କନକ ବ୍ୟୁରୋ : ୫ଦିନ ଧରି ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରେ ଫଶିଛନ୍ତି ୪୦ ଶ୍ରମିକ । ଏବେ ସୁଦ୍ଧା ଉଦ୍ଧାରକାରୀ ଦଳକୁ ସଫଳତା ମିଳିପାରିନି । ୧୦୦ ଘଂଟା ବିତିଲାଣି । ଉତ୍ତରକାଶୀ ସୁଡଙ୍ଗରେ ଏବେ ବି ଫସିଛନ୍ତି ୪୦ ଜଣ ଶ୍ରମିକ । ୫ ଦିନ ହେଲାଣି ହେଲେ ଏଯାଏଁ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରୁନି । ଭାରୀଯାନ ଡ୍ରିଲିଙ୍ଗ ମେସିନ୍ ସହ ଯବାନମାନେ ପହଂଚି ମିଶନରେ ଲାଗିଛନ୍ତି । ଯବାନମାନେ ମାଲବାହୀ ବିମାନ ହରକୁଲସ୍ ଯୋଗେ ଭାରୀ ଡ୍ରିଲିଙ୍ଗ ମେସିନ୍ ସହ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।
୫୦ ମିଟର ପର୍ଯ୍ୟନ୍ତ ସୁଡଙ୍ଗ ଧସିଥିବା କୁହାଯାଉଛି । ଧସିଥିବା ମାଟି ଯୋଗୁ ବାଟ ବନ୍ଦ ହୋଇଯାଇଛି । କେବଳ ଯବାନ ନୁହେଁ ଏନଡିଆରଏଫ୍, ଏସଡିଆରଏଫ୍, ବିଆରଓ, ସ୍ଥାନୀୟ ପ୍ରଶାସନ ଓ ପୋଲିସ ମଧ୍ୟ ଉଦ୍ଧାର କାମରେ ସହଯୋଗ କରୁଛନ୍ତି । ୨୦୦ରୁ ଅଧିକ ଲୋକଙ୍କ ଟିମ୍ କରି ଉଦ୍ଧାର କାମରେ ଲାଗିଛନ୍ତି । ଘଟଣାସ୍ଥଳରେ ପହଁଚି ସ୍ଥିତିର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭିକେ ସିଂ ।
ଟର୍ନେଲରେ ଦୁର୍ଘଟଣା ପରେ ଆଶଙ୍କା ଘେରରେ ସ୍ଥାନୀୟ ବାସିନ୍ଦା । ଟନେଲ ନିର୍ମାଣ ସ୍ଥାନରେ ପୂର୍ବରୁ ଏକ ମନ୍ଦିର ଥିଲା । ଏହାକୁ ଭଙ୍ଗାଯିବା ପରେ ଏଭଳି ଅଘଟଣ ଘଟିଥିବା ସ୍ଥାନୀୟ ଲୋକ ଆଶଙ୍କା ପ୍ରକାଶ କରିଛନ୍ତି । ସେପଟେ ଶ୍ରମିକଙ୍କ ଉଦ୍ଧାରକାର୍ଯ୍ୟ ବିଳମ୍ବକୁ ନେଇ ସର୍ମ୍ପକୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ।
ଉଦ୍ଧାର ପାଇଁ ବିଦେଶୀ ବିଶେଷଜ୍ଞଙ୍କ ସହାୟତା ଲୋଡିଛନ୍ତି ଉତରାଖଣ୍ଡ ସରକାର । ଥାଇଲ୍ୟାଣ୍ଡ, ନରୱେ ଓ ଦିଲ୍ଲୀ ମେଟ୍ରୋର ବିଶେଷଜ୍ଞ ଟିମଠୁ ମତାମତ ଲୋଡାଯାଉଛି
ଉଦ୍ଧାର ପାଇଁ ବିଦେଶୀ ବିଶେଷଜ୍ଞଙ୍କ ସହାୟତା
-ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାରପାଇଁ ରାଜ୍ୟ ସରକାର ବିଦେଶୀ ବିଶେଷଜ୍ଞଙ୍କ ସହାୟତା ଲୋଡିଛନ୍ତି
-ଥାଇଲ୍ୟାଣ୍ଡ ଓ ନରୱେର ବିଶେଷଜ୍ଞମାନଙ୍କ ସହାୟତା ଲୋଡ଼ାଯାଉଛି
-ନରୱେ ଜିଓଟେକ୍ନିକାଲ ଇନଷ୍ଟିଚ୍ୟୁଟର ସହାୟତା ମାଗିଛନ୍ତି ଉତରାଖଣ୍ଡ ସରକାର
ଥାଇଲାଣ୍ଡର ଥାମ୍ ଲୁଆଙ୍ଗ ଗୁମ୍ଫାରୁ ୧୨ ଜଣ କୁନି ଫୁଟବଲ ଖେଳାଳିଙ୍କ ଉଦ୍ଧାର ଏକ ଚମକ୍ରାର ଘଟଣା ଥିଲା । ଅତି ସତର୍କତାର ୧୪ଦିନ ପରେ ମୃତ୍ୟୁର ଗୁମ୍ଫାରୁ ପିଲାକୁ ବାହାର କରିଥିଲା ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ସାଉଥ ଆଣ୍ଡ ମିଡ ୱିଲସ କେବ ରେସ୍କ୍ୟୁ ଟିମ, ବ୍ରିଟିଶ ରିଚାର୍ଡ ଷ୍ଟେନନ ଓ ଜନୱେଲନଥନ ଟିମ । ତେଣୁ ଉତରାଖଣ୍ଡ ଶ୍ରମିକଙ୍କ ଉଦ୍ଧାର ପ୍ରକିୟାରେ ବିଦେଶୀ ବିଶେଷଜ୍ଞଙ୍କ ମତାମତ ବେଶ ସହାୟକ ହେବ ଆଶା ରଖାଯାଇଛି ।