ଟୀକାକରଣର ପ୍ରଥମଦିନ: ଦେଶରେ ଟିକା ନେଲେ ୧ଲକ୍ଷ ୬୫ ହଜାର ୭୧୪ ଜଣ, ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ଡାକ୍ତରଖାନାରେ କେହି ଭର୍ତ୍ତି ହୋଇନାହାନ୍ତି

93

କନକ ବ୍ୟୁରୋ: ଟିକା ଆସିଲା । ବିଶ୍ୱର ସବୁଠୁ ବଡ ଟିକାକରଣ ଅଭିଯାନ ଆରମ୍ଭ ହେଲା । ଦେଶବ୍ୟାପି କରୋନା ଟୀକାକରଣ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ଶେଷ ହେବା ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି କୁହାଯାଇଛି ଯେ ସାରାଦେଶରେ ଆଜି ମୋଟ ୧ ଲକ୍ଷ ୬୫ ହଜାର ୭୧୪ ଜଣ ଟିକା ନେଇଛନ୍ତି । ପ୍ରାୟ ୧୬,୭୫୫ ଜଣ ସ୍ବାସ୍ଥ୍ୟକର୍ମୀ ଟିକା ପ୍ରଦାନ କରିଥିଲେ ।  ତେବେ ଲକ୍ଷାଧିକ ଲୋକ ଟିକା ନେଇଥିଲେ ମଧ୍ୟ ପାର୍ଶ୍ବପ୍ରତିକ୍ରିୟା ଯୋଗୁଁ କେହି ଡାକ୍ତରଖାନାରେ ଭର୍ତ୍ତି ହୋଇନାହାନ୍ତି ।

ତେବେ ଆଜି ଟିକାକରଣ ବେଳେ କେତେକ ସମସ୍ୟା ଦେଖାଦେଇଥିଲା ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । କୋ-ଓ୍ବିନ ଓ୍ବେବସାଇଟ ଧୀମା ହୋଇଯିବାରୁ ଟିକାନେବାକୁ ପଂଜୀକରଣ କରିଥିବା ହିତାଧିକାରୀଙ୍କ ତାଲିକା ଠିକ ସମୟରେ ଅପଲୋଡ ହୋଇପାରିନଥିଲା । କେତେକ ସ୍ୱାସ୍ଥ୍ୟକର୍ମୀ ଆଜି ଟିକା ନେବା କାର୍ଯ୍ୟସୂଚୀରେ ନଥିଲେ ମଧ୍ୟ ସେମାନେ ଆଜି ଟିକା ନେଇଥିଲେ । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ସେରମ ଇନଷ୍ଟିଚ୍ୟୁଟ୍ ଦ୍ବାରା ଉତ୍ପାଦିତ ଟିକା କୋଭିସିଲ୍ଡକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରଦାନ କରାଯାଇଛି । ମାତ୍ର ଭାରତ ବାୟୋଟେକ ଦ୍ବାରା ଉତ୍ପାଦିତ ଟିକା କୋଭାକ୍ସିନକୁ  ୧୨ଟି ରାଜ୍ୟକୁ ପ୍ରଦାନ କରାଯାଇଛି ।