ଭୂତାଣୁ ଭିତରେ ଭଲ ଖବର । ଓଡ଼ିଶା ଆସିଲା ଭ୍ୟାକ୍ସିନ୍ ସରଞ୍ଜାମ, ପୂରା ସୂଚନା ଦେଲେ ଭ୍ୟାକ୍ସିନ୍ ଇନଚାର୍ଜ ।

202

କନକ ବ୍ୟୁରୋ: ଭୂତାଣୁ ଭିତରେ ଭଲ ଖବର । ଓଡ଼ିଶା ଆସିଲା ଭ୍ୟାକ୍ସିନ୍ ସରଞ୍ଜାମ । କରୋନାକୁ କାବୁ ଟୀକାକରଣ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ଆସିଲଲା ୨୧ ଲକ୍ଷ ସିରିଞ୍ଜ୍ । ଏହାସହ ଭ୍ୟାକ୍ସିନକୁ ରଖିବା ପାଇଁ ୨୬ଟି ଆଇଏଲଆର ବା ବରଫଯୁକ୍ତ ରେଫ୍ରିଜରେଟର । ତେବେ ଏହାବାଦ୍ ଆଗକୁ ଆହୁରି ୩୩୯ଟି ଆଇଏଲଆର ଆସିବ । ଏହାରି ଭିତରେ ଭଲ ଖବର ହେଉଛି କି ରାଜ୍ୟରେ ଟୀକାକରଣ ପାଇଁ ଡାଟାବେଶ୍ ବଢ଼ିଛି । ବର୍ତ୍ତମାନ ୩ଲକ୍ଷ ୨୬ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଭ୍ୟାକ୍ସିନ୍ ଦେବା ପାଇଁ ପ୍ରସ୍ତୁତ ଅଛି ବୋଲି ଭ୍ୟାକ୍ସିନ ଇନଚାର୍ଜ ବିଜୟ ପାଣିଗ୍ରାହୀ କହିଛନ୍ତି ।

ସେପଟେ କରୋନା ଟୀକାକରଣ ପାଇଁ ଦେଶରେ ଡ୍ରାଏ ରନ ଚାଲିଥିବାବେଳେ ରାଜ୍ୟରେ ବି ଏ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀଓ ବରିଷ୍ଠ ନାଗରିକଙ୍କୁ ମିଶାଇ ସମୁଦାୟ ୩ ଲକ୍ଷ ୨୬ ହଜାରଙ୍କୁ ଟିକା ଦିଆଯିବ । ଏଥିପାଇଁ ପଞ୍ଜିକରଣ ସରିଛି । ତେବେ କେଉଁ କମ୍ପାନୀର ଟିକା ଓ ଡୋଜ ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ୦.୫ ମିଲିର ସ୍ୱୟଂ ନଷ୍ଟ ବା ଏଡି ୨୧ ଲକ୍ଷ ସିରିଞ୍ଜ ଓ ୨୬ ଆଇଏଲଆର ଯୋଗାଇ ଦିଆଯାଇଛି । ଆଗକୁ ଆହୁରି ୩୩୯ ଆଇଏଲଆର ଆସିବ । ମାତ୍ର ଡିପ ଫ୍ରିଜର ଆସିନାହିଁ । ତେବେ ଟିକାକରଣ ପାଇଁ ଆବଶ୍ୟକ ଜିନିଷପତ୍ର ପର୍ଯ୍ୟାୟକ୍ରମେ ଆସିବ । ଟିକାକରଣ ସମୟରେ ଭିତିଭୂମିର କୌଣସି ସମସ୍ୟା ହେବନାହିଁ ବୋଲି ରାଜ୍ୟ ସରକାର ଆଶା ପ୍ରକାଶ କରିଛନ୍ତି ।

ରାଜ୍ୟରେ ଏବେ ଗୋଟିଏ ରାଜ୍ୟସ୍ତରୀୟ ଭ୍ୟାକ୍ସିନ ଷ୍ଟୋର ଥିବାବେଳେ ୯ଟି ଆଂଚଳିକ ଭ୍ୟାକ୍ସିନ ଷ୍ଟୋର ଓ ୩୨ଟି ଷ୍ଟୋର ଜିଲ୍ଲାସ୍ତରରେ ରହିଛି । ଟିକାକରଣ କେନ୍ଦ୍ରରେ ପ୍ରତୀକ୍ଷାଳୟ, ନିରୀକ୍ଷଣ କୋଠରୀ ଓ ଟିକାକରଣ କୋଠରିକୁ ମିଶାଇ ସମୁଦାୟ ୩ଟି କକ୍ଷ ରହିବ । ଟିକାକରଣ ପରେ ଜଣକୁ ୩୦ ମିନିଟ ଯାଏଁ ନିରୀକ୍ଷଣରେ ରଖାଯିବ ଓ ପରେ ସାର୍ଟିଫିକେଟ ପ୍ରଦାନ କରାଯିବ ।