ବିହାରୁ ଓଡ଼ିଶାକୁ ଡେଇଁଲା ଟିକା ରାଜନୀତି । ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କୁ ରାଜା ସ୍ୱାଇଁଙ୍କ ପ୍ରଶ୍ନ । ଯଦି ବିହାର ପାଇଁ ଟୀକା ମାଗଣାରେ ଘୋଷଣା କରୁଛ ଓଡ଼ିଶା ପାଇଁ ପଛଘୁଂଚା କାହିଁକି? ବିଜେପିର ଜବାବ, କରୋନା ଦୁର୍ନୀତିରେ ଘଂଟ ଘୋଡାଇବା ପାଇଁ ବାହାନା କରୁଛି ଶାସକ ଦଳ

192

କନକ ବ୍ୟୁରୋ : କରୋନା ଟିକାର ରାଜନୀତି ବିହାରରୁ ଏବେ ଓଡିଶାରେ ପହଁଚିଛି । ବିହାରରେ ମାଗଣା ଟିକା ଦେବାକୁ ବିଜେପି ଇସ୍ତାହାରରେ ଘୋଷଣା କରିବା ପରେ ଓଡିଶାରେ କାହିଁକି ମାଗଣା ଟିକା ମିଳିବନି ଏନେଇ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରଣେନ୍ଦ୍ରଙ୍କ ଏହି ପ୍ରଶ୍ନର ଜବାବ ରଖିଛି ବିଜେପି । ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କୋଭିଡ୍ ପରିଚାଳନାର ବିଫଳତା ଓ ଲୁଟକୁ ଲୁଚାଇବା ପାଇଁ ଶାସକ ଦଳର ଏହା ନୂଆ ବାହାନା ।

କରୋନା ଟିକାକୁ ନେଇ ଯେତେବେଳେ ଆମେରିକାରେ ରାଜନୀତି ହେଉଛି, ବିହାର ନିର୍ବାଚନରେ ମାଗଣା ଟିକାର ପ୍ରତିଶ୍ରୁତି ଦିଆଯାଉଛି, ସେତେବେଳେ ଓଡ଼ିଶାରେ ଟିକାକୁ ନେଇ ରାଜନୈତିକ ବୟାନବାଜୀ ନହେବ ବା’ କେମିତି? ବିହାର ବିଧାନସଭା ନିର୍ବାଚନରେ ବିଜେପି ଦେଇଥିବା ପ୍ରତିଶ୍ରୁତିର ପ୍ରଭାବ ଓଡ଼ିଶାରେ ବି ଦେଖିବାକୁ ମିଳିଛି, ଯେତେବେଳେ ଟିକାକୁ ନେଇ ପାତରଅନ୍ତର ହେବାର କଥା ଉଠାଇଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

କ୍ରମାଗତ ୪ଟି ଟିଟ୍ୱ କରି ରାଜା ସ୍ୱାଇଁ ଲେଖିଛନ୍ତି- କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ୨ ଓଡ଼ିଆ ମନ୍ତ୍ରୀଙ୍କୁ ବାଲେଶ୍ୱର ମାଟିରୁ ମୋର ପ୍ରଶ୍ନ ଯେ, ଯଦି ବିହାରକୁ ମାଗଣାରେ କରୋନା ଟିକା ଦେବାକୁ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇପାରୁଛନ୍ତି, ତେବେ ଓଡ଼ିଶାର ଲୋକଙ୍କୁ ମାଗଣା ଟିକା ପ୍ରଦାନ କରିବା ପାଇଁ କଥା ଦେବାକୁ ପଛଘୁଂଚା କାହିଁକି? ନା’ ଏହା କେବଳ ଆଉ ଏକ ନିର୍ବାଚନୀ ଜୁମ୍ଲା? ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବା ଦୁଇ କେନ୍ଦ୍ରୀୟ ମନ୍ତ୍ରୀ ସ୍ପଷ୍ଠିକରଣ ଦେବେ କି ଏହା ପାତର ଅନ୍ତର ନୁହେଁ କି?

ଆଉ ଗୋଟିଏ ପାଦ ଆଗକୁ ଯାଇ ରାଜା ସ୍ୱାଇଁ ଲେଖିଛନ୍ତି- ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ପାଇଁ ନିଜସ୍ୱ ପାଣ୍ଠିରୁ ଟିକା ନିର୍ମାତାଙ୍କୁ ୫କୋଟି ଟଙ୍କା ପ୍ରଦାନ କରି ରାଜିନାମା କରିସାରିଛନ୍ତି । ଓଡ଼ିଶାରେ କରୋନା ଟିକାକରଣ ପାଇଁ ବିଜେପିର ଆଭିମୁଖ୍ୟ କ’ଣ ଦୁଇ ମାନ୍ୟବର କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟିକରଣ ରଖିବା ଆବଶ୍ୟକ । ଆଉ ଏପଟେ ବିଜେପି ଅଭିଯୋଗ କରିଛି-ରାଜ୍ୟରେ କୋଭିଡ୍ ପରିଚାଳନାରେ ହୋଇଥିବା ଦୁର୍ନୀତିକୁ ଘୋଡାଇବା ପାଇଁ ଶାସକ ଦଳର ଏହା ନୂଆ ଚାଲ ।