ମାର୍ଚ୍ଚ ୧ ରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ । ବେସରକାରୀ ହସ୍ପିଟାଲରେ ଟିକା ନେଲେ ଦେବାକୁ ପଡିବ ଟିକାର ଦାମ ।

115

କନକ ବ୍ୟୁରୋ: କରୋନା ଟିକାକରଣକୁ ନେଇ ଆଜି ଭାରତ ସରକାର କରିଛନ୍ତି ବଡ ଘୋଷଣା । ଆସନ୍ତା ମାର୍ଚ୍ଚ ୧ରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ଏଥର ଟିକାକରଣରେ ୬୦ ବର୍ଷରୁ ଅଧିକ ଲୋକଙ୍କୁ ମିଳିବ ଟିକା । ଦ୍ୱିତୀୟ ପର୍ଯ୍ୟାୟ ଟିକା କେଉଁଠି କେମିତି ଦିଆଯିବ ତା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ଦି୍ୱତୀୟ ପର୍ଯ୍ୟାୟରେ ଦେଶର ପ୍ରାୟ ୧୦ କୋଟି ଲୋକଙ୍କୁ ଟିକାଦାନ କରିବା ଯୋଜନା ରହିଛି ।

ମାର୍ଚ୍ଚ ୧ରୁ ଦେଶରେ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ । ୬୦ ବର୍ଷରୁ ଅଧିକ ଲୋକଙ୍କୁ ମାଗଣାରେ ଦିଆଯିବ କରୋନା ଟିକା । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏନେଇ ସୂଚନା ଦେଇଛନ୍ତି । ଏହା ସହିତ ଜାଭଡେକର ସୂଚନା ଦେଇଛନ୍ତି ମାର୍ଚ ୧ ରୁ ୪୫ ବର୍ଷରୁ ଅଧିକ ଯେଉଁ ଲୋକଙ୍କୁ କୌଣସି ଗମ୍ଭୀର ରୋଗ ଥିବ,ସେମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ସାମିଲ କରାଯିବ । ଦେଶର ୧୦ ହଜାର ସରକାରୀ ଡାକ୍ତରଖାନା ଏବଂ ୨୦ ହଜାର ବେସରକାରୀ ହସ୍ପିଟାଲରେ ଏହି ଟିକାକରଣ କରାଯିବ ।

ଜାନୁଆରୀ ୧୬ରୁ ଦେଶରେ ପର୍ଯ୍ୟାୟ କ୍ରମେ ଆରମ୍ଭ ହୋଇଥିଲା ପ୍ରଥମ ପର୍ଯ୍ୟାୟ ଟିକାକରଣ । ଏହି ଟିକାକରଣରେ ପ୍ରଥମେ କରୋନା ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ , ସଫେଇ କର୍ମୀ ଏବଂ ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ଦିଆଯାଇଥିଲା କରୋନା ଟିକା । ଏବେ ୬୦ ବର୍ଷରୁ ଅଧିକ ଲୋକଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ସାମିଲ କରାଯିବା ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ତେବେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ସରକାରୀ ଡାକ୍ତରଖାନାରେ ମାଗଣା ଟିକାକରଣ କରାଯିବ । ଯେଉଁମାନେ ବେସରକାରୀ ଡାକ୍ତରଖାନାରେ କରୋନା ଟିକା ନେବେ ସେମାନଙ୍କୁ ଟିକାର ଦାମ୍ ଦେବାକୁ ପଡିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାର ଦାମ୍ କେତେ ରହିବ ଖୁବଶୀଘ୍ର ସୂଚନା ଜାରି କରାଯିବ । ଦେଶରେ ମହାରାଷ୍ଟ୍ର, କେରଳ ପରି ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଆସୁଥିବା ବେଳେ , ଏହି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣର ବଡ ପଦ କ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର ।