ବାକି ଥିବା ୨୨ ଜିଲ୍ଲାରେ ୧୮ରୁ ୪୪ବର୍ଷ ବୟସ୍କଙ୍କୁ ଦିଆଯିବ ଟିକା । ଜୁନ୍ ମାସରେ ଟିକା ଦେବା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି

441

କନକ ବ୍ୟୁରୋ : ରାଜ୍ୟରେ ପହଁଚିଛି ୨ ଲକ୍ଷ ୨୭ ହଜାର ୭୫୦ ଡୋଜ୍ କୋଭିସିଲ୍ଡ ଟିକା । ୧୮ରୁ ୪୪ ବର୍ଷ ବର୍ଗକୁ ଦିଆଯିବ ଏହି ଟିକା । ଏପଟେ ଜିଲ୍ଲାପାଳ, ମୁନିସିପାଲ୍ କମିସନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ବାକି ୨୨ ଜିଲ୍ଲା ମୁଖ୍ୟାଳୟରେ ୧୮ରୁ ୪୪ ବର୍ଷ ବର୍ଗ ବ୍ୟକ୍ତିଙ୍କୁ ଜୁନ ମାସରେ ପ୍ରଥମ ଡୋଜ୍ ଟିକା ଦିଆଯିବ । ଏଥିପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।
ତୃତୀୟ ପର୍ଯ୍ୟାୟରେ ୫ଟି ମହାନଗର ନିଗମ ଓ ୬ଟି ଜିଲ୍ଲା ହେଡକ୍ୱାଟରରେ ମେ’ ମାସରେ ଏହି ବର୍ଗ ପାଇଁ ଟିକାକରଣ ଆରମ୍ଭ ହୋଇଛି । ବାକି ୨୨ଟି ଜିଲ୍ଲା ମୁଖ୍ୟାଳୟରେ ଯୁବ ବର୍ଗର ଟିକାକରଣ ସଂପ୍ରସାରଣ ପାଇଁ ଅନୁମତି ଦେଇଛନ୍ତି ସରକାର । ଜୁନ ମାସରେ ୩ଟି ପର୍ଯ୍ୟାୟରେ ରାଜ୍ୟକୁ ୬ ଲକ୍ଷ ୪୫ ହଜାର ୭୯୦ ଡୋଜ୍ କୋଭିସିଲ୍ଡ ଟିକା ଆସିବ ବୋଲି କହିଛନ୍ତି ପ୍ରଦୀପ୍ତ ମହାପାତ୍ର । ପ୍ରଥମ ଡୋଜ୍ ଟିକାକରଣ ପାଇଁ ଜିଲ୍ଲାଗୁଡିକ ମଧ୍ୟରେ ଏହାକୁ ବାଂଟି ଦିଆଯିବ । ୧୮ରୁ ୪୪ ବର୍ଷ ବର୍ଗରେ ଥିବା ଛାତ୍ରଛାତ୍ରୀ ଓ କ୍ରୀଡ଼ାବିତ୍, ଯେଉଁମାନେ ବିଦେଶ ଯିବାକୁ ଅପେକ୍ଷା କରିଥିବେ, ସେମାନଙ୍କୁ ଟିକାକରଣରେ ପ୍ରାଥମିକତା ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।