କେତେ ଟଙ୍କାର ମାଲିକ ଆପଣଙ୍କ ଅଞ୍ଚଳର ନେତା । ସାମ୍ନାକୁ ଆସିଲା ଏଡିଆର ରିପୋର୍ଟ, ସବୁଠୁ ଗରିବ ଲୋକସଭା ପ୍ରାର୍ଥୀ ରାଜେନ୍ଦ୍ର କେନ୍ଦ୍ରୁକା । ସମ୍ପତି ମାତ୍ର ୫୬୫ ଟଙ୍କା

460

କନକ ବ୍ୟୁରୋ : ସବୁଠୁ ଧନୀ ପ୍ରାର୍ଥୀ ହେଉଛନ୍ତି, ଭି ଚନ୍ଦ୍ରଶେଖର ନାଇଡୁ, ଆଉ ଗରିବ ପ୍ରାର୍ଥୀ ହେଉଛନ୍ତି ରାଜେନ୍ଦ୍ର କେନ୍ଦୁଲିକା । ଇଲେକସନ୍ ୱାଚ୍ ରିପୋର୍ଟରୁ ଏହି ତଥ୍ୟ ସାମନାକୁ ଆସିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଲଢ଼ୁଥିବା ପ୍ରାର୍ଥୀଙ୍କ ସଂପର୍କରେ ବିସ୍ତୃତ ବିବରଣୀ ପ୍ରକାଶ କରିଛି ଇଲେକସନ୍ ୱାଚ୍ । ବ୍ରହ୍ମପୁର, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଲୋକସଭା ଓ ଏହା ଅନ୍ତର୍ଗତ ବିଧାନସଭାରେ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ ଆସନ୍ତା ୧୧ ତାରିଖରେ ମତଦାନ ହେବ ।

ସବୁଠୁ ଧନୀ ଲୋକସଭା ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡୁ । ବ୍ରହ୍ମପୁର ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡୁଙ୍କ ମୋଟ ସଂପତି ୩୬ କୋଟି ଟଙ୍କାରୁ ଅଧିକ । ଦ୍ୱିତୀୟ ସ୍ଥାନରେ ରହିଛନ୍ତି ନବରଙ୍ଗପୁର ଆସନରୁ ଲଢ଼ୁଥିବା ବିଜେପି ପ୍ରାର୍ଥୀ ବଳଭଦ୍ର ମାଝି । ତାଙ୍କର ସଂପତି ପରିମାଣ ୮ କୋଟି ୭୫ ଲକ୍ଷ ଟଙ୍କା । ସେହିପରି ତୃତୀୟ ସ୍ଥାନରେ ରହିଛନ୍ତି ଜୟରାମ ପାଙ୍ଗୀ । କୋରାପୁଟ ଆସନରୁ ବିଜେପି ଟିକେଟରେ ଲଢ଼ୁଥିବା ଜୟରାମଙ୍କ ସଂପତି ପରିମାଣ – ୪ କୋଟି ୧୯ ଲକ୍ଷ ଟଙ୍କା ।

ସେହିଭଳି ରାଜେନ୍ଦ୍ର କେନ୍ଦ୍ରୁକା ହେଉଛନ୍ତି ସବୁଠୁ ଗରିବ ଲୋକସଭା ପ୍ରାର୍ଥୀ । କୋରାପୁଟ ଲୋକସଭାରୁ ସିପିଆଇ(ଏମଏଲ) ରେଡ୍ ଷ୍ଟାର ପ୍ରାର୍ଥୀ ଭାବେ ଲଢ଼ୁଥିବା ରାଜେନ୍ଦଙ୍କ ମୋଟ ସଂପତି ମାତ୍ର ୫୬୫ ଟଙ୍କା । ନାମାଙ୍କନ କରିଥିବା ୨୬ ଜଣ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ୧୦ ଜଣ ଅର୍ଥାତ୍ ୩୯ ପ୍ରତିଶତ ପ୍ରାର୍ଥୀ କୋଟିପତି ।

ଅନ୍ୟପଟେ ବିଧାନସଭା ଆସନ ପାଇଁ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଅନେକ କୋଟିପତି ପ୍ରାର୍ଥୀ ରହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ସବୁଠୁ ଧନୀ ବିଧାନସଭା ପ୍ରାର୍ଥୀ ହେଉଛନ୍ତି ଅନନ୍ତ ପ୍ରତାପ ଦେଓ । ବିଜେପି ଟିକେଟରୁ ଧର୍ମଗଡ଼ ବିଧାନସଭା ଆସନରୁ ଲଢ଼ୁଥିବା ଅନନ୍ତଙ୍କ ମୋଟ ସଂପତି ପରିମାଣ ୨୭ କୋଟି ୬୭ ଲକ୍ଷ ଟଙ୍କା । ଦ୍ୱିତୀୟରେ ରହିଛନ୍ତି ଲିଙ୍ଗରାଜ ଚୌଧୁରୀ । ବ୍ରହ୍ମପୁର ବିଧାନସଭାରୁ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ୁଥିବା ଲିଙ୍ଗରାଜଙ୍କ ମୋଟ ସଂପତି – ୧୭ କୋଟି ୭୨ ଲକ୍ଷ ଟଙ୍କା । ତିନି ନମ୍ବର ଧନୀ ପ୍ରାର୍ଥୀ ହେଉଛନ୍ତି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର । ଦିଗପହଣ୍ଡି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଥିବା ସୂର୍ଯ୍ୟ ପାତ୍ରଙ୍କ ସଂପତି ହେଉଛି – ୧୬ କୋଟି ୬୮ ଲକ୍ଷ ଟଙ୍କା ।

ମୋଟି ୧୮୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୬ ପ୍ରତିଶତ ଅର୍ଥାତ ୪୯ ଜଣ ହେଉଛନ୍ତି କୋଟିପତି ପ୍ରାର୍ଥୀ । ବିଜେଡିର ୧୭, କଂଗ୍ରେସର ୧୪, ବିଜେପିର ୧୧ ଓ ବିଏସପିରୁ ଲଢୁଥିବା ୨ଜଣ ପ୍ରାର୍ଥୀ କୋଟିପତି । ତେବେ ସ୍ୱାଧୀନ ଭାବେ ଗୋପାଳପୁରରୁ ଲଢ଼ୁଥିବା ବିଶ୍ୱ ବିହାରୀ ବିକ୍ଷୋୟୀ ଓ ନୂଆପଡ଼ାରୁ ପ୍ରାର୍ଥୀ ହୋଇଥିବା ଲୋଚନ ସିଂହ ମାଝିଙ୍କ ନିକଟରେ କୌଣସି ସଂପତି ନଥିବା ଦର୍ଶାଯାଇଛି । ପ୍ରାର୍ଥୀଙ୍କ ସତ୍ୟପାଠ ଆଧାରରେ ଏହି ରିପୋର୍ଟ ପ୍ରକାଶ କରିଛି ଏଡିଆର୍ ।