କନକ ବ୍ୟୁରୋ : ଶାସକ ଦଳ ବିଜେଡିରେ ଯୋଗଦେବା ପରେ ପ୍ରଥମ ଥର ପାଇଁ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଛନ୍ତି ଭି.କେ. ପାଣ୍ଡିଆନ୍ । ପ୍ରାୟତଃ ସିଧାସଳଖ କୌଣସି ରାଜନୈତିକ ପ୍ରତିକ୍ରିୟା ଦେଉନଥିବା ପାଣ୍ଡିଆନ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି ।

Advertisment

ଚାକିିରୀରୁ ଭିଆରଏସ ନେଇ ରାଜନୀତିରେ ଯୋଗ ଦେବା ପରେ ପ୍ରଥମ ଥର ପାଇଁ ଗଞ୍ଜାମ ଜିଲ୍ଲା ଗସ୍ତରେ ଥିବା ପାଣ୍ଡିଆନ, ଦ୍ୱିତୀୟ ଦିନରେ ବ୍ରହ୍ମପୁର ଏମକେସିଜି ମେଡିକାଲ, ଛତ୍ରପୁର, ପୁରଷୋତ୍ତମପୁର, ପୋଲସରା, କବିସୂର୍ଯ୍ୟନଗର, ଆସିକାରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ଅବସରରେ ବିରୋଧୀଙ୍କ ନାଁ ନନେଇ, ତେରେଛା ବାଣ ମାରିଛନ୍ତି । ବିଜେଡି ସରକାର ସମୟରେ କୌଣସି ବିକାଶ ହୋଇନଥିବା ଅଭିଯୋଗର ଜବାବ ଦେଇ କହିଛନ୍ତି, କିଛି ଲୋକଙ୍କୁ ରୂପାନ୍ତରଣ ଦେଖାଯାଉନି । ଶ୍ରୀମନ୍ଦିର, ତାରାତାରିଣୀ ଓ ସମଲେଶ୍ୱରୀ ମନ୍ଦିରର ଉଦାହରଣ ଦେଇ, ଆଖି ଖୋଲି ଦେଖିଲେ ବିକାଶର ଅସଲ ଚିତ୍ର ଦିଶିବ ବୋଲି ସେ ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି ।

ସଭା ମଞ୍ଚରୁ ବିରୋଧୀଙ୍କ ନାଁ ନନେଇ ପାଣ୍ଡିଆନ ଟାର୍ଗେଟ କରିବା ପରେ ଜବାବ ଦେଇ ପାଲଟା ପ୍ରଶ୍ନ ପଚାରିଛି ବିଜେପି । ରୂପାନ୍ତରିକରଣ କାହାକୁ କହୁଛନ୍ତି ବୋଲି ପଚାରିଛନ୍ତି । ଅନ୍ୟପଟେ ରୂପାନ୍ତରିକରଣ ନୁହେଁ ଦୁର୍ନୀତିକୁ ବିରୋଧ କରାଯାଉଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ବିଜେଡି ସରକାର ୨୩ବର୍ଷ ଭିତରେ ରାଜ୍ୟରେ କିଛି କରିନି ବୋଲି ଅଭିଯୋଗ କରି ଆସୁଛନ୍ତି ବିରୋଧୀ । ଶନିବାର ଦୁଇ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ସହ ପ୍ରଶ୍ନ କରିଥିଲେ ।