ବାତ୍ୟା ପାଇଁ ଟିକାକରଣ ବନ୍ଦ !  ଟିକାର ସୁରକ୍ଷା ପାଇଁ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ବନ୍ଦ ରହିବ ଟିକାକରଣ ।

288

କନକ ବ୍ୟୁରୋ : ବାତ୍ୟା ଆସିଲେ ଟିକାକରଣ ବନ୍ଦ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ ଟିକାକରଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଟିକାର ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ବାତ୍ୟା ସମୟରେ ବିଦ୍ୟୁତ ସେବା ବ୍ୟାଘାତ ହୋଇପାରେ,ତେଣୁ ଏଭଳି ସ୍ଥଳେ ଟିକାକୁ ସୁରକ୍ଷିତ ରଖିବାକୁ କୁହାଯାଇଛି । ଏପରିକି ଜେନେରେଟର ବ୍ୟବସ୍ଥା କରି ଟିକା ସୁରକ୍ଷିତ ରଖିବାକୁ କୁହାଯାଇଛି ।

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୨୪ରେ ଏହା ବାତ୍ୟାର ରୂପ ନେବ । ଆଉ ଏହାପରେ ସମୁଦ୍ର ମଧ୍ୟରେ ବଳ ଗୋଟାଇ ଉତ୍ତର ଓ ଉତ୍ତର-ଦକ୍ଷିଣ ଆଡକୁ ଗତି କରିବ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୨୬ରେ ଏହା ସ୍ଥଳଭାଗ ଛୁଇଁବ । ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶରେ ଏହା ଲ୍ୟାଣ୍ଡଫଲ କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ବାତ୍ୟା ୟାସର ମୁକାବିଲା ପାଇଁ ସରକାର ମଧ୍ୟ ପ୍ରସ୍ତୁତ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି, ଓଡ଼ିଶାର ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଫେରାଇ ଅଣା ଯାଇଛି । କୌଣସି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ନାହାନ୍ତି । କୃଷି ଜାତ ଦ୍ରବ୍ୟକୁ ଜମିରୁ ଫେରାଇ ଆଣିବାକୁ କୃଷକ ମାନଙ୍କୁ କୁହାଯାଇଛି । ଲୋକଙ୍କୁ ସ୍ଥାନାନ୍ତରିତ,ବାତ୍ୟା ଆଶ୍ରୟ ସ୍ଥଳି ପରିଚାଳନା ଓ ପୁନରୁଦ୍ଧାର ପାଇଁ ବଡ଼ ବଡ଼ ଏନଜିଓ ମାନଙ୍କ ସହଯୋଗ ଲୋଡ଼ା ଯାଇଛି । ଅକ୍ସିଜେନ ଯୋଗାଣର ଯେପରି ସମସ୍ୟା ନହୁଏ ସେଥିପାଇଁ ଶିଳ୍ପ ବିଭାଗ ବିଭିନ୍ନ ସଂସ୍ଥା ଗୁଡିକ ସହ ଆଲୋଚନା କରିଛନ୍ତି ।  ଅକ୍ସିଜେନ ଉତ୍ପାଦନ ଓ ରିଫିଲିଂ ପାଇଁ ଯେପରି କୌଣସି ଅସୁବିଧା ନ ହେବ ସେଥିପାଇଁ ଶିଳ୍ପ ବିଭାଗ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି ।

ଜିଲ୍ଲା କୋଭିଡ କେୟାର ସେଣ୍ଟର ଓ ଜିଲ୍ଲା କୋଭିଡ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ସିଲିଣ୍ଡର ମହଜୁଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି । ଏହାବାଦ ପାନୀୟ ଜଳ ଓ ଜେନେରେଟର ରଖିବା ପାଇଁ କୁହାଯାଇଛି । ପ୍ରସୂତି ମହିଳା ମାନେ ବାତ୍ୟା ଆଶ୍ରୟ ସ୍ଥଳକୁ ନଯାଇ ସିଧା ହସ୍ପିଟାଲ ଆସିବାକୁ କୁହାଯାଇଛି । ଜିଲ୍ଲା ପ୍ରଶାସନର ସୂଚନା ମିଳିବା କ୍ଷଣି ଘର ଛାଡ଼ି ବାତ୍ୟା ଆଶ୍ରୟସ୍ଥଳୀକୁ ଆସିବାକୁ କୁହାଯାଇଛି ।

ବାତ୍ୟା ଆଶ୍ରୟସ୍ଥଳୀକୁ ଆସୁଥିବା ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । କେହି ସଂକ୍ରମିତ ଥିବା ଜଣାପଡିଲେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଏହାବାଦର ବାତ୍ୟାର ମୁକାବିଲା ପାଇଁ ୧୭ଟି ଏନଡିଆରଏଫ, ୨୦ଟି ଓଡ୍ରାଫ ଓ ୧୫୦ଟି ଫାୟାର ଟିମ୍ ପ୍ରସ୍ତୁତ ରହିଛନ୍ତି । ସେମାନଙ୍କୁ ଆସନ୍ତା କାଲି ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ଜିଲ୍ଲା ଗୁଡିକୁ ପଠାଯିବ ବୋଲି କହିଛନ୍ତି ଏସଆରସି ।