ଟିକାକରଣରେ ଓଡ଼ିଶା ରେକର୍ଡ କରୁଥିବା ବେଳେ ପଛରେ ପଡିଛି ରାୟଗଡ଼ା । ଦ୍ୱିତୀୟ ଡୋଜ ନେବାକୁ ଆଗ୍ରହ ଦେଖାଉନାହାନ୍ତି ଲୋକେ ।

112

କନକ ବ୍ୟୁରୋ : ଟିକାକରଣରେ ଓଡ଼ିଶା ରେକର୍ଡ କରୁଥିବା ବେଳେ ରାୟଗଡା ପଛରେ ରହିଛି । ପ୍ରଥମ ଡୋଜ ଟିକା ନେବାକୁ ଦୌଡିଲେ । କିଏ ଗୁଣୁପୁର ତ କିଏ ବ୍ରହ୍ମପୁର ଆଉ କିଏ ଭୂବନେଶ୍ୱରକୁ ଆସି ଟିକା ନେଲେ । ଭିଡ ସତ୍ୱେ ଖରା ବର୍ଷାକୁ ଖାତିର ନକରି ଘଂଟା ଘଂଟା ଲାଇନରେ ଛିଡା ହେଲେ । ହେଲେ ଏବେ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଇଚ୍ଛୁକ ନୁହନ୍ତି ପ୍ରଥମ ଡୋଜ ନେଇଥିବା ବ୍ୟକ୍ତି । ତେଣୁ ଟିକାକରଣ କ୍ଷେତ୍ରରେ ପଛରେ ପଡିଛି ରାୟଗଡା ଜିଲ୍ଲା ।

ଫେବୃଆରିରୁ ଆରମ୍ଭ ହୋଇଥିବା ୪୫ ବର୍ଷ ବର୍ଗ ଟିକାକରଣ ଏପ୍ରିଲରେ ଜୋର ଧରିଥିଲା । ରାୟଗଡା ପୌରାଞ୍ଚଳ ସମେତ ୧୧ ବ୍ଳକରେ ୨ ଲକ୍ଷ ୬୭ ହଜାର ୫୮୧ ଜଣଙ୍କୁ ପ୍ରଥମ ଡୋଜ ଟିକା ଦେବାକୁ ନିଷ୍ପତ୍ତି ହୋଇଥିଲା । ସେପ୍ଟେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ୧ ଲକ୍ଷ ୭୭ ହଜାର ୬୫୨ ଅର୍ଥାତ୍ ୬୬% ଲୋକ ପ୍ରଥମ ଡୋଜ ଟିକା ନେଇଛନ୍ତି । ବାକି ଅଛନ୍ତି ୮୯ ହଜାର ୯୨୯ । ସେହିପରି ଦ୍ୱିତୀୟ ଡୋଜ ନେଇଛନ୍ତି ମାତ୍ର ୭୦ ହଜାର ୬୬୮ ଅର୍ଥାତ ୪୦% ବ୍ୟକ୍ତି । ବାକି ୧ ଲକ୍ଷ ୭ ହଜାର ୯୮୪ ଜଣ କେବେ ଟିକା ନେବେ ତାକୁ ନେଇ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ ।

ଜୁନ ପ୍ରଥମ ସପ୍ତାହରୁ ରାୟଗଡାରେ ୧୮ ରୁ ୪୪ ବର୍ଷ ବର୍ଗ ଟିକାକରଣ ଆରମ୍ଭ ହୋଇଥିଲା । ଏହି ବର୍ଗରେ ୪ ଲକ୍ଷ ୧୯ ହଜାର ୫୦୦ ଜଣଙ୍କୁ ପ୍ରଥମ ଡୋଜ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏବେ ସୁଦ୍ଧା ପ୍ରଥମ ଡୋଜ ନେଇଛନ୍ତି ୨ ଲକ୍ଷ ୪୧ ହଜାର ୩୭୦ ଜଣ । ଆହୁରି ୧ ଲକ୍ଷ ୭୮ ହଜାର ଜଣ ପ୍ରଥମ ଡୋଜ ନେଇନାହାନ୍ତି । ଦ୍ୱିତୀୟ ଡୋଜ ସ୍ଥିତି ସବୁଠୁ ନୈରାଶ୍ୟଜନକ । ପ୍ରଥମ ଡୋଜ ଟିକା ନେଇଥିବା ଯୁବପିଢୀ ଦ୍ୱୀତିୟ ଡୋଜ ନେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ୫ ହଜାର ୩୮୦ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି ଯାହା ମାତ୍ର ୨% । ସଚେତନତା ଅଭାବରୁ ରାୟଗଡା ଭଳି ଉପାନ୍ତ ଜିଲ୍ଲାରେ କରୋନା ଟିକା ନେବାକୁ ଯୁବପୀଢି ଆଗ୍ରହ ଦେଖାଉନଥିବା ଚର୍ଚ୍ଚା ହେଉଛି ।