ଦେଶରେ ଟିକାକରଣକୁ ପୁରିଲା ୪ ମାସ । ଏଯାଏଁ ସରିଛି ମାତ୍ର ୧୮ କୋଟି ନାଗରିକଙ୍କ ଟିକାକରଣ, ଆଉ ୭ ମାସରେ ସମସ୍ତଙ୍କୁ ଟିକାଦେବାକୁ ଲକ୍ଷ୍ୟ ।

196

କନକ ବ୍ୟୁରୋ : ଦେଶରେ ଟିକାକରଣକୁ ପୂରିଲା ୪ ମାସ । ଏଯାଏଁ ସରିଛି ମାତ୍ର ୧୮ କୋଟି ନାଗରିକଙ୍କ ଟିକାକରଣ । ଆଉ ୭ ମାସରେ ସମସ୍ତଙ୍କୁ ଟିକାଦେବାକୁ ଲକ୍ଷ୍ୟ । ଏପରି ସମୟରେ ତଥ୍ୟ କହୁଛି ଦୈନିକ ୭୩ ଲକ୍ଷ ଡୋଜ୍ ଦିଆଗଲେ ପୂରଣ ହୋଇପାରିବ ଟାର୍ଗେଟ୍ । ଦେଶରେ ଟିକାଅଭାବ ଭିତରେ ଏହା କେତେଦୂର ପୂରଣ ହୋଇପାରିବ, ତାହା ସୃଷ୍ଟି କରୁଛି ପ୍ରଶ୍ନବାଚୀ ।

କରୋନାର ଦ୍ୱିତୀୟ ଲହର, ଭୟଙ୍କର ରୁପ ନେଇଥିବା ବେଳେ ଭାରତରେ ଟିକାକରଣର ସବୁଠୁ ଅଧିକ ଆବଶ୍ୟକତା ରହିଛି, ଆଉ ଠିକ୍ ସେତେବେଳେ ଟିକା ସଂକଟର ତଥ୍ୟ ସାମ୍ନାକୁ ଆସୁଛି, ୧୮ବର୍ଷରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣକୁ ସାମୟିକ ଭାବେ ସ୍ଥଗିତ ରଖିବା ନେଇ ବୟାନ ଆସୁଛି । ଭାରତରେ ସାମୟିକ ଭାବେ ଯୁବ ବର୍ଗ ଅର୍ଥାତ୍ ୧୮ବର୍ଷରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣକୁ ସାମୟିକ ଭାବେ ସ୍ଥଗିତ ରଖିବା ପରାମର୍ଶ ଦେଇଛନ୍ତି ଡାକ୍ତର ଏନ୍.କେ ଅରୋରା । ଡାକ୍ତର ଅରୋରା ହେଉଛନ୍ତି- କେନ୍ଦ୍ର ସରକାରଙ୍କ କୋଭିଡ୍-୧୯ କାର୍ଯ୍ୟକାରୀ ଗ୍ରୁପର ମୁଖ୍ୟ ତଥା କେନ୍ଦ୍ରୀୟ କମିଟିର ଅଧ୍ୟକ୍ଷ । ଡାକ୍ତର ଅରୋରା କହିଛନ୍ତି-
– ଟିକାର ଅଭାବ ଦୃଷ୍ଟିରୁ ପ୍ରାଥମିକତା ଭିତ୍ତିରେ ଆମ ଦେଶରେ ଟିକାକରଣ ଆରମ୍ଭ ହୋଇଥିଲା
– ପ୍ରଥମ ଲକ୍ଷ୍ୟ ଥିଲା ଗୁରୁତର ରୋଗୀଙ୍କ ଜୀବନ ରକ୍ଷା ଏବଂ କୋଭିଡ୍ ମୃତ୍ୟୁକୁ ରୋକିବା
– ଏହା ସହ ୪୫ ବର୍ଷରୁ ଅଧିକ, ସମ୍ମୁଖ ଯୋଦ୍ଧା ଓ କୋଭିଡ୍ ଯୋଦ୍ଧାଙ୍କ ଟିକାକରଣ ହେଲା
– କିନ୍ତୁ ୧୮ରୁ ୪୪ ବର୍ଷଙ୍କୁ ଟିକାକରଣ ଆରମ୍ଭ ହେବା ପରେ ଟିକାର ସଂକଟ ବଢ଼ିଯାଇଛି
– ଟିକାର ଅଭାବ ଥିବାରୁ ଏହି ବୟସବର୍ଗର ଟିକାକରଣକୁ ସ୍ଥଗିତ ରଖା ଯିବା ଉଚିତ

ଏସବୁ ଭିତରେ ବିଶ୍ୱର ସବୁଠାରୁ ବଡ଼ ଟିକାକରଣ ଅଭିଯାନକୁ ୧୨୦ ଦିନ ପୁରିଛି । ଜାନୁୟାରୀ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକାକରଣ ଆରମ୍ଭ କରିଥିବା ବେଳେ ପ୍ରଥମିକତା ଭିତିରେ ଏହି ଅଭିଯାନ ଜାରି ରହିଛି । ଏହାରି ଭିତରେ
– ଦେଶରେ ୧୮ କୋଟି କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ଦିଆଯାଇଛି ।
– ଦୈନିକ ହାରାହାରି ୧୫ ଲକ୍ଷ ଡୋଜ୍ କରୋନା ଟିକା ଦିଆଯାଉଛି ।
– ଭାରତର ୯୪ କୋଟି, ୧୮ ବର୍ଷରୁ ଅଧିକ ଲୋକଙ୍କ ଟିକାକରଣ ପାଇଁ ଆହୁରି ୧୭୦ କୋଟି ଡୋଜ୍ ଟିକା ଦରକାର ।
– ଦୈନିକ ୭୩ ଲକ୍ଷ ଟିକାକରଣ ହେଲେ ଏମାନଙ୍କ ସଂପୂର୍ଣ୍ଣ ଟିକାକରଣ ହୋଇପାରିବ ।
-ବର୍ତମାନଠାରୁ ୫ ଗୁଣା ଅଧିକ ହାରରେ ଟିକାକରଣ ହେଲେ ଏବର୍ଷ ଏମାନଙ୍କ ସଂପୂର୍ଣ୍ଣ ଟିକାକରଣ ହୋଇପାରିବ ।