ବ୍ରହ୍ମପୁର ଏମକେସିଜିରେ ଖାଲି ପଡିଛି ୮୦ ଡାକ୍ତର ପଦବୀ । ଚିକିତ୍ସା ନପାଇ ଫେରି ଯାଉଛନ୍ତି ରୋଗୀ ।

125

କନକ ବ୍ୟୁରୋ : ବ୍ରହ୍ମପୁର ଏମକେସିଜି ମେଡ଼ିକାଲ । ଏହି ମେଡ଼ିକାଲ ଉପରେ ନିର୍ଭର କରନ୍ତି ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲାର ଲୋକେ । କିନ୍ତୁ ଏବେ ଏହି ମେଡ଼ିକାଲଟି ନାହିଁ ନାହିଁରେ ଚାଲିଛି । ଏଠାରେ ୮୦ ଡ଼ାକ୍ତର ପଦବୀ ଖାଲି ରହିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ୨ଟି ବିଭାଗରେ ବିଲକୁଲ୍ ଡାକ୍ତର ନାହାନ୍ତି । ଯାହାକୁ ନେଇ ରୋଗୀ ଚିନ୍ତାରେ ପଡିଥିବା ବେଳେ ଅସନ୍ତୋଷ ଦାନା ବାନ୍ଧୁଛି ।

ଡାକ୍ତରଖାନାର ୨ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ନିରୋ ସର୍ଜରୀ ଓ କାଡ଼ିଆ ଥୋରାସିସ୍ ବିଭାଗରେ ଜଣେ ବି ଡାକ୍ତର ନାହାନ୍ତି । ୫ ଜଣ ଲେଖାଏଁ ଡାକ୍ତର ରହିବା କଥା । ଅନେକ ଅସୁବିଧା ପରେ ନିରୋ ସର୍ଜରୀ ବିଭାଗର ୫ଟି ଡ଼ାକ୍ତର ପଦବୀରୁ ଗୋଟିଏ ପୂରଣ ହୋଇଛି । ଜଣେ ଡାକ୍ତରଙ୍କୁ ଏଇ କିଛି ଦିନ ତଳେ ନିଯୁକ୍ତି ମିଳିଛି । ସେହିଭଳି କାଡ଼ିଆ ଥୋରାସିସ୍ ବିଭାଗରେ ଏବେ ବି କେହି ଡ଼ାକ୍ତର ନାହାନ୍ତି ।
ପୂର୍ବରୁ ବ୍ରହ୍ମପୁର ମେଡ଼ିକାଲରେ କାଡ଼ିଆ ଥରାସିକ ବିଭାଗରେ ଓପନ ହାର୍ଟ ସର୍ଜରୀ ହେଉଥିଲା । କିନ୍ତୁ ଡ଼ାକ୍ତର ନଥିବାରୁ କିଛି ବର୍ଷ ହେଲା ଏହି ସର୍ଜରୀ ଆଉ ହେଉନାହିଁ । ବ୍ରହ୍ମପୁରର ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ୪୫୦ରୁ ଅଧିକ ଡ଼ାକ୍ତର ପଦବୀ ରହିଛି । ବର୍ତ୍ତମାନ ଡାକ୍ତରଖାନାରେ ୮୦ଟି ଡ଼ାକ୍ତର ପଦବୀ ଖାଲି ରହିଛି । ତେଣୁ ରୋଗୀ ଚିକିତ୍ସା ନପାଇ ଅନ୍ୟତ୍ର ଯିବାକୁ ବାଧ୍ୟ ହେଉଛନ୍ତି । ସେପଟେ ମେଡ଼ିକାଲ ପରିସରରେ ଥିବା ନବ ନିର୍ମିତ କୋଠା ମଧ୍ୟ କୌଣସି କାର୍ଯ୍ୟରେ ନଆସି ପଡ଼ିରହିଛି ।