image courtesy-https://qzprod.files.wordpress.com
କନକ ବ୍ୟୁରୋ : ଭାରତର ଅଧିକାଂଶ ରାଜ୍ୟ ଏବେ ଗେରୁଆ ରଙ୍ଗରେ ରଙ୍ଗୀନ ହୋଇଛି । ବିଜେପି ଶାସିତ ରାଜ୍ୟରେ ଏବେ ଗେରୁଆ ବାନା ଉଡୁଛି । ଗତକିଛି ଦିନ ପୂର୍ବେ ଉତ୍ତରପ୍ରଦେଶରେ ଗେରୁଆ ରଙ୍ଗର ବସ୍ ଚଳାଇବା ପାଇଁ ଯୋଗୀ ସରକାର ନିଷ୍ପତି ନେଇଥିଲେ । ଏବେ ବସ୍ ପରେ ଇଳେକ୍ଟିକ ଖୁଣ୍ଟର ପାଳି । ରାଜ୍ୟର ସମସ୍ତ ବେଆଇନ୍ ବିଜୁଳି ସଂଯୋଗକୁ ନିୟମିତ କରିବାକୁ ସ୍ଥିର କରିଥିବା ଯୋଗୀ ଆଦିତ୍ୟନାଥ ସରକାର ସମ୍ପୃକ୍ତ ଅଞ୍ଚଳର ସମସ୍ତ ବିଜୁଳି ଖୁଣ୍ଟରେ ଗେରୁଆ ରଙ୍ଗ ଦେବାକୁ ନିଷ୍ପତି ନେଇଛନ୍ତି ।
କେନ୍ଦ୍ର ସରକାରଙ୍କ ପାୱାର ଫର୍ ଅଲ ଯୋଜନାର ସଫଳ ରୂପାୟନ ପାଇଁ, ରାଜ୍ୟରେ ଥିବା ବିଭିନ୍ନ କଲୋନିର ସମସ୍ତ ବେଆଇନ ବିଜୁଳି ସଂଯୋଗକୁ ନିୟମିତ କରାଯିବାକୁ ନିଷ୍ପତି ନିଆଯାଇଛି । ଏଥିପାଇଁ ବ୍ୟବହୃତ ହେବାକୁ ଥିବା ବିଜୁଳି ଖୁଣ୍ଟକୁ କଲର କୋର୍ଡରେ ଅନ୍ତର୍ଭୁକ୍ତ କରିବାକୁ ଉତ୍ତର ପ୍ରଦେଶ ଶକ୍ତି ବିଭାଗ ନିଷ୍ପତି ନେଇଛି ।
ଶକ୍ତି ବିଭାଗର ସଚିବ ଆଲୋକ କୁମାରଙ୍କ କହିବା ଅନୂଯାୟୀ, କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ଖୁବଶୀଘ୍ର କାଯ୍ୟକାରୀ କରାଯିବ । ତେବେ ବେଆଇନ ବିଦ୍ୟୁତ ସଂଯୋଗରେ ବ୍ୟବହୃତ ହେବାକୁ ଥିବା ସମସ୍ତ ଖୁଣ୍ଟରେ ଗୋଟିଏ ପ୍ରକାର ରଙ୍ଗ ଦିଆଯିବ । ଯାହା ଅନ୍ୟ ବିଜୁଳି ଖୁଣ୍ଟ ଠାରୁ ଏହାକୁ ଭିନ୍ନ କରିବ ।
ଏହି ଯୋଜନାରେ ବ୍ୟବହାର ହେବାକୁ ଥିବା ଖୁଣ୍ଟକୁ ସହଜରେ ଚିହ୍ନଟ କରିବା ପାଇଁ ବିଜୁଳି ଖୁଣ୍ଟ ଗୁଡିକୁ ଗେରୁଆ ରଙ୍ଗ କରାଯାଇଛି ବୋଲି ଦକ୍ଷିଣାଞ୍ଚଳ ପାୱାର ଡିଷ୍ଟ୍ରିବ୍ୟୁସନ୍ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ସୁଧୀର କୁମାର ବର୍ମା କହିଛନ୍ତି ।
ଉତ୍ତର ପ୍ରଦେଶ ଶକ୍ତି ବିଭାଗ ଅନୁଯାୟୀ, ଏବେ ରାଜ୍ୟରେ ୩୦ ହଜାରରୁ ଅଧିକ କଲୋନି ଅଛି ଯେଉଁଠାରେ ବିଦ୍ୟୁତ ସଂଯୋଗ ବୈଧ୍ୟ କରାଯିବ । କେବଳ ଲକ୍ଷ୍ନୌରେ ହିଁ ୩୫୦ରୁ ଅଧିକ ବେଆଇନ ଓ ଅବିକଶିତ କଲୋନି ରହିଛି ଯେଉଁଠାରେ ବିଦ୍ୟୁତ ସଂଯୋଗ ବୈଧ କରାଯିବ ।
ରାଜ୍ୟ ସରକାରଙ୍କ ସୁଗମ ସଂଯୋଗ ଯୋଜନା ଅନୁଯାୟୀ, ବିଜୁଳି ଖୁଣ୍ଟରେ କଲର କୋଡିଙ୍ଗ ବ୍ୟବସ୍ଥା କରାଯାଉଛି । ସୁଧୀର କୁମାର ବର୍ମାଙ୍କ କହିବା ଅନୁଯାୟୀ, ପୂର୍ବରୁ ନୂଆ ବିଜୁଳି ଖୁଣ୍ଟ ଲାଗୁଥିଲେ ଏହାର ଖର୍ଚ୍ଚ ଉପଭୋକ୍ତାଙ୍କୁ ଦେବାକୁ ପଡୁଥିଲା । କିନ୍ତୁ ଏହି ଯୋଜନାରେ ନୂଆ ଖୁଣ୍ଟର ସମସ୍ତ ଖର୍ଚ୍ଚ ଶକ୍ତି ବିଭାଗ ବହନ କରିବ ବୋଲି ବର୍ମା କହିଛନ୍ତି ।
କିଛି ରାଜନୈତିକ ସମୀକ୍ଷକଙ୍କ କହିବା ଅନୁଯାୟୀ, ଏବେ ପ୍ରତ୍ୟେକ ରାଜନୈତିକ ଦଳ ନିଜର ଦଳୀୟ ରଙ୍ଗର ଉପଯୋଗ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ସାର୍ବଜନିକ ସ୍ଥାନରେ କରୁଛନ୍ତି । ଏଭଳି ଘଟଣା ନୂଆ ନୁହେଁ । ପୂର୍ବରୁ ଅଖିଳେଶ ଯାଦବ ମଧ୍ୟ ନିଜ ଦଳର ରଙ୍ଗକୁ ସାର୍ବଜନିକ ସ୍ଥାନରେ ବ୍ୟବହାର କରିଥିଲେ । ତା ଛଡା ପୂର୍ବ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ଶାସନ କାଳରେ ଉତ୍ତରପ୍ରଦେଶର ସମସ୍ତ ସଡକର ଡିଭାଇଡର ଓ ସାଇନବୋର୍ଡକୁ ନୀଳ ରଙ୍ଗ କରାଯାଇଥିଲା । ଯାହା ତାଙ୍କ ଦଳୀୟ ରଙ୍ଗକୁ ସୂଚାଉଥିଲା । କେବଳ ଏହି ଦଳୀୟ ରଙ୍ଗ ରାଜନୀତି ଉତ୍ତରପ୍ରଦେଶରେ ସୀମିତ ନାହିଁ । ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ସରକାର ମଧ୍ୟ ସର୍ବସାଧାରଣ ସ୍ଥାନରେ ତାଙ୍କର ଦଳୀୟ ରଙ୍ଗ ଧଳା ଓ ନୀଳ ରଙ୍ଗର ବ୍ୟବହାର କରିଛନ୍ତି ।
Follow Us