କାଲିଠୁ ରାଜ୍ୟରେ ଟିକାକରଣର ବଡ଼ ଅଭିଯାନ । ୨ ହଜାର ଟିକା କେନ୍ଦ୍ରରେ ଦିନକୁ ୩ ଲକ୍ଷ ଟିକା ଦେବା ଲକ୍ଷ୍ୟ । ବିନା ପୂର୍ବ ପଂଜିକରଣରେ ସିଧାସଳଖ ନେଇପାରିବେ ଟିକା

355

କନକ ବ୍ୟୁରୋ: ଦ୍ୱିତୀୟ ଲହର ସଂକ୍ରମଣ ଶୀର୍ଷରେ ପହଁଚି ତଳକୁ ଖସୁଥିବା ବେଳେ ତୃତୀୟ ଲହର ଆଶଙ୍କା ବଢ଼ିବାରେ ଲାଗିଛି । ୨ ମାସ ମଧ୍ୟରେ ଦେଶରେ ତୃତୀୟ ଲହର ଆସିବା ସମ୍ଭାବନା ନେଇ ବିଶେଷଜ୍ଞଙ୍କ ଚେତାବନୀକୁ ଆଖି ଆଗରେ ରଖି ଅଧିକ ଲୋକଙ୍କୁ ଟିକା ଦେବା ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଜୁନ ୨୧ ତାରିଖରୁ କ୍ୟାମ୍ପେନ ମୋଡ୍ରେ ଆରମ୍ଭ ହେବ ଟିକାକରଣ । ଆଉ ସରକାରଙ୍କ ଟାର୍ଗେଟ-ଦିନକୁ ୩ ଲକ୍ଷ ଟିକାକରଣ । ସେଥିପାଇଁ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛନ୍ତି ସରକାର । ୧୫ ଶହ ଟିକାକରଣ କେନ୍ଦ୍ର ଥିବା ବେଳେ ଆଉ ୫ଶହ କେନ୍ଦ୍ର ବୃଦ୍ଧି କରାଯିବ । ନଜର ପକାନ୍ତୁ, ସରକାରଙ୍କ ଯୋଜନା ଉପରେ –

ଟିକାକରଣ ଅଭିଯାନ
୨୦୦୦ କେନ୍ଦ୍ରରେ ଦିଆଯିବ ଟିକା
ଏଥର ଗ୍ରାମାଂଚଳ ଉପରେ ରହିବ ଅଧିକ ଫୋକସ
ପଂଚାୟତ ଓ ବ୍ଲକ ସ୍ତରରେ ଟିକାକରଣ ପାଇଁ ସ୍ୱତନ୍ତ୍ର ପ୍ଲାନ୍
ପ୍ରତି ବ୍ଳକରେ ୫ କେନ୍ଦ୍ର, ଏନଏସିରେ ୫ କେନ୍ଦ୍ର
ପୌର ପରିଷଦରେ ୧୦, ମହାନଗର ନିଗମରେ ୨୦ କେନ୍ଦ୍ରରେ ଟିକାଦାନ
ଉଭୟ ଅନଲାଇନ ଓ ଅଫଲାଇନରେ ପଞ୍ଜିକରଣ ପାଇଁ ଜିଲ୍ଲାସ୍ତରରେ ଯୋଜନା

ଓଡ଼ିଶାରେ ଅକ୍ଟୋବର ମାସ ଆଡକୁ ତୃତୀୟ ଲହର ଆସିବା ନେଇ ଆକଳନ କରୁଛନ୍ତି ବିଶେଷଜ୍ଞ । ଏପଟେ ଡେଲ୍ଟା-ପ୍ଲସ ଭାଇରସ୍ କିମ୍ବା ଅନ୍ୟ ନୂଆ ମ୍ୟୁଟାଂଟ କେତେ ସଂକ୍ରମକ ହେବ, ତାହା ଉପରେ ନିର୍ଭର କରୁଛି ତୃତୀୟ ଲହର ପ୍ରଭାବ । ତେବେ ଅଧିକ ଟିକାକରଣ ଓ କରୋନା ନିୟମ କଡ଼ାକଡ଼ା ପାଳନ କଲେ ଏହା ଅଧିକ ପ୍ରଭାବଶାଳୀ ହୋଇନପାରେ ବୋଲି କହିଛନ୍ତି ବରିଷ୍ଠ ଡାକ୍ତର ନିରୋଜ ମିଶ୍ର ।

ବର୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୯୭ ଲକ୍ଷ ଡୋଜ୍ ଟିକା ଦିଆଯାଇଛି । ୨୨ ପ୍ରତିଶତ ଲୋକ ଟିକା ନେଇଥିବା ବେଳେ ରାଜ୍ୟରେ ଏବେ ୧୦ ଲକ୍ଷ କୋଭିସିଲ୍ଡ ଟିକା, ୪ ଲକ୍ଷ କୋଭାକ୍ସିନ୍ ଟିକା ମହଜୁଦ ଅଛି । ସେପଟେ ଟିକାକରଣକୁ ଭୟ କରୁଥିବା ଲୋକଙ୍କୁ ସଚେତନ କରିବା ପାଇଁ ଯୋଜନା କରିଛନ୍ତି ସରକାର ।