ଅଡୁଆ ବଢାଇଲା ବାଇଡେନଙ୍କ ଆମେରିକା ଫାଷ୍ଟ ନୀତି । ଟିକା ନିର୍ମାଣ ପାଇଁ ଆବଶ୍ୟକ କଞ୍ଚାମାଲ ନ ଆସିବାରୁ ଟିକା ପ୍ରସ୍ତୁତି ପ୍ରଭାବିତ ଆଶଙ୍କା ।

421

କନକ ବ୍ୟୁରୋ: ଦେଶରେ କରୋନା ଟିକା ଉତ୍ପାଦନ ପାଇଁ ଆବଶ୍ୟକ କଂଚା ମାଲ ପାଇଁ ଆମେରିକା ଉପରେ ନିର୍ଭରଶୀଳ ଭାରତ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିଷ୍ପତି ଯୋଗୁଁ ଭାରତରେ ଟିକା ପ୍ରସ୍ତୁତ ପାଇଁ ଦରକାର କଂଚାମାଲ ଆସି ପାରୁ ନାହିଁ । ଯୁଦ୍ଧସମୟରେ ଲାଗୁ କରାଯାଉଥିବା ପ୍ରତିରକ୍ଷା ଉତ୍ପାଦନ ଅଧିନିୟମ ବା ଡିପିଏସ ବାଇଡେନ ଲାଗୁ କରିଥିବାରୁ କଂଚା ମାଲ ଆସିବାରେ ଅସୁବିଧା ହେଉଛି । ଟିକା ପ୍ରସ୍ତୁତି ପାଇଁ ଆବଶ୍ୟକ ଅତିକମରେ ୩୦ଟି ସାମଗ୍ରୀର ରପ୍ତାନୀ ଉପରେ କଟକଣା ଲଗାଇଛି ବାଇଡେନ ପ୍ରଶାସନ । ସ୍ଥାନୀୟ ଟିକା ନିର୍ମାତାଙ୍କୁ କଂଚା ମାଲ ବିକ୍ରିରେ ପ୍ରାଥମିକତା ଦେବାକୁ ଏହି ନିୟମ ଲାଗୁ କରାଯାଇଛି ।

ରାଷ୍ଟ୍ରପତି ଜୋ ବାଇଡେନ ଆମେରିକାରେ ଗତ ଫେବୃୟାରୀରେ ପ୍ରତିରକ୍ଷା ଉତ୍ପାଦନ ଅଧିନିୟମ ଲାଗୁ କରିଥିଲେ । କରୋନା ଟିକା ପ୍ରସ୍ତୁତକାରୀ ସଂସ୍ଥା ଫାଇଜର ଓ ବାୟୋ-ଏନ୍-ଟେକକୁ ସହାୟତା ଯୋଗାଇବା ଟିକା ଉତ୍ପାଦନକୁ ପ୍ରୋତ୍ସାହିତ କରିବାକୁ ‘ୱାର ଟାଇମ ଲ’ ଲାଗୁ କରିଛନ୍ତି ବାଇଡେନ ।

କରୋନା ଟିକା ଉତ୍ପାଦନରେ ଆବଶ୍ୟକ ରିଜେଂଟସ, ଟ୍ୟୁବ୍ ସାମଗ୍ରୀ, ନାନୋ ଫିଲଟର, ପ୍ଲାଷ୍ଟିକ ବ୍ୟାଗ ସାମଗ୍ରୀ, ଟିକା ପ୍ରସ୍ତୁତିରେ ଲାଗୁଥିବା ଯନ୍ତ୍ରପାତି ଭାରତକୁ ଆସି ପାରୁ ନାହିଁ । ଡିପିଏସ ଅଧିନରେ ପ୍ରତିରକ୍ଷା ପ୍ରାଥମିକତା ଓ ଆବଂଟନ ବ୍ୟବସ୍ଥା ଲାଗୁ ହୋଇଥିବାରୁ ଆମେରିକୀୟ ବିକ୍ରେତା ବିକ୍ରି କରିପାରୁ ନାହାନ୍ତି । ଏହାଛଡା ସ୍ଥାନୀୟ କ୍ରେତାଙ୍କ ଠାରୁ ଅଗ୍ରୀମ ରାଶି ପାଇଥିବାରୁ ଭାରତକୁ କଂଚା ମାଲ ଦେଇ ପାରୁ ନାହାନ୍ତି । କଂଚାମାଲ ବିକ୍ରେତା, ଆମେରିକୀୟ କ୍ରେତାଙ୍କ ଚୁକ୍ତିଭିତିକ ଆବଶ୍ୟକତା ପୂରଣକୁ କରିବାକୁ ବାଧ୍ୟ । ତେଣୁ ଭାରତକୁ କଂଚା ମାଲ ଆସିବା ଆହୁରି ବିଳମ୍ବ ହେବା ଆଶଙ୍କା କରାଯାଉଛି ।

ଆଉ ଏପଟେ କଂଚାମାଲ ଯୋଗୁଁ ଟିକା ଉତ୍ପାଦନ ପ୍ରଭାବିତ ଆଂଶଙ୍କାରେ ଆମେରିକା ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ଉପଯୁକ୍ତ ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି ୟୁଏସ ସେକ୍ରେଟାରୀ ଅଫ ଷ୍ଟେଟ ଆଂଟୋନୀ ବ୍ଲାଙ୍କେନ ।

ଆମେରିକାରୁ ପ୍ରଥମ ବ୍ୟାଚ ଟିକା ନିର୍ମାଣରେ ବ୍ୟବହାର ହେଉଥିବା କଂଚା ମାଲ ଗତ ମାର୍ଚ୍ଚ ମାସରେ ଆସିବାର ଥିଲା । ଏନେଇ ଗତ ସପ୍ତାହରେ ବାଇଡେନକୁ ଅନୁରୋଧ କରି ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ ଅଦାର ପୁନାୱାଲା ନିଜ ଅସୁବିଧାକୁ ସାର୍ବଜନୀନ କରିଥିଲେ । ଆମେରିକା ଏବେ ନିଜ ଜନସଂଖ୍ୟାର ଅଧା ଲୋକଙ୍କ ପାଇଁ ଗୋଟିଏ ଡୋଜ ଟିକା ନିର୍ମାଣ କରିସାରିଛି । ତେଣୁ ଆଗକୁ କଂଚା ମାଲର ଆବଶ୍ୟକତା ଆମେରିକାରେ କମିବ ଓ ଭାରତକୁ ଶୀଘ୍ର ମିଳିବ ବୋଲି ଆଶା କରାଯାଉଛି ।