ଗତ ଜାନୁଆରି ମଧ୍ୟଭାଗରେ ଭାରତ ସରକାର ଯେତେବେଳେ ଦେଶରେ ବିଶ୍ବର ବୃହତ୍ତମ ଟିକାକରଣ ଯୋଜନା ଆରମ୍ଭ କଲେ, ଏହା ଅଭୂତପୂର୍ବ ସଫଳତା ହାସଲ କରିବ ବୋଲି ଆଶା କରାଯାଉଥିଲା। ଭାରତ ମଧ୍ୟ ଅନ୍ୟ ଦେଶକୁ ଟିକା ଯୋଗାଇ ପ୍ରଶଂସା ଅର୍ଜନ କରିଥିଲେ। ତେବେ ଏବେ ତିନି ମାସ ତଳର ସେହି ଭରସା ପାଣି ଫଟକିଯିବା ସହ ସରକାରଙ୍କ ଯୋଜନା ସବୁ ଭୁଶୁଡ଼ିପଡ଼ିଲା ପରି ସ୍ଥିତିକୁ ଆସିଛି। ଅଦ୍ୟାବଧି ଦେଶର ୧୩୭ କୋଟି ଲୋକସଂଖ୍ୟାର ମାତ୍ର ୨ ପ୍ରତିଶତ ଟିକାକରଣ ହୋଇଥିବା ବେଳେ ଅନେକ ଟିକାଦାନ କେନ୍ଦ୍ରରେ ଟିକା ନାହିଁ ବୋଲି ହତାଶାବାଣୀ ଶୁଣିବାକୁ ପଡୁଛି। ଏଣେ ଅନ୍ୟ ଦେଶମାନଙ୍କୁ ଟିକା ରପ୍ତାନି ମଧ୍ୟ ବନ୍ଦ ହୋଇଯାଇଛି। ମହାମାରୀ କୋଭିଡ୍ର ଦ୍ବିତୀୟ ଲହର ସଂକ୍ରମଣରେ ଡାକ୍ତରଖାନା ଓ ଶବଦାହ କେନ୍ଦ୍ରମାନଙ୍କରେ ଅଭୂତପୂର୍ବ ଗହଳି ଲାଗି ରହିଥିଲା ବେଳେ ସେଥିପ୍ରତି ସୁରକ୍ଷା ସୃଷ୍ଟି କରିବା ପରିବର୍ତ୍ତେ ଦେଶ ଦିନକୁ ଦିନ ନୂତନ ସଂକ୍ରମଣର ରେକର୍ଡ ଦେଖିବା ହିଁ ସାର ହୋଇଛି।
ପ୍ରଥମେ ସରକାର ଟିକା ନିର୍ମାତାଙ୍କ ସହ ଟିକାର ଦର ଠିକ୍ କରି ରାଜ୍ୟମାନଙ୍କୁ ଯୋଗାଇ ଦେଉଥିଲେ। ସ୍ବାସ୍ଥ୍ୟକର୍ମୀ ଓ ବୟସ୍କ ହିତାଧିକାରୀଙ୍କୁ ଟିକାକରଣରେ ପ୍ରାଥମିକତା ଦିଆଯାଇଥିଲା। ମେ’ ପହିଲାରୁ ସାବାଳକମାନେ ଟିକା ନେବାକୁ ଯୋଗ୍ୟ ବିବେଚିତ ହେଉଥିବା ବେଳେ ରାଜ୍ୟ ସରକାରମାନେ ଆବଶ୍ୟକ ଟିକାକୁ ନିର୍ମାତାଙ୍କଠାରୁ ସିଧାସଳଖ କିଣିବେ ବୋଲି କୁହାଯାଇଛି। ସୁତରାଂ ବାନ୍ଧିହୋଇପଡ଼ିଥିବା ସାମ୍ପ୍ରତିକ ବଜାରରେ ଟିକା ପାଇଁ ବିକଳ ହୋଇ ଏକ ଅସମ୍ଭବ ଭିଡ଼ ଲାଗିବା ଥୟ। ଟିକାର ମୂଲ୍ୟ, ସଂଗ୍ରହ, ଯୋଗ୍ୟତା ଏବଂ ପରିଚାଳନାକୁ ସରକାର ମୁକ୍ତ ଓ ଅବାଧ କରିଦେଇଛନ୍ତି ବୋଲି ସଫେଇ ଦେଉଛନ୍ତ। ମାତ୍ର ମହାମାରୀର ଉଚିତ ମୁକାବିଲା କରିବା ପରିବର୍ତ୍ତେ ସରକାର ଦାୟିତ୍ବକୁ ରାଜ୍ୟ ସରକାରଙ୍କ ଉପରକୁ ଠେଲି ଦେଇଛନ୍ତି ବୋଲି ବିଶେଷଜ୍ଞ ଓ ବିରୋଧୀ ଦଳ ଶାସିତ ରାଜ୍ୟମାନଙ୍କର ମତ। ବିଶ୍ବର ବୃହତ୍ତମ ଟିକା ପ୍ରସ୍ତୁତକାରୀ କମ୍ପାନିଙ୍କୁ ଧାରଣ କରି ସୁଦ୍ଧା ଭାରତ ଏବେ ପ୍ରମୁଖ ସଂକ୍ରମଣ କେନ୍ଦ୍ର ପାଲଟିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/Capture.jpg)