ଦେଶରେ ଟିକାକରଣକୁ ପୂରିଛି ଏକ ବର୍ଷ: ପଢନ୍ତୁ କାହାକୁ ଦିଆଗଲାଣି କେତେ ଟିକା?

87

କନକ ବ୍ୟୁରୋ: ଦେଶରେ ଟିକାକରଣକୁ ପୂରିଛି ଏକ ବର୍ଷ । ୨୦୨୧ ଜାନୁଆରୀ ୧୬ ତାରିଖରୁ ଦେଶରେ ପ୍ରଥମ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ର୍ଥମେ ସ୍ୱାସ୍ଥ୍ୟକର୍ମୀ, ପରେ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଥିବାବେଳେ ପରେ ବରିଷ୍ଠ ନାଗରିକ ଓ ପରବର୍ତୀ ପର୍ଯ୍ୟାୟ ବିଭିନ୍ନ ବୟସବର୍ଗର ବ୍ୟକ୍ତିଙ୍କୁ ଟିକା ପ୍ରଦାନ କାର୍ଯ୍ୟକ୍ରମ କରାଯାଇଛି । ଟିକାର ପ୍ରଥମ ଓ ୨ୟ ଡୋଜ ସହ ଜୋରଦାର ଚାଲିଛି ଟିକାକରଣ କାର୍ଯ୍ୟକ୍ରମ । ବସୁଧୈବ କୁଟୁମ୍ବକମ ନୀତିକୁ ଆପଣାଇ ଭାରତ ସରକାର ଦେଶବାସୀଙ୍କ ସହ ବିଭିନ୍ନ ରାଷ୍ଟ୍ରଙ୍କୁ ମଧ୍ୟ ଆବଶ୍ୟକ ମୁତାବକ ଟିକା ଯୋଗାଉଛନ୍ତି । ଏବେ ସୁଦ୍ଧା ୧୦୦ଟି ଦେଶକୁ ଟିକା ପ୍ରଦାନ କରିଛି ଭାରତ । ଦେଶରେ ୧୫୬କୋଟିରୁ ଅଧିକ ଡୋଜ ଟିକା ଦିଆସରିଛି । ସ୍ୱାସ୍ଥ୍ୟମନ୍ତ୍ରାଳୟର ରିର୍ପୋଟ ଅନୁସାରେ ଦେଶରେ ୯୨.୦୨ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ ଟିକା ଓ ୬୮ ପ୍ରତିଶତ ଲୋକଙ୍କୁ ଦିଆସରିଲାଣି ୨ୟ ଡୋଜ ଟୀକା ।

୨୦୨୧ ଜାନୁଆରୀ ୧୬ରୁ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକା
୨୦୨୧ ମାର୍ଚ୍ଚ ୧ରୁ ବରିଷ୍ଠ ନାଗରିକ ଓ ଅଧିକ ବହୁବିଧ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଟିକା
୨୦୨୧ ଏପ୍ରିଲରୁ ୪୫ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା
୨୦୨୧ ମେ ରୁ ୧୮ବର୍ଷରୁ ଅଧିକ ଲୋକଙ୍କୁ ଟିକା
୨୦୨୨ ଜାନୁଆରୀରୁ ୧୫ରୁ ୧୮ବର୍ଷ ପିଲାଙ୍କୁ ଟିକା
୨୦୨୨ ଜାନୁଆରୀ ୧୦ରୁ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖଯୋଦ୍ଧା ଏବଂ ୬୦ବର୍ଷର ବୟସ୍କ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍

ଟିକାକରଣକୁ ୧ବର୍ଷ ପୂର୍ତି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏକ ଡାକ ଟିକେଟ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଟିକାରଣରେ ଭାରତ ଏକ ବର୍ଷ ପୂତି ଦେଶ ପାଇଁ ଖୁସିର ଦିନ । ଭାରତର ଟିକାକରଣ ଦେଖି ସାରା ବିଶ୍ୱ ଚକିତ । ଦେଶରେ ୧୫୭କୋଟି ଟିକା ଦିଆସରିଛି ଆଇସିଏମଆର ଡିଜି ବଳରାମ ଭାର୍ଗବ କହିଛନ୍ତି ଭ୍ୟାକସିନ ଡ୍ରାଇଭରେ ଭାରତ ଏକ ବିରଳ ରେର୍କଡ ସୃଷ୍ଟି କରିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଦାବି ମୁତାବକ ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତରେ ଚାଲିଛି ସବୁଠୁ ବଡ ତଥା ସଫଳ ଟିକାକରଣ କାର୍ଯ୍ୟକ୍ରମ ।

ଟିକାରକଣ କାର୍ଯ୍ୟକ୍ରମ ଜୋରଦାର ଚାଲିଥିବାବେଳେ କୌଣସି ବ୍ୟକ୍ତିଙ୍କ ଇଚ୍ଛା ବିରୋଧରେ କିମ୍ବା ଜୋରଜବରଦସ୍ତ ଟିକା ଦିଆଯାଇ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟଳୟଙ୍କୁ କହିଛନ୍ତି କେନ୍ଦ୍ର ସରକାର । ଦିବ୍ୟାଙ୍ଗମାନଙ୍କୁ ଟିକାକରଣ ପ୍ରମାଣପତ୍ର ଦେଖାଇବା ପ୍ରସଙ୍ଗରେ ଏନଜିଓ ଏଭାରା ଫାଉଣ୍ଡେସନ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଆବେଦନ ଉପରେ ଶୁଣାଣୀ ସମୟରେ କୋର୍ଟରେ ନିଜ ସତ୍ୟପାଠ ଦାଖଲ କରି କରି କେନ୍ଦ୍ର କହିଛି

କୌଣସି କାର୍ଯ୍ୟ ପାଇଁ ବାଧ୍ୟତାମୂଳକଭାବେ ଟିକାକରଣ ପ୍ରମାଣପତ୍ର ଦାଖଲ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଏସଓପି ଜାରି କରିନାହିଁ ।
ବର୍ତମାନର ମହାମାରୀ ସ୍ଥିତି ଦୃଷ୍ଟିରୁ ଜନସାଧାରଣଙ୍କ ସ୍ୱାର୍ଥ ନିମନ୍ତେ କୋଭିଡ ଟିକାକରଣ ଅଭିଯାନ ଚାଲିଛି । ସମସ୍ତ ନାଗରିକ ଟିକା ନେବା ଜରୁରୀ ।
ଖବରକାଗଜ, ଗଣମାଧ୍ୟ, ସାମାଜିକଗଣମାଧ୍ୟମ ଫ୍ଲାଟଫର୍ମ ଜରିଆରେ ଉଚିତ ପରାର୍ମଶ ଓ ବିଜ୍ଞାପନ ଦିଆଯାଉଛି ।
ଇଚ୍ଛା ବିରୋଧରେ କୌଣସି ବ୍ୟକ୍ତିବିଶେଷଙ୍କୁ ଟିକା ପାଇଁ ବାଧ୍ୟ କରାଯାଇପାରିବନି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସ୍ପଷ୍ଟ କରିଛି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ବର୍ତମାନ ସୁଦ୍ଧା ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକୁ ୧୫୮କୋଟିରୁ ଅଧିକ ଡୋଜ ଟିକା ମାଗଣାରେ ପ୍ରଦାନ କରାଯାଇଛି । ଏହା ମଧ୍ୟରୁ ୧୪କୋଟି ଏବେ ମଧ୍ୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ପାଖରେ ମହଜୁଦ ଅଛି । କରୋନା ବିରୋଧୀ ଲଢେଇରେ କେନ୍ଦ୍ରସରକାର ତୃଣମୂଳସ୍ତରରେ ଅଭିଯାନ ଜାରି ରଖିଛନ୍ତି । ଅନ୍ୟାନ୍ୟ ରାଷ୍ଟ୍ରଙ୍କୁ ସହଯୋଗର ହାତ ବଢାଇ ସରକାର ବସୁଧୈବ କୁଟୁମ୍ବକ ଟିକା ନୀତିକୁ ସଫଳ କରିଥିବା ଦାବି କରିଛନ୍ତି ।