ଧାନ ଜମି ଓ ଜଙ୍ଗଲରେ ବୁଲି ଟିକାକରଣ କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ । ଟିକାକରଣ କଥା ଶୁଣି ଭୟରେ ବିଲ ଓ ଜଙ୍ଗଲକୁ ଚାଲି ଯାଉଛନ୍ତି ଲୋକେ ।

154

କନକ ବ୍ୟୁରୋ :  ବିଲରେ ଚାଲିଛି ଟିକାକରଣ । ଧାନ ଜମି ଓ ଜଙ୍ଗଲରେ ବୁଲି ବୁଲି ଟିକାକରଣ କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଓ କୋରାପୁଟ ସୀମାବର୍ତୀ ବିଶାଖାପାଟଣା ଜିଲ୍ଲା ମଞ୍ଚିମପୁଟ ଅଞ୍ଚଳରେ । ସୂଚନା ଅନୁସାରେ ଭାନୁଗୁମା ପଞ୍ଚାୟତରେ ଗୋଟିଏ ମେଗା ଟିକାକରଣ କ୍ୟାମ୍ପର ଆୟୋଜନ କରିଥିଲା ବିଶାଖପାଟଣା ପ୍ରଶାସନ । ତେବେ ଲୋକେ ବିଲକୁ ଚାଷ କାମ ପାଇଁ ଯାଇଥିବା ବେଳେ ଗାଁରେ ଲୋକ କେହି ଲୋକ ନଥିଲେ ।

ଟିକାକରଣର କଥା ଶୁଣି ଅଧିକାଂଶ ଲୋକ ବିଲ ଓ ଜଙ୍ଗଲକୁ ଚାଲିଯାଇଥିଲେ । ଗାଁର ଏଭଳି ଚିତ୍ର ଦେଖି ଖୋଦ ମଣ୍ଡଳ ପରିଷଦ ଅଧିକାରୀ ଓ ବିଡିଓ ଏଭିଭି କୁମାରଙ୍କ ନେତୃତ୍ୱରେ ଏକ ଭ୍ୟାକ୍ସିନେସନ ଟିମ୍ ବିଲ ବାଡ଼ି ଓ ଜଙ୍ଗଲରେ ବୁଲି ବୁଲି ୬୧ଟି ଗ୍ରାମବାସୀଙ୍କୁ ଟିକା ପ୍ରଦାନ କରିଥିଲେ । ଗ୍ରାମାଞ୍ଚଳରେ ଟିକା ପ୍ରତି ଲୋକେ ଆଗ୍ରହ ପ୍ରକାଶ କରୁନଥିବା ବେଳେ ଆନ୍ଧ୍ର ପ୍ରଶାସନ ଟିକାକରଣକୁ କେତେ ଗୁରୁତ୍ୱ ଦେଉଛି, ତାହା ଏହି ଚିତ୍ର ହିଁ ବୟାନ କରୁଛି ।