ମାସ ମାସର ପ୍ରତୀକ୍ଷାରେ ହେବାକୁ ଯାଉଛି ଅବସାନ । ଖୁସି ଖବର ଶୁଣାଇଲେ କେନ୍ଦ୍ର ସରକାର । ଜାନୁଆରୀ ୧୩-୧୪ ତାରିଖ ସୁଦ୍ଧା ଆରମ୍ଭ ହେବ ଟିକାକରଣ ।

189

କନକ ବ୍ୟୁରୋ : କୋଭିଡ ଟିକାକରଣ ନେଇ ଖୁସି ଖବର ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଚିବ ରାଜେଶ ଭୂଷଣ କହିଛନ୍ତି ଟିକାକରଣ ପାଇଁ ଅନୁମତି ମିଳିଥିବାରୁ ଏହାର ୧୦ ଦିନ ଭିତରେ ଟିକା ଦିଆଯାଇପାରିବ । ଏଥିସହ ସେ କହିଛନ୍ତି ପୁରା ଟିକାକରଣ ପ୍ରକ୍ରିୟାର ଡିଜିଟାଲ ମନିଟରିଂ କରାଯିବ । ଟିକାକରଣ ପାଇଁ ସ୍ୱାସ୍ଥ୍ୟ କର୍ମୀ ଓ କୋଭିଡ ଯୋଦ୍ଧାଙ୍କୁ ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ ।

ଯେଉଁ ମୂହୁର୍ତକୁ ସାରା ଦେଶ ମାସ ମାସ ଧରି ଅପେକ୍ଷା କରିଥିଲା ସେହି ସମୟ ନିକଟବର୍ତି ହୋଇଛି । କୋଭିଡ ବିରୋଧୀ ଲଢେଇର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଚୂଡାନ୍ତ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ଭାରତ ସରକାର ଆଜି କହିଛନ୍ତି ୧୦ ଦିନ ଭିତରେ ଟିକାକରଣ ଆରମ୍ଭ ହେବାକୁ ଯାଉଛି ।

ସମୟ ଆସିଗଲା, ଆଉ କରୋନା, ମାନବ ସମାଜକୁ ଡରେଇ ପାରିବ ନାହିଁ । ଏହି ଯୁଦ୍ଧରେ ଶେଷରେ ମଣିଷ ଜିତିବାକୁ ଯାଉଛି ଏବଂ କରୋନା ହାରିବାକୁ ଯାଉଛି । ଯୁଦ୍ଧ ଲମ୍ବା ଥିଲା, ଭୟଙ୍କର ବି ଥିଲା, ଆଉ ଶେଷରେ ମଣିଷର ବୁଦ୍ଧିମତା ଆଗରେ କରୋନା ହାର ମାନିବାକୁ ଯାଉଛି ।

ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଗତ ୩ ତାରିଖରେ ଦୁଇଟି କୋଭିଡ ଟିକାକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ଆସନ୍ତା ୧୦ ଦିନ ଭିତରେ ଅର୍ଥାତ ଜାନୁୟାରୀ ୧୩/୧୪ ପୂର୍ବରୁ ଭାରତ ସରକାରଙ୍କୁ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ମିଳିଯିବ । ଟିକା ନିର୍ମାତା କଂପାନୀ ପାଖରୁ ଟିକା ଆସିବା ପରେ

ପ୍ରଥମେ ଦେଶର ୪ଟି ଜିଏମଏସଡି ବା ଗଭମେଂଟ ମେଡିକାଲ ଷ୍ଟୋର ଡିପୋରେ ରଖାଯିବ ।
କର୍ଣ୍ଣଲ, ମୁମ୍ବ୍ଧାଇ, ଚେନ୍ନାଇ ଓ କୋଲକାତାର ଜିଏମଏସଡିରୁ ରହିବ କୋଭିଡ ଟିକା ।
ଜିଏସଡିରୁ ବିଭିନ୍ନ ରାଜ୍ୟରେ ଥିବା ୩୭ଟି ଭ୍ୟାକ୍ସିନ ଷ୍ଟୋରକୁ ପଠାଯିବ
ଭ୍ୟାକ୍ସିନ ଷ୍ଟୋରରୁ ବିଭିନ୍ନ ଟିକାକରଣ କେନ୍ଦ୍ରକୁ ଟିକା ବଂଟନ କରାଯିବ
ପ୍ରତି ଟିକାକରଣ ଟିମରେ ୫ ଜଣ ସଦସ୍ୟ ରହିବେ

ଟିକା ମହଜୁଦ ରଖାଯିବା ପାଇଁ ଦେଶରେ ୪୧ ହଜାର କୋଲ୍ଡଷ୍ଟୋରେଜ ପ୍ରସ୍ତୁତ ଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସଚିବ । ଭାରତରେ ଭାରତରେ କରୋନା ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିବା ପରେ ସିରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ମଙ୍ଗଳବାର ମିଳିତ ବିବୃତି ଜାରି କରିଛନ୍ତି । ବିବୃତିରେ କହିଛନ୍ତି, ସହଜ ପ୍ରଣାଳୀରେ ଟିକାକରଣ ଆରମ୍ଭ ହେବ । ଦୁଇ ଟିକା ନିର୍ମାତା କଂପାନୀ କହିଛନ୍ତି ସେମାନଙ୍କ ପାଇଁ ଲୋକଙ୍କ ଜୀବନ ବଂଚାଇବା ସବୁଠୁ ଜରୁରୀ ।