କନକ ବ୍ୟୁରୋ: ଉତ୍ତରକାଶୀ ସିଲକ୍ୟାରା ସୁଡଙ୍ଗରେ ଫସିରହିଥିବା ଶ୍ରମିକଙ୍କୁ ଏହିଭଳି ଉଦ୍ଧାର କରାଯିବ । ଉଦ୍ଧାର ପାଇଁ ପ୍ରାୟ ୯୦୦ ମିଲିମିଟରର ଯେଉଁ ପାଇପ ଖଞ୍ଜା ଯାଇଛି, ତା ମଧ୍ୟଦେଇ ଷ୍ଟ୍ରେଚରରେ ଶ୍ରମିକମାନଙ୍କୁ ଦଉଡି ସାହାଯ୍ୟରେ ଟଣାଯିବ । ଚକ ଲାଗିଥିବା ଏକ ଷ୍ଟ୍ରେଚର ପ୍ରଥମେ ଭିତରକୁ ଯିବ । ବାହାର ପଟରୁ ଏକ ଶକ୍ତ ଦଉଡି ଏହି ଷ୍ଟ୍ରେଚରରେ ବନ୍ଧା ହୋଇଥିବ । ସେପଟୁ ଜଣେ ଶ୍ରମିକ ଷ୍ଟ୍ରେଚର ଉପରେ ଶୋଇ ରହିବେ ଓ ଏପଟୁ ଉଦ୍ଧାରକାରୀ ଟିମ୍ ଦଉଡି ମାଧ୍ୟମରେ ଷ୍ଟ୍ରେଚର ସହ ଶ୍ରମିକଙ୍କୁ ଟାଣି ଆଣିବେ । ଏହି ପରି ଜଣଙ୍କ ପରେ ଜଣେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରତିଥର ଷ୍ଟ୍ରେଚରକୁ ଭିତରକୁ ପଠାଯିବ । ଆଉ କେମିତି ଏହି ଷ୍ଟ୍ରେଚର ମାଧ୍ୟମରେ ଉଦ୍ଧାର ହେବେ ଶ୍ରମିକ ତାର ଏକ ପରୀକ୍ଷା ଏନ୍ଡିଆରଏଫ୍ ତରଫରୁ କରାଯାଇଛି । ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ଶ୍ରମିକଙ୍କ ପରିବାର ଲୋକଙ୍କୁ ଆଶ୍ୱସ୍ତି ମିଳିଛି । ମଝିରେ ମଝିରେ ଉଦ୍ଧାରକାରୀ ଦଳର ନେତୃତ୍ୱ ନେଉଥିବା ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରି ଅପରେସନ୍ ବାବଦରେ ତାଜା ତଥ୍ୟ ରଖୁଛନ୍ତି ।

ଉଦ୍ଧାରସ୍ଥଳରେ ନିୟୋଜିତ ଅଧିକାରୀମାନେ କହିଛନ୍ତି, ଡ୍ରିଲିଂ ବେଳେ ବାରମ୍ବାର ବାଧା ଆସୁଥିବାରୁ ଅଟକୁଛି କାମ । ଯେଉଁଥିପାଇଁ ଉଦ୍ଧାରକାର୍ଯ୍ୟ ବିଳମ୍ବିତ ହେଉଛି । ଶୁକ୍ରବାର ଡ୍ରିଲିଂ କରି ପାଇପ ଖଞ୍ଜିବାବେଳେ ହଠାତ୍ ପଥର ଆସିଯିବାରୁ ପାଇପ୍ ମୋଡି ହୋଇଯାଇଥିଲା । ଫଳରେ ୧.୨ ମିଟରର ପାଇପକୁ କାଟିବାକୁ ପଡିଥିଲା । ଅନୁମାନ କରାଯାଉଛି ଆଗାମୀ ସାଢେ ୫ ମିଟର ଯାଏଁ କୌଣସି ବାଧା ଆସିବ ନାହିଁ । କୁହାଯାଉଛି ଶ୍ରମିକଙ୍କ ପାଖରେ ପହଂଚିବାକୁ ୬ ମିଟର ଲେଖାଏଁ ଆଉ ୨ଟି ପାଇପ ଖଞ୍ଜିବାକୁ ପଡିବ । ଯଦି ଆଉ କୌଣସି ବାଧା ନଆସେ ରାତି ସୁଦ୍ଧା ଶ୍ରମିକଙ୍କୁ ଉଦ୍ଧାର କରାଯିବ । ଅଧିକାରୀଙ୍କ ଏହି କଥା ପୁରା ଘଟଣା ଉପରେ ନଜର ରଖିଥିବା ଶ୍ରମିକଙ୍କ ସଂପର୍କୀୟ ଓ ଆତ୍ମୀୟଙ୍କୁ ଉତ୍ସାହିତ କରୁଛି । ହେଲେ ସମୟ ଗଡିଚାଲିଛି ।

ଏପଟେ ଟନେଲରେ ଫସି ରହିଥିବା ନବରଙ୍ଗପୁରର ଭଗବାନ ଭତ୍ରାଙ୍କ ଭାଇ ଫୁଲ ଚାନ୍ଦ ଉତରକାଶୀ ଯାଇଛନ୍ତି । ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହ ସେ ଉତରକାଶୀ ଅଭିମୁଖେ ବାହାରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ । ତେବେ ଗତକାଲି ଟନେଲରୁ ସମସ୍ତ ଶ୍ରମିକ ଉଦ୍ଧାର ହେବେ ବୋଲି କୁହାଯାଉଥିଲା । ଯାହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ହେଲେ ଶ୍ରମିକମାନେ ଏପର୍ଯ୍ୟନ୍ତ ଉଦ୍ଧାର ହୋଇନପାରିବାରୁ ପରିବାର ଲୋକଙ୍କ ଚିନ୍ତା ବଢିଯାଇଛି । ମୋବାଇଲରେ ବାରମ୍ବାର ଉଦ୍ଧାରର ଖବର ଦେଖୁଛନ୍ତି । ରାତି ଅନିଦ୍ରା ହୋଇ ଖୁସି ଖବରକୁ ଅପେକ୍ଷା କରି ରହିଛନ୍ତି ।