ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହେବ ଟିକାକରଣ! ଘରୋଇ ହସ୍ପିଟାଲରେ ଟିକାନେଇଥିବା ବ୍ୟକ୍ତି ସରକାରୀ ହସ୍ପିଟାଲରେ ନେଇପାରିବେ ଦ୍ୱିତୀୟ ଡୋଜ୍

152

ଆଜି ରାଜ୍ୟରେ ୬୦୨ଟି ଅଧିବେଶନରେ ଟିକାକରଣ କରାଯିବ। ରାଜ୍ୟରେ ମହଜୁଦ ରହିଥିବା ଟିକାକୁ ନେଇ ଏଭଳି ଅଧିବେଶନ ପାଇଁ ନିଷ୍ପତ୍ତି ନିଆଯାଇଛି। ଟିକା ଯୋଗାଣରେ ଅନିୟମିତତା ଯୋଗୁଁ ରାଜ୍ୟରେ ବେଶ୍ କିଛିଦିନ ହେବ ଦୈନିକ ୨ଲକ୍ଷ ଟିକାକରଣ ବନ୍ଦ ରହିଛି। ଅପରପକ୍ଷରେ ଆସନ୍ତା ୨୮ତାରିଖରୁ ୧୮ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଟିକାକରଣ ପାଇଁ ପଞ୍ଜୀକରଣ ଆରମ୍ଭ ହେବ। ତେବେ ରାଜ୍ୟରେ ଯେଉଁମାନେ ଘରୋଇ ହସ୍ପିଟାଲରେ ଟିକା ନେଇଛନ୍ତି ସେମାନେ ଚାହିଁଲେ ସରକାରୀ ହସ୍ପିଟାଲରେ ଟିକା ନେଇପାରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସୋମବାର ୫୯୫ ଟିକାଦାନ କେନ୍ଦ୍ରରେ ୮୮,୭୭୦ଜଣଙ୍କୁ ଟିକା ଦିଆଯାଇଛି। ଏଥିରେ ୪୫ବର୍ଷରୁ ଅଧିକ ୫୦,୫୯୪ଜଣଙ୍କୁ ପ୍ରଥମ ଓ ୩୪,୬୭୦ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଥିଲା। ଆଜି ୫ଜଣଙ୍କଠାରେ ଟିକାର ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ରାଜ୍ୟରେ ଏହାକୁ ମିଶାଇ ୫୬ଲକ୍ଷ ୩୯ହଜାର ୧୫୦ଜଣଙ୍କୁ ଟିକା ଦିଆ ସରିଲାଣି।

ଆଜି ସଂଧ୍ୟା ସୁଦ୍ଧା ରାଜ୍ୟରେ ୧ଲକ୍ଷ ୨୩ହଜାର ୧୭୦ ଡୋଜ୍‌ର ‘କୋଭିସିଲ୍‌ଡ’ ଓ ୩ଲକ୍ଷ ୬୫ହଜାର ୭୫୦ ଡୋଜ୍‌ର କୋଭାକ୍ସିନ୍ ମହଜୁଦ ରହିଛି। ମାତ୍ର ପରବର୍ତୀ ସମୟରେ କେତେ ଟିକା ଆସିବା ସେ ସଂପର୍କରେ କିଛି ସ୍ପଷ୍ଟ କରାଯାଇ ନ ଥିବା କହିଛନ୍ତି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ମହାପାତ୍ର। ଡା. ମହପାତ୍ର କହିଛନ୍ତି, ୧୮ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ପାଇଁ ଦୁଇ ଟିକା କମ୍ପାନିକୁ ଚିଠି ଦିଆଯାଇଛି। କମ୍ପାନି ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ।