ସଂକ୍ରମଣ ବଢୁଥିବାବେଳେ କମୁଛି ଟିକାକରଣ । ଆସନ୍ତାକାଲି ୧୨ଟି ଜିଲ୍ଲାରେ ବନ୍ଦ ରହିବ ଭ୍ୟାକ୍ସିନେସନ।

151

କନକ ବ୍ୟୁରୋ: ହୁ ହୁ ହୋଇ ବଢୁଛି ସଂକ୍ରମଣ, ହେଲେ କମୁଛି ଟିକାକରଣ । ଆସନ୍ତକାଲି ୧୨ଟି ଜିଲ୍ଲାରେ ଟିକା ଦିଆଯିବ ନାହିଁ । ମାତ୍ର ୩୦୨ କେନ୍ଦ୍ରରେ ଆସନ୍ତାକାଲି ଟିକାକରଣ କରାଯିବ । ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେଉଁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଂଜ ଓ ପୁରୀ ଜିଲ୍ଲାରେ ଟିକା ଦିଆଯିବ ନାହିଁ । ରାଜ୍ୟରେ ଆବଶ୍ୟକ ଟିକା ନଥିବାରୁ ଏପରି ନିଷ୍ପତି ନେଇଛନ୍ତି ସରକାର । ରାଜ୍ୟରେ ୧୪୭୬ ଟିକାକେନ୍ଦ୍ରରେ ଟିକା ଦିଆଯିବାର ବ୍ୟବସ୍ଥା ରହିଛି । ତେବେ ଟିକା ଅଭାବରୁ ଏହା ଦିନକୁ ଦିନ କମିବାରେ ଲାଗିଛି । ରାତି ୮ଟା ସୁଦ୍ଧା ରାଜ୍ୟରେ ମାତ୍ର ୧ ଲକ୍ଷ ୧୯ ହଜାର ୨୨୦ କୋଭିସିଲ୍ଡ ଡୋଜ୍ ଥିବା ବେଳେ ୩ ଲକ୍ଷ ୪୬ ହଜାର ୪୪୦ କୋଭାକ୍ସିନ୍ ଟିକା ଡୋଜ୍ ରହିଛି ।

କୋଭିସିଲ୍ଡ ଟିକାର ଘୋର ଅଭାବ ଯୋଗୁଁ ଅଧିକାଂଶ ଜିଲ୍ଲାରେ ଟିକାକରଣକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଆସନ୍ତାକାଲି ଖୋର୍ଦ୍ଧାରେ ଟିକାକରଣ ହେବନାହିଁ, ତେବେ ଭୁବନେଶ୍ୱରରେ କୋଭାକ୍ସିନ୍ ଟିକା ଦିଆଯାଉଥିବାରୁ ଟିକାକରଣ କରାଯିବ । ଆଜି ୪୬୯ ଟିକାକେନ୍ଦ୍ରରେ ୪୩ ହଜାର ୮୫୩ ଜଣଙ୍କୁ ଟିକା ଦିଆଯାଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ୫୭ ଲକ୍ଷ ୪୮ ହଜାର ୭୬୯ ଡୋଜ୍ ଦିଆ ଯାଇଥିବା ଜଣାପଡିଛି ।