କନକ ବ୍ୟୁରୋ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣଧୀନ ସୁଡଙ୍ଗରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବାକୁ ଉଦ୍ଧାରକାରୀ ଦଳ ୭ ଦିନ ହେବ ଲାଗିଛନ୍ତି । ଏହି ଉଦ୍ଧାରକାର୍ଯ୍ୟରେ ସହାୟତା ପାଇଁ ଅର୍ନ୍ତଜାତୀୟ ସୁଡଙ୍ଗ ବିଶେଷଜ୍ଞ ପ୍ରଫେସର ଆନାଲ୍ଡୋ ଡିକ୍ସଙ୍କ ସହ ଯୋଗାଯୋଗ କରାଯାଇଛି । ସେ ଉଦ୍ଧାରକାରୀ ଦଳଙ୍କୁ ସହାୟତା କରିବାକୁ ଭାରତ ଆସୁଛନ୍ତି । ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ ସେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ କିଭଳି ଯୋଜନା କରାଯାଇଛି ତା ବାବଦରେ ଆଲୋଚନା କରିଛନ୍ତି ।

Advertisment

ଅର୍ନ୍ତଜାତୀୟ ସୁଡଙ୍ଗ ବିଶେଷଜ୍ଞ ପ୍ରଫେସର ଆନାଲ୍ଡୋ ଡିକ୍ସ କହିଛନ୍ତି କି, ମୁଁ ଭାରତ ଯାଉଛି ଓ ମୋର ଗୋଟିଏ ଲକ୍ଷ୍ୟ ହେଉଛି ସୁଡଙ୍ଗରେ ଫସିଥିବା ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବା । ଏବେ ମୁଁ ଉଦ୍ଧାରକାର୍ଯ୍ୟରେ ଲାଗିଥିବା ସେନା ସହ କଥା ହୋଇଛି ।

ତାଙ୍କ ଯୋଜନା ମୁତାବକ ପାହାଡ ନିକଟରେ ଥିବା ଏହି ସୁଡଙ୍ଗରେ ପ୍ରଥମେ ୧୦୦ ଫୁଟ ପର୍ଯ୍ୟନ୍ତ ଭର୍ଟିକାଲ ଡ୍ରିଲ କରାଯିବ । ହେଲେ ଏହି ସ୍ଥାନର ଭୌଗଳିକ ସ୍ଥିତି ଯାହା ରହିଛି ଶ୍ରମିକମାନଙ୍କୁ ଉଦ୍ଧାର କରିବାକୁ ଆଉ ଗୋଟିଏ ସପ୍ତାହ ଲାଗିପାରେ ।

ସୁଡଙ୍ଗରେ ଫସିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଶନିବାର ସକାଳୁ ପୁଣିଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଅଧିକାରୀଙ୍କ କହିବା ମୁତାବକ ଡ୍ରିଲିଙ୍ଗ କାମ ଏବେ ବନ୍ଦ ରହିଛି । ଏହା ପୂର୍ବରୁ ଉଦ୍ଧାରକାରୀ ଦଳ ଏହି ସୁଡଙ୍ଗ ଭିତରକୁ ମାତ୍ର ୨୪ ମିଟର ପର୍ଯ୍ୟନ୍ତ ଖୋଳିପାରିଛନ୍ତି ।

ସେପଟେ ଲୋକଙ୍କ ମଧ୍ୟରେ ଘାରି ରହିଥିବା ଅନ୍ଧବିଶ୍ୱାସକୁ ଗ୍ରହଣ କରି ସୁଡଙ୍ଗ ନିକଟରେ ଏକ ମନ୍ଦିର ମଧ୍ୟ ନିର୍ମାଣ କରାଯାଉଛି । କାରଣ ଏହି ସୁଡଙ୍ଗ ନିକଟରେ ପୂର୍ବରୁ ଏକ ମନ୍ଦିର ଥିଲା । ଯାହା କି, ସୁଡଙ୍ଗ ନିର୍ମାଣ ବେଳେ ଭାଙ୍ଗି ଦିଆଯାଇଥିଲା । ଏହି ମନ୍ଦିର ଭାଙ୍ଗିଦେବା କାରଣରୁ ଏଭଳି ଅଘଟଣ ଘଟିଥିବା କଥା କହୁଛନ୍ତି ସ୍ଥାନୀୟ ଲୋକ ।