ୟୁପି ଭୋଟ୍ ପାଇଁ କଂଗ୍ରେସର ମାଷ୍ଟର କାର୍ଡ: ୟୁଥ୍ ମାନିଫେଷ୍ଟୋ ଜାରି କଲେ ରାହୁଲ-ପ୍ରିୟଙ୍କା

103

କନକ ବ୍ୟୁରୋ: ଉତରପ୍ରଦେଶ ପାଇଁ କଂଗ୍ରେସ ଜାରି କରିଛି ୟୁଥ୍ ମାନିଫେଷ୍ଟୋ । ଉତରପ୍ରଦେଶ ନିର୍ବାଚନ ପାଇଁ ଯୁବବର୍ଗଙ୍କ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି କଂଗ୍ରେସ । ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି । ୨୦ ଲକ୍ଷ ସରକାରୀ ଚାକିରି ସହିତ ଏହି ୟୁଥ୍ ମାନିଫେଷ୍ଟୋରେ ୮ ଟି ପ୍ରତିଶ୍ରୁତି ଦେଇଛି କଂଗ୍ରେସ । ଘୋଷଣାପତ୍ରରେ କୁହାଯାଇଛି, ଦଳ କ୍ଷମତାକୁ ଆସିଲେ ୨୦ ଲକ୍ଷ ସରକାରୀ ଚାକିରି ଦେବ ।

ହାତରେ ଉତରପ୍ରଦେଶ ନିର୍ବାଚନ ପାଇଁ ରହିଥିବା ଏ ଇସ୍ତାହାର ବହିକୁ ଦେଖନ୍ତୁ । ୟୁପି ନିର୍ବାଚନ ପାର ହେବାକୁ କଂଗ୍ରେସ ଏଥର ଫୋକସ କରିଛି ଯୁବବର୍ଗଙ୍କ ଉପରେ । ଯୁବ ବର୍ଗଙ୍କୁ ମନେଇବାକୁ ରାହୁଲ ଓ ପ୍ରିୟଙ୍କା ଜାରି କରିଛନ୍ତି ଯୁବବର୍ଗଙ୍କ ପାଇଁ ବିଶେଷ ନିର୍ବାଚନୀ ଇସ୍ତାହାର । ଲଖନୌରେ ଏହି ୟୁଥ୍ ମାନିଫେଷ୍ଟୋକୁ ଘୋଷଣା କରିବା ସମୟରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଅନେକ ଲୋଭନୀୟ ପ୍ରତିଶ୍ରୁତି ରଖିଛନ୍ତି । କ୍ଷମତାକୁ ଆସିଲେ ଏଥର କଂଗ୍ରେସ ୟୁପିରେ ୨୦ ଲକ୍ଷ ଯୁବକ ଯୁବତୀଙ୍କୁ ଚାକିରୀ ପ୍ରଦାନ କରିବାକୁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛି ।

– ୟୁଥ୍ ମାନିଫେଷ୍ଟୋରେ ୮ ପ୍ରତିଶ୍ରୁତି
– ୨୦ ଲକ୍ଷ ସରକାରୀ ଚାକିରୀ
– ୮ ଲକ୍ଷ ସରକାରୀ ପଦବୀ କେବଳ ମହିଳାଙ୍କ ପାଇଁ
– ପରୀକ୍ଷାର୍ଥୀଙ୍କ ପାଇଁ ବସ୍ ଓ ଟ୍ରେନ ଯାତ୍ରା ମାଗଣା
– ସମସ୍ତ ପ୍ରତିଯୋଗୀତା ମୂଳକ ପରୀକ୍ଷା ଶୁଳ୍କ ମାଗଣା
– ଖାଲି ଥିବା ୧ ଲକ୍ଷ ୫୦ ହଜାର ଶିକ୍ଷକ ପଦବୀ ପୂରଣ
– ୩୦ ବର୍ଷରୁ ଅଧିକ ବୟସ୍କଙ୍କୁ ଚାକିରୀରେ ଦିଆଯିବ ପ୍ରାଥମିକତା

ଏହି ୟୁଥ୍ ମାନିଫେଷ୍ଟୋ ଘୋଷଣା ଅବସରରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ବିଜେପିକୁ ଟାର୍ଗେଟ୍ କରିବାକୁ ପଛେଇ ନଥିଲେ । ରାହୁଲ ଗାନ୍ଧୀ କହିଥିଲେ, ସରକାର କେବଳ ଉଦ୍ୟୋଗପତିଙ୍କ ହାତକୁ ମଜବୁତ କରୁଛି । ପ୍ରତି ୨୪ ଘଂଟାରେ ପାଖାପାଖି ୮୮୦ ଜଣ ଯୁବକ ୟୁପିରେ ନିଜର ରୋଜଗାର ହରାଉଛନ୍ତି । ବିଜେପି ସରକାରର ଏହି ୫ ବର୍ଷ ମଧ୍ୟରେ ପାଖାପାଖି ୧୬ ଲକ୍ଷ ଯୁବକ ସେମାନଙ୍କ ରୋଜଗାର ହରାଇଛନ୍ତି । କ୍ଷମତାକୁ ଆସିଲେ କଂଗ୍ରେସ ପ୍ରଥମେ ଏହି ବେରୋଜଗାର ଥିବା ଯୁବ ବର୍ଗଙ୍କୁ ରୋଜଗାର ଦେବାକୁ ସୁନେଲୀ ସ୍ୱପ୍ନ ଦେଖାଇଛି ।

ଏହି ନିର୍ବାଚନୀ ଇସ୍ତାହାର ଘୋଷଣା ସହିତ ୟୁପିର ମୁଖ୍ୟମନ୍ତ୍ରୀ ଚେହେରା ପ୍ରିୟଙ୍କା ଗାନ୍ଧୀ ହେବେ ବୋଲି ଇସାରା କରିଛନ୍ତି । ଆଗରୁ ଚାଷୀ ଓ ମହିଳାଙ୍କ ଉପରେ ଫୋକସ୍ କରି ନିର୍ବାଚନୀ ପ୍ରତିଶ୍ରୁତି ଜାରି କରିଥିଲେ ପ୍ରିୟଙ୍କା । ବର୍ତମାନ ଯୁବ ବର୍ଗଙ୍କୁ ମନେଇବାକୁ ଏପରି ୟୁଥ୍ ମାନିଫେଷ୍ଟୋ ଘୋଷଣା କରିଛନ୍ତି ।