ରାଜ୍ୟରେ ଆଗେଇ ଚାଲିଛି ଟିକାକରଣ । ଏବେ ସୁଦ୍ଧା ୬୧ଲକ୍ଷ ଟପିଲାଣି ଟିକାକରଣ

109

ରାଜ୍ୟରେ ଟିକାକରଣ ୬୧ ଲକ୍ଷ ଟପିଛି। ଆଜି ୬୭,୦୭୮ ଲୋକ ଟିକା ନେବା ପରେ ସମୁଦାୟ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ୬୧ଲକ୍ଷ ୪୮ହଜାର ୫୩୨କୁ ବୃଦ୍ଧି ପାଇଛି। ତେବେ ଆସନ୍ତାକାଲି ରବିବାର ସଟ୍‌ଡାଉନ୍ ଯୋଗୁଁ ରାଜ୍ୟବ୍ୟାପୀ ଟିକାକରଣ ବନ୍ଦ ରହିବାକୁ ଥିବା ବେଳେ କେବଳ ଭୁବନେଶ୍ବରରେ ୧୯ଟି ଅଧିବେଶନ ଆୟୋଜିତ ହେବ। ହେଲେ ଆସନ୍ତା ୧୦ ତାରିଖ (ସୋମବାର) ଦିନ ବାଲେଶ୍ବର ଓ ଦେବଗଡ଼ରେ ଟିକାକରଣ ବନ୍ଦ ରହିବ। ଉକ୍ତ ଦିନ ୬୬୯ କେନ୍ଦ୍ରରେ ଟିକାଦାନ କରାଯିବ।

ରାଜ୍ୟରେ ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୧ ଲକ୍ଷ ୭୦ ହଜାର ‘କୋଭିସିଲ୍‌ଡ’, ସାଢ଼େ ୩ ଲକ୍ଷ ‘କୋଭାକ୍ସିନ୍‌’ ଓ ରାଜ୍ୟ ସରକାରଙ୍କ ୧ଲକ୍ଷ ୭ ହଜାର୩୫୦ କୋଭାକ୍ସିନ୍‌ ଓ ୧ ଲକ୍ଷ କୋଭିସିଲ୍‌ଡ୍‌ ମହଜୁଦ ଅଛି। ରାଜ୍ୟରେ ଆଜି ୫୨,୧୪୨ ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ଏହାସହ ୫୮୫୭ଜଣଙ୍କୁ ପ୍ରଥମ, ୧୮-୪୪ବର୍ଷର ୬୭୧୭ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି। ରାଜ୍ୟରେ ପଞ୍ଜୀକୃତ ହୋଇଥିବା ୯୭ ପ୍ରତିଶତ ପ୍ରଥମ ଡୋଜ୍, ୮୬ ପ୍ରତିଶତ ଦ୍ବିତୀୟ ଡୋଜ୍, ପଞ୍ଜୀକୃତ ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରୁ ୯୯ ପ୍ରତିଶତ ପ୍ରଥମ ଡୋଜ୍ ଓ ୮୬ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ତେବେ ଆସନ୍ତାକାଲି କେବଳ ଭୁବନେଶ୍ବରରେ ୧୯ଟି ଅଧିବେଶନ ଆୟୋଜିତ କରାଯିବ।