶ୍ୟକ ସୁରକ୍ଷା ଦେବାରେ ସଫଳ ସାବ୍ୟସ୍ତ ହେବ ବୋଲି ଭୂତାଣୁ ବିଶେଷଜ୍ଞମାନେ ବିଭିନ୍ନି ପରୀକ୍ଷା ନିରୀକ୍ଷାରୁ ମିଳିଥିବା ତଥ୍ୟକୁ ବିଶ୍ଳେଷଣ କରି ଆଶ୍ବସ୍ତି ପ୍ରକାଶ କରିଛନ୍ତି। ଏପରିକି ଦେଶରେ ଯଦି ଆଗକୁ ଆଉ କୌଣସି ପ୍ରକାରର ଅଧିକ ଘାତକ ରୂପାନ୍ତରିତ ପ୍ରଜାତିର କରୋନାଭୂତାଣୁ ଆବିର୍ଭୂତ ନହୁଏ, ତେବେ ଏହି ଟିକା ସୁରକ୍ଷା ମଧ୍ୟ ଦୁଇରୁ ତିନି ବର୍ଷ ଯାଏ ବଳବତ୍ତର ରହିପାରେ ବୋଲି କର୍ଣ୍ଣାଟକ କୋଭିଡ୍‌ ଟାସ୍କ ଫୋର୍ସର ସଦସ୍ୟ ତଥା ପ୍ରଖ୍ୟାତ ଭୂତାଣୁ ବିଶେଷଜ୍ଞ ଡା. ଭି ରବି ଆଶା ପ୍ରକଟ କରିଛନ୍ତି। ଏହା ସତ୍ତ୍ବେ ଏହି ସବୁ ଟିକାଗୁଡ଼ିକର ଫଳପ୍ରଦତା ଅବଧି ନିର୍ଣ୍ଣୟ କରିବା ଲାଗି ଅଧିକରୁ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ସେହିପରି ପୂର୍ବରୁ ଆସିଥିବା ଯେ କୌଣସି ମହାମାରୀର ବହୁବିଧ ସଂକ୍ରମଣ ଲହର ରହିଥିବାରୁ କୋଭିଡ୍‌-୧୯ର ତୃତୀୟ ଲହର ସଂକ୍ରମଣକୁ ଅଗ୍ରାହ୍ୟ କରାଯାଇନପାରେ। ସୁତରାଂ ତାହାର ମୁକାବିଲା ପାଇଁ ଆମକୁ ତଦନୁସାରେ ପ୍ରସ୍ତୁତ ହେବାକୁ ପଡ଼ିବ। ଭାରତୀୟମାନଙ୍କ ଉଚ୍ଚ ରୋଗପ୍ରତିରୋଧକତା ଯୋଗୁଁ ଦେଶରେ କୋଭିଡ୍‌-୧୯ର ଦ୍ବିତୀୟ ଲହର ଦେଖାଯିବ ନାହିଁ ବୋଲି ମଧ୍ୟ ଅନେକ ବିଶ୍ବାସ କରୁନଥିଲେ। କିନ୍ତୁ ତାହା ଆସିଲା ଏବଂ କେତେ ଉପଦ୍ରବ ରଚାଇଲା ତାହା କାହାକୁ ଅଛପା ନାହିଁ। ସୁତରାଂ ତୃତୀୟ ଲହର ସମ୍ଭାବନାକୁ ଗ୍ରହଣ କରି ଆମକୁ ଦୃଢ଼ ପଦକ୍ଷେପ ନେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏ ପରିପ୍ରେକ୍ଷୀରେ ୟୁରୋପୀୟ ଦେଶ ସମୂହରେ ଏବେ ତୃତୀୟ ଲହର ସଂକ୍ରମଣ ଜାରି ରହିଥିଲା ବେଳେ ଆମେରିକାରେ ଏପରିକି ଚତୁର୍ଥ ଲହର ସଂକ୍ରମଣର ପୂର୍ବାଭାସ ଦେଖିବାକୁ ମିଳିଛି ବୋଲି ସେ ସତର୍କ କରାଇ ଦେଇଛନ୍ତି। ସଂକ୍ରମଣର ଦୁଇଟି ଲହର ମଧ୍ୟରେ ୩ରୁ ୫ ମାସ ବ୍ୟବଧାନ ରହିଥିବା ବେଳେ ଆମକୁ ଆଗାମୀ ୬ ମାସ ଭିତରେ ସମସ୍ତଙ୍କର ଟିକାକରଣ ସାରିବା ସମୟୋଚିତ ପଦକ୍ଷେପ ହେବ ବୋଲି ସେ କହିଛନ୍ତି।